ଭୁବନେଶ୍ବର : ମହିଳା ସଶକ୍ତୀକରଣ ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆଜି ଏକ ବାସ୍ତବତା। ଓଡିଶାର ମା’ମାନେ ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି। ୭୦ ଲକ୍ଷ ମା’ମାନଙ୍କ ବିଶାଳ ସଂଗଠନ ଆଜି ଏସ୍‌ଏଚ୍‌ଜିରୁ ଏସ୍‌ଏମ୍‌ଇ ହେବାକୁ ଯାଉଛି। ମା’ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି। ମା’ମାନେ କାହା ଠାରୁ କମ୍‌ ନୁହନ୍ତି। ମା’ମାନେ ନିଜ ନିଜର ପ୍ରତିଭା ଓ ଦକ୍ଷତା ଦ୍ବାରା ସମାଜରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେମାନେ ପ୍ରମାଣିତ କରିପାରିଛନ୍ତି ଝିଅ ଆଜି ପରିବାର ପାଇଁ ବୋଝ ନୁହେଁ, ବରଂ ପରିବାରର ମଣି। କନ୍ୟା ରତ୍ନ। ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହବ୍ୟାପୀ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରର ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

Advertisment

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଲିଙ୍ଗଗତ ବିଭେଦ ଦୂର ହୋଇପାରିବ

publive-image

ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ ସେଣ୍ଟର୍‌ରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା’ ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଜିର ଦିନଟିକୁ ମୁଖ୍ୟମନ୍ତ୍ରୀ ସମର୍ପିତ କରିଥିଲେ। ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟବସ୍ତୁ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ଲିଙ୍ଗଗତ ସମାନତା ହାସଲ’। ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି। ଇନୋଭେସନ ଓ ଟେକ୍ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଓ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି। ମହିଳାମାନଙ୍କ ବିରୋଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇପାରୁଛି। ତେଣୁ ଇନୋଭେସନ ଓ ଟେକ୍‌ନୋଲୋଜିର ଅଧିକରୁ ଅଧିକ ପ୍ରୟୋଗ କରି ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

publive-image
ଉତ୍ସବରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଆରମ୍ଭ କରିଥିଲେ। ଏହି ମାସ୍କଟ କିଶୋର କିଶୋରୀମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରିବା ପାଇଁ କାର୍ଯ୍ୟ କରିବ। ଏହା ସହିତ ରାଜ୍ୟର ନୂଆ ଶିଶୁ ନୀତି ‘ପ୍ରାରମ୍ଭ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ଆଶୀର୍ବାଦ ଯୋଜନାର ଏମ୍‌ଆଇଏସ୍ ପୋର୍ଟାଲ୍ ଏବଂ ଓ୍ୱାନ୍ ଷ୍ଟପ୍ ସେଣ୍ଟର୍‌ ଓ ମହିଳା ହେଲ୍‌ପ ଲାଇନ୍‌ରେ ସଫଳ ମହିଳାଙ୍କ କାହାଣୀ ଉପରେ ପ୍ରସ୍ତୁତ ଏକ କେସ୍ ଷ୍ଟଡି ବୁକ୍‌ଲେଟ୍‌କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜୟଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ଜାନକୀ ବିଶ୍ବାଳ ଏବଂ ବିଏମ୍‌ସି ଅଙ୍ଗନବାଡି କର୍ମୀ ଆରତୀ ସାହୁ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ ଓ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ଉନ୍ନୟନ କମିସନର ଅନୁ ଗର୍ଗ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୩ ଜଣ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ, ଶ୍ରେଷ୍ଠ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା।