ରାଉରକେଲା: ଦୁର୍ନୀତି ଅଭିଯୋଗରେ ଚାକିରିରୁ ବହିଷ୍କୃତ ଆର୍‌ଜିଏଚ୍‌ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କ ସରକାରୀ କ୍ବାର୍ଟର୍ସରେ ଆଜି ଲଟ୍‌କା ଝୁଲାଇଛନ୍ତି କର୍ତ୍ତୃପକ୍ଷ। ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ମୁତାବକ ଆର୍‌ଜିଏଚ୍‌ର ଦୁଇ କର୍ମଚାରୀ ମୋହିତ ଶ୍ରୀବାସ୍ତବଙ୍କ ସରକାରୀ କ୍ବାର୍ଟର୍ସକୁ ବହିଷ୍କୃତ ଚିଠି ଦେବାକୁ ଯାଇଥିଲେ। କ୍ବାର୍ଟର୍ସରେ ତାଲା ପଡ଼ିଥିବାରୁ ଦୁହେଁ ଚିଠି ଧରି ଫେରି ଆସିଥିଲା। ଦୁଇ ଘଣ୍ଟା ପରେ ପୁଣି ଥରେ ସରକାରୀ କ୍ବାର୍ଟର୍ସଙ୍କୁ ଯାଇଥିଲେ। କ୍ବାର୍ଟର୍ସରେ ପତ୍ନୀ ଥିବାବେଳେ ମୋହିତ ଶ୍ରୀବାସ୍ତବ ଅନୁପସ୍ଥିତ ଥିଲେ। ଦୁଇ ଦୁଇ ଥର ଫେରିବା ପରେ ଆର୍‌ଜିଏଚ୍‌ କର୍ମଚାରୀ ମୋହିତ ଶ୍ରୀବାସ୍ତବଙ୍କ ସରକାରୀ କ୍ବାର୍ଟର୍ସରେ ଲଟ୍‌କା ଝୁଲାଇ ଦେଇ ଆସିଥିଲେ।

Advertisment

ଗତକାଲି ପୂର୍ବାହ୍ନ ୧୧ଟାରେ ଏନ୍‌ଏନ୍‌ଏମ୍‌ ନିର୍ଦ୍ଦେଶକଙ୍କ ଆଗରେ ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ହାଜର ହୋଇଥିଲେ। ପରେ ତିନି ଜଣିଆ ଅନୁସନ୍ଧାନକାରୀ ଟିମ୍‌ ପକ୍ଷରୁ ମିଳିଥିବା ରିପୋର୍ଟ, ହସ୍ପିଟାଲ ମ୍ୟାନେଜରଙ୍କ କାରଣ ଦର୍ଶାଅ ନୋଟିସ୍‌ ଓ ଆର୍‌ଜିଏଚ୍‌ ନିର୍ଦ୍ଦେଶକ ଡାକ୍ତର ଗଣେଶ ପ୍ରସାଦ ଦାଶଙ୍କଠୁ ମିଳିଥିବା ରି‌ପୋର୍ଟ ଆଧାରରେ ଶୁଣାଣୀ କରାଯାଇଥିଲା। ଶୁଣାଣୀରୁ ହସ୍ପିଟାଲ ମ୍ୟାନେଜର ଦୁର୍ନୀତିରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଥିଲା। ଶେଷରେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶକ ତାଙ୍କୁ ଚାକିରିରୁ ବହିଷ୍କୃତ କରିବାକୁ ବାଧ୍ୟ ହୋଇଥିଲେ। ଆର୍‌ଜିଏଚ୍‌ ଲଣ୍ଡ୍ରି, ପରିମଳ ବ୍ୟବସ୍ଥା, ସିକ୍ୟୁରିଟି ଓ ମର୍ଗହାଉସ୍‌ ଫ୍ରିଜ୍‌ର କିଣା ଦୁର୍ନୀତିରେ ‌ହସ୍ପିଟାଲ ମ୍ୟାନେଜର ‌ମୋହିତ ଶ୍ରୀବାସ୍ତବଙ୍କ ପରେ ଅନ୍ୟ କେଉଁ ଡାକ୍ତର ଓ କର୍ମଚାରୀଙ୍କ ପାଳି ପଡୁଛି, ତା’ ଉପରେ ସହରବାସୀଙ୍କ ନଜର ରହିଛି।