ଭୁବନେଶ୍ବର: ରାଜ୍ୟ ଜଳସଂପଦ ବିଭାଗରେ ଛାତ(କମ୍ୟୁନିଟି ହାରନେସିଂ ଏଣ୍ଡ ହାରଭେଷ୍ଟିଂ ରେନ୍ ୱାଟର ଆର୍ଟିଫିସିଆଲି ଫ୍ରମ୍ ଟେରାକ୍ ଟୁ ଆକ୍ବୁଇଫର) ଯୋଜନା ଅଧୀନ ୱେବ ପୋର୍ଟାଲର ଶୁଭାରମ୍ଭ ହୋଇଛି। ରାଜ୍ୟ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ଏହାର ଉନ୍ମୋଚନ କରିଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା ୨୭ଟି ସହର ଓ ୫୨ଟି ଜଳ ଉପଲବ୍ଧତା ନେଇ ଚାପରେ ରହୁଥିବା ବ୍ଲକ୍ମାନଙ୍କରେ କାର୍ଯ୍ୟକାରୀ ହେଉଥିବା ‘ଛାତ’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହା ହିତାଧିକାରୀଙ୍କୁ ସହାୟକ ହେବ। ପୂର୍ବରୁ ଇଚ୍ଛୁକ ଘର ମାଲିକମାନେ ଏହି ଯୋଜନାରେ ବର୍ଷା ଜଳ ସଂରକ୍ଷଣ ପାଇଁ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ କାଗଜପତ୍ର ଦର୍ଶାଇବାକୁ ପଡ଼ୁଥିବା କାରଣରୁ ପ୍ରକଳ୍ପ କାର୍ଯ୍ୟକାରିତା ବିଳମ୍ବିତ ହେଉଥିଲା। ୱେବ ପୋର୍ଟାଲ ହେବା ଫଳରେ ଏଣିକି ପ୍ରକଳ୍ପର କାର୍ଯ୍ୟକାରିତା ସହଜ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ମନ୍ତ୍ରୀ ଶ୍ରୀମତୀ ସାହୁ ଜଳସଂପଦ ବିଭାଗରେ ବିଭିନ୍ନ ପ୍ରକଳ୍ପ ପାଇଁ ଥିବା ବ୍ୟୟବରାଦ ଓ ପ୍ରକଳ୍ପର ଅଗ୍ରଗତି ଓ ହୋଇଥିବା ଖର୍ଚ୍ଚ ସଂପର୍କରେ ସମୀକ୍ଷା କରିଥିଲେ। ବିଭିନ୍ନ କାର୍ଯ୍ୟ ପାଇଁ ଯେଉଁ ଧାର୍ଯ୍ୟ ଲକ୍ଷ୍ୟ ରହିଛି, ତାହାକୁ ସମୟ ଅନୁସାରେ ଶେଷ କରି ଖର୍ଚ୍ଚ ଉପଯୋଗ କରିବାକୁ ନିର୍ଦେଶ ଦିଆଯାଇଛି। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଷ୍ଠାର ସହ କାର୍ଯ୍ୟ ସଂପାଦନ କରିବାକୁ ସେ ଗୁରୁତ୍ବାରୋପ କରିଥିଲେ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଏହି ୱେବ ପୋର୍ଟାଲର ଆରମ୍ଭ ବିଭାଗର ଅତ୍ୟତମ ସଫଳ ପ୍ରୟାସ। ଭୂତଳ ଜଳର ପୁନଃ ଭରଣ ପାଇଁ ଉଦ୍ଦିଷ୍ଟ ଏହି ବ୍ୟବସ୍ଥାରେ ଛାତ ଉପର ବର୍ଷା ଜଳ ଅମଳ ପ୍ରକଳ୍ପର ପ୍ରତ୍ୟେକ ଉପାଦାନରେ ହୋଇଥିବା ପ୍ରକୃତ ଖର୍ଚ୍ଚକୁ ମୂଲ୍ୟାୟନ କରାଯିବ। ଏହାର ଶତକଡ଼ା ୫୦ଭାଗ ବା ସର୍ବାଧିକ ୫୫ହଜାର ଟଙ୍କା ପର୍ଯ୍ୟନ୍ତ ସରକାରୀ ରିହାତି ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା ରହିଛି। ଏହି ସମୀକ୍ଷା ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥଲେ।