କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାକୁ ପ୍ରାଥମିକତା: ବରଗଡ଼ରେ ଶହେ ଭେଣ୍ଟିଲେଟର୍‌ ସହ ଆଇସିୟୁ ଶଯ୍ୟାର ଶୁଭାରମ୍ଭ

ଗରିବଙ୍କୁ ଶସ୍ତାରେ ଚିକିତ୍ସା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ବରଗଡ଼ :  ବରଗଡ଼ସ୍ଥିତ ବିକାଶ ମଲ୍ଟି ସ୍ପେସାଲିଟି ହସ୍ପିଟାଲରେ ଅତିରିକ୍ତ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। କିଛି ମାସ ପାଇଁ ଏହି ହସ୍ପିଟାଲରେ ଗରିବଙ୍କୁ ଶସ୍ତାରେ ଚିକିତ୍ସା ସେବା ଯୋଗାଇବାକୁ ସେ ହସ୍ପିଟାଲ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାବେଳେ ଏହାର ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାକୁ ପ୍ରାଥମିକତା ଦେଇ ଏଠାରେ ଭିତ୍ତିଭୂମିର ବିକାଶ ପ୍ରକ୍ରିୟା ଜାରି ରହିଛି।  ବିଭିନ୍ନ ଜିଲ୍ଲାର ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ଏବଂ  ଭିତ୍ତିଭୂମି ବୃଦ୍ଧି କରାଯାଉଛି । ଏହି କ୍ରମରେ ବିକାଶ ହସ୍ପିଟାଲରେ ଇଣ୍ଡିଆନ ଅଏଲ୍‌ର ସିଏସ୍‌ଆର୍‌ ପାଣ୍ଠିରୁ  ୧୧.୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଯଦ୍ବାରା ଏହି ହସ୍ପିଟାଲରେ ଅତିରିକ୍ତ  ୭୦ଟି ଭେଣ୍ଟିଲେଟର ସହିତ ଆଇସିୟୁ ଶଯ୍ୟା, ୩୦ଟି ଭେଣ୍ଟିଲେଟର୍‌ ଶଯ୍ୟାର ଉନ୍ନତୀକରଣ ପାଇଁ ୫୦ ମନିଟର୍‌ ଏବଂ ୨୦ଟି ସିରିଞ୍ଜ ପମ୍ପ ବ୍ୟବସ୍ଥା ରହିବ। ଏହି ଅତ୍ୟାଧୁନିକ ସୁବିଧା ଦ୍ୱାରା ପଶ୍ଚିମ ଓଡ଼ିଶା ତଥା ବରଗଡ଼ବାସୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଏଥିସହିତ, ପଶ୍ଚିମ ଓଡ଼ିଶାରେ  କର୍ପୋରେଟ୍ ସଂସ୍ଥାଗୁଡ଼ିକ ଟେଷ୍ଟିଂ ବଢ଼ାଇବା, ନିଜସ୍ବ ବ୍ୟବସ୍ଥାରେ ଟିକାକରଣ ସୁବିଧା, ଭେଣ୍ଟିଲେଟର, ଅକ୍ସିଜେନ୍‌ ଯୋଗାଣ, ଆଇସିୟୁ ସହ ଶଯ୍ୟା ବ୍ୟବସ୍ଥା ସହ ସ୍ବାସ୍ଥ୍ୟସେବାର ଭିତ୍ତିଭୂମି ବିକାଶ ପ‌ାଇଁ ପଦକ୍ଷେପ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଉରକେଲାଠାରେ ସେଲ୍‌ ସହଯୋଗରେ ୬୦୦ଟି ବେଡ୍‌, ସୁନ୍ଦରଗଡ଼ରେ ଏନଟିପିସି ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ୫୦୦ଟି ଶଯ୍ୟା, ଝାରସୁଗୁଡ଼ାର ବ୍ରଜରାଜନଗର ଏବଂ ଲଖନପୁର ଅଂଚଳରେ ଏମ୍‌ସିଏଲ ଦ୍ୱାରା ୧୫୦ଟି ଅକ୍ସିଜେନ ସଂଯୁକ୍ତ ଶଯ୍ୟା ଓ ସମ୍ବଲପୁରରେ ଏମ୍‌ସିଏଲ୍‌ ତରଫରୁ ଶହେ ଶଯ୍ୟାର ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ ହସ୍ପିଟାଲଠାରେ ଉପସ୍ଥିତ ଥିବାବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହବରିହା ଯୋଡ଼ି ହୋଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ପେଟ୍ରୋଲିୟମ ମନ୍ତ୍ରାଳୟର ସଚିବ ତରୁଣ କାପୁର, ଇଣ୍ଡିଆନ ଅଏଲ୍‌ର ଚେୟାରମ୍ୟାନ ମାଧବ ବୈଦ୍ୟ, ଏସ୍‌ଇଆର୍‌ପିଏଲ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ସଞ୍ଜୟ କୁମାର ଭି, ସିଜିଏମ୍‌ ତଥା ରାଜ୍ୟ ମୁଖ୍ୟ ଶୁଭୋଜିତ ଘୋଷ, ବିକାଶ ଗ୍ରୁପର ଚେୟାରମ୍ୟାନ ଡି.ମୂରଲି କ୍ରିଷ୍ଣା ଏବଂ ବରିଷ୍ଠ ପଦାଧିକାରୀ, ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର