ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମହାନ୍‌ ତ୍ୟାଗ ନିମନ୍ତେ ଦିଂବଗତ ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଛନ୍ତି। ସେମାନେ ମୃତା ପ୍ରିୟଙ୍କାରାଣୀଙ୍କ ‘ବୃକ୍କ’ ବା କିଡ୍‌ନି ଦାନ କରିଥିଲେ।

ଏଥିଯୋଗୁଁ କଟକ ବଡ଼ ଡାକ୍ତରଖାନା ଓ ଭୁବନେଶ୍ୱରସ୍ଥିତ ଆପୋଲୋ ସହ୍‌ପିଟାଲ୍‌ରେ ଦୁଇଜଣ ରୋଗୀଙ୍କ ଠାରେ ତାହା ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇ ପାରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ। ଏହାଛଡ଼ା ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନା ଥିବା ଦିବଂଗତ ପ୍ରିୟଙ୍କା ପାତ୍ରଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ।

ସଫଳ ବୃକ୍କ ପ୍ରତିରୋପଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲର୍‌ ସମସ୍ତ ଡାକ୍ତର ଏବଂ ତାଙ୍କ ଟିମ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆପୋଲୋ ହସ୍‌ପିଟାଲ୍‌ରେ ‘ବ୍ରେନ୍‌ ଡେଡ୍‌’ ଘୋଷିତ ପ୍ରିୟଙ୍କାରାଣୀ ପାତ୍ରଙ୍କ ଶରୀରରୁ ଗୋଟାଏ କିଡ୍‌ନି କଟକ ବଡ଼ ଡାକ୍ତରଖାନାକୁ ନିଆଯାଇ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଅନ୍ୟ ଏକ କିଡ୍‌ନି ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲ୍‌ରେ ଅନ୍ୟ ଜଣେ ପୁରୁଷ ରୋଗୀଙ୍କ ଠାରେ ପ୍ରତିରୋପଣ କାଯାଇଛି।

ଏହା ହେଉଛି ଓଡ଼ିଶାରେ ପ୍ରଥମ ‘କେଡାଭେରିକ୍‌ ଟ୍ରାନ୍‌ସ୍‌ପ୍ଲାଣ୍ଟେସନ୍‌’ (ମୃତ ଦେହରୁ ଅଙ୍ଗପ୍ରତ୍ୟଙ୍ଗ କାଢ଼ି ଜୀବନ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିବା) ଘଟଣା।

ସମ୍ବନ୍ଧିତ ଖବର