ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ୬ଟି ଜିଲ୍ଲାର ୧୩୬୩ଟି ପଞ୍ଚାୟତରେ ୧୯୮ଟି ବସ୍ ଗଡ଼ିଛି। ଏହା ଦ୍ୱାରା ୭୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଓ କମ୍ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍ ଲୋକଙ୍କ ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ରାଜ୍ୟ ସରକାର ଯୋଜନା କରିଥାନ୍ତି। ୫-ଟି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ। ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଲକ୍ଷ୍ମୀ ବସ୍ ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ। ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ୍‌ କରିବାରେ ଲକ୍ଷ୍ମୀ ବସ୍ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ। ଲକ୍ଷ୍ମୀ ବସ୍ ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବ। ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡ଼ିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍‌ରେ ଯିବା ଆସିବା କରିପାରିବେ।

Advertisment

ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଆରମ୍ଭ ହୋଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍ ଟିକେଟ ମୂଲ୍ୟ ଅଧା କରାଯାଇଛି। ଗାଁର ରୂପାନ୍ତର ପାଇଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ’ ଜାରି ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଯାଜପୁରଠାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, କେନ୍ଦ୍ରାପଡ଼ାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଖୋର୍ଦ୍ଧାରୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସଂଯୋଜକ ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୁରୀରୁ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା, କେନ୍ଦ୍ରାପଡ଼ାରୁ ବିଧାୟକ ଧ୍ରୁବ ଚରଣ ସାହୁ, ଭଦ୍ରକରୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସଂଯୋଜକ ସଞ୍ଜୟ ଦାସ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ନୟାଗଡ଼ରୁ ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବିଧାୟକ ଅରୁଣ କୁମାର ସାହୁ ପ୍ରମୁଖ ଯୋଡ଼ି ହୋଇଥିଲେ। ୫-ଟି ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୁରୀରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ। ଆଜିର ଶୁଭାରମ୍ଭ ପରେ ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ୍ ଚାଲିବା ସହ ୧୫.୫୦ଲକ୍ଷ ଲୋକ, ପୁରୀର ୨୬୮ଟି ପଞ୍ଚାୟତରେ ୪୪ଟି ବସ୍ ଗଡ଼ିବା ସହ ୧୪.୬୦ ଲକ୍ଷ, କେନ୍ଦ୍ରାପଡ଼ାର ୧୯୬ଟି ପଞ୍ଚାୟତରେ ୩୭ଟି ବସ୍ ଚାଲିବା ସହ ୧୧.୩୭ଲକ୍ଷ, ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍ ଗଡ଼ିବା ସହ ୧୦.୮ ଲକ୍ଷ, ଯାଜପୁରର ୨୩୩ଟି ପଞ୍ଚାୟତରେ ୩୯ଟି ବସ୍ ସହ ୧୩.୭ଲକ୍ଷ , ନୟାଗଡ଼ର ୧୮୯ଟି ପଞ୍ଚାୟତରେ ୩୧ଟି ବସ୍ ଗଡ଼ିବା ସହ ୯.୩୪ଲକ୍ଷ ଲୋକ ଉପକୃତ ହୋଇଛନ୍ତି। ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ରୁ ଅଧିକ ବସ୍ ଚାଲିବ। ୫-ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିସନ ଶକ୍ତି ମା’ମାନଙ୍କୁ ବସ୍ ପରିଚାଳନା ଦାୟିତ୍ୱ ଦିଆଯାଇଛି।