ପୁରୀ : ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିକାନ୍ତିରେ ବିଳମ୍ବ ଓ ଆନନ୍ଦବଜାରରେ ବିଶୃଙ୍ଖଳା କାରଣରୁ ମହାପ୍ରଭୁଙ୍କ ମହାପ୍ରସାଦ ବାହାରିବା ବିଳମ୍ବ ହେଉଛି। ଫଳରେ ଭକ୍ତଙ୍କୁ ଠିକ୍ ସମୟରେ ମହାପ୍ରସାଦ ଦେବା ସମ୍ଭବ ହୋଇପାରୁନି ବୋଲି ଅଭିଯୋଗ କରିଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ।
ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଗତ ୧୮ ତାରିଖରେ ଶ୍ରୀମନ୍ଦିର ନୀତି ସବ୍କମିଟି ଓ ଛତିଶାନିଯୋଗ ବୈଠକରେ ଦୈନନ୍ଦିନ ନୀତିକାନ୍ତି ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ଶ୍ରୀଜିଉଙ୍କ ସକାଳ ମଙ୍ଗଳ ଆଳତିଠାରୁ ଆରମ୍ଭ କରି ପ୍ରଥମ ଭୋଗମଣ୍ଡପ ଓ ଦ୍ବିତୀୟ ଭୋଗମଣ୍ଡପ ନୀତି ନିର୍ଘଣ୍ଟ ମୁତାବକ ନ ହୋଇ ବହୁ ବିଳମ୍ବରେ କରାଯାଉଛି। ଏହାଦ୍ବାରା ଭକ୍ତ ଓ ଜନସାଧାରଣ ଧାର୍ଯ୍ୟ ସମୟରେ ମହାପ୍ରସାଦ ପାଇପାରୁନାହାନ୍ତି। ସୁପକାରମାନେ ଆବଶ୍ୟକ ପରିମାଣର ଭୋଗ ରନ୍ଧନ କରି ମଧ୍ୟ ଭକ୍ତମାନଙ୍କୁ ମହାପ୍ରସାଦ ଯୋଗାଇ ପାରୁନାହାନ୍ତି।
business.siteଜନସାଧାରଣ ଓ ଭକ୍ତମାନେ ବରାଦି ଭୋଗ ବରାଦ କଲେ ମଧ୍ୟ ପଛ ଭୋଗମଣ୍ଡପ ବହୁ ବିଳମ୍ବରେ ହେଉଥିବାରୁ ଧାର୍ଯ୍ୟ ସମୟରେ ମହାପ୍ରସାଦ ନପାଇ ଫେରୁଛନ୍ତି। ଯଦ୍ବାରା ସୁପକାରମାନେ ଦୈନିକ ବହୁ କ୍ଷତି ସହୁଛନ୍ତି। ଏହି କ୍ଷତି ଭରଣା ପାଇଁ ସୁପକାରମାନେ ସୁଆର ମହାସୁଆର ନିଯୋଗଠାରେ ଦାବି କରିଆସୁଛନ୍ତି। ଭକ୍ତମାନଙ୍କ ସୁବିଧା ଓ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ପାଇଁ ଆନନ୍ଦ ବଜାର ଶୃଙ୍ଖଳା ସମ୍ବନ୍ଧରେ ସୁଆର ମହାସୁଆର ନିଯୋଗ ତରଫରୁ ପତ୍ର ଜରିଆରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଅବଗତ କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଆନନ୍ଦବଜାର ଶୃଙ୍ଖଳା ପାଇଁ ୧୨ଜଣ ସୁପକାର ସଭ୍ୟଙ୍କୁ ଏଯାବତ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିଯୁକ୍ତି ଦିଆଯାଇ ପାରିଲା ନାହିଁ।
ମହାପ୍ରସାଦ ଦୋକାନ ଓ ଖଜା ମହାପ୍ରସାଦ ଦୋକାନ ପାଇଁ ପୃଥକ ଭାବେ ଉପଯୁକ୍ତ ସ୍ଥାନ ନିରୂପଣ ହାଇପାରିଲାନି। ଫଳରେ କୋଇଲି ବୈକୁଣ୍ଠ ମଧ୍ୟରେ ଅନୁଚିତ ଭାବେ ମହାପ୍ରସାଦ ବିକ୍ରି ହେଉଛି। ଉତ୍ତରଦ୍ବାର ନିକଟରେ କୌଣସି ବ୍ୟବସ୍ଥା କରାନଯିବାରୁ ଭକ୍ତମାନେ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି। ମହାପ୍ରସାଦ ନପାଇ ଫେରୁଛନ୍ତି। ଉପଯୁକ୍ତ ପ୍ରଶାସନିକ ପଦକ୍ଷେପ ଅଭାବରୁ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଲାଣି। ଏହି ସମସ୍ୟାକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ପାଇଁ ସୁଆର ମହାସୁଆର ନିଯୋଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ, ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଛି ବୋଲି ଶ୍ରୀ ମହାସୁଆର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/srimandir-1.jpg)