ସମ୍ବଲପୁର: ଚଳିତ ବର୍ଷ ସମ୍ବଲପୁର ସହରରେ ୧ ଲକ୍ଷ ଗଛ ଲଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଭିଯାନର ପ୍ରଥମ ଦିନରେ ଶନିବାର ମହାନଦୀ ଅପରପାର୍ଶ୍ବ ପୋତାପାଲିଠାରେ ୧୦ ହଜାର ଗଛ ଲଗାଯାଇଛି। ମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ସଂଗଠନ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ମାତୃଶକ୍ତି ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ସହ ସାମିଲ ହୋଇ ଗଛ ଲଗାଇଥିଲେ। ଏଥିସହିତ ପରିବେଶ ସୁରକ୍ଷା, ଜଙ୍ଗଲ, ହ୍ରଦ, ନଦୀ, ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସମବେତ ଜନତାଙ୍କୁ ଶପଥପାଠ ମଧ୍ୟ କରାଇଥିଲେ।

Advertisment

ସମ୍ବଲପୁର ସାଂସଦ ଶ୍ରୀ ପ୍ରଧାନ ଏହି ଅବସରରେ କହିଥିଲେ ଯେ ମା’ ସମଲେଶ୍ୱରୀ, ନୂଆଖାଇ, ଶୀତଳଷଷ୍ଠୀ, ମହାନଦୀ ଆଦି ସମ୍ବଲପୁରର ପରିଚୟ। ସେହିପରି ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ସୃଷ୍ଟି ପାଇଁ ସବୁ ବର୍ଗର ଲୋକ ‘ମାଆଙ୍କ ନାମରେ ଗଛଟିଏ’ ଲଗାନ୍ତୁ। ‘ମା ପାଇଁ ଗଛଟିଏ’ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ୧୦ କୋଟି ଗଛ ଲଗାଇବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏ ପରିପ୍ରେକ୍ଷୀରେ ଆସନ୍ତା ୩୧ ଅଗଷ୍ଟ ସୁଦ୍ଧା ସମ୍ବଲପୁରରେ ୧ ଲକ୍ଷ ଗଛ ଲଗାଇବାର ସଂକଳ୍ପ ପୂରଣ ଦିଗରେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମ ପ୍ରଶଂସନୀୟ। ସମ୍ବଲପୁରକୁ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ସହର କରିବା ପାଇଁ ବୃକ୍ଷରୋପଣ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ଏବଂ ଅତିଥିଙ୍କୁ ଉପହାର ସ୍ୱରୂପ ମଞ୍ଜି, ଚାରା ଦେବା ଭଳି ଅଭିନବ ପ୍ରୟାସ ଆରମ୍ଭ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଥିବା ‘ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ’କୁ ବର୍ଜନ ନିମନ୍ତେ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ପ୍ରଧାନ ସମ୍ବଲପୁରର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ, ଭାରତୀୟ ସଂସ୍କୃତିରେ ମା’ଙ୍କୁ ଯେପରି ସମ୍ମାନ ଦିଆଯାଏ, ସେହିପରି ପ୍ରକୃତି ମାତାଙ୍କୁ ମଧ୍ୟ ସମ୍ମାନ ଦେବା। ଆଜି ୧୦ ହଜାର ଗଛ ଲଗାଯିବା ପାଇଁ ଯେମିତି ସଂକଳ୍ପ ନିଆଗଲା, ଠିକ ସେହିଭଳି ତାକୁ ବଞ୍ଚାଇବା ପାଇଁ ମଧ୍ୟ ସଂକଳ୍ପ ନିଆଯାଉ। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ପୁଲିସ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌ପି ମୁକେଶ ଭାମୁ ପ୍ରମୁଖ ଏହି ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ପଙ୍କଜିନୀ ନାୟକ ଓ ଜେମା ମେହେରଙ୍କୁ ପ୍ରକୃତିବନ୍ଧୁ ଭାବେ ସମ୍ମାନିତ କରାଯାଇଥିଲା।