ବାଲେଶ୍ବର ଷ୍ଟେସନ୍‌ରେ ‘ୱାନ୍‌ ଷ୍ଟେସନ୍‌ ୱାନ୍‌ ପ୍ରଡକ୍ଟ’ର ଶୁଭାରମ୍ଭ

ନଡ଼ିଆକତାରେ ନିର୍ମିତ ବିଭିନ୍ନ ସାମଗ୍ରୀ କିଣିଲେ ଯାତ୍ରୀ

ବାଲେଶ୍ବର: ସ୍ଥାନୀୟ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ରେଳ ଷ୍ଟେସନ୍‌ରେ ‘ୱାନ୍‌ ଷ୍ଟେସନ୍‌ ୱାନ୍‌ ପ୍ରଡକ୍ଟ’ ଯୋଜନା ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ବାଲେଶ୍ବର ରେଳ ଷ୍ଟେସନ୍‌ରେ ଉକ୍ତ ଯୋଜନାକୁ ଉଦ୍‌ଘାଟନ କରାଯାଇଛି। ଉଦ୍‌ଘାଟକ ଭାବେ ଦକ୍ଷିଣ-ପୂର୍ବ ଖଡ଼ଗପୁର ଡିଭିଜନ୍‌ର ଡିଭିଜନାଲ କମରସିଆଲ ମ୍ୟାନେଜର ଗରିଆନ୍‌ ମିନରାଲ ଯୋଗ ଦେଇ ୩ ନଂ ପ୍ଲାଟ୍‌ଫର୍ମରେ ଏହାକୁ ଉଦ୍‌ଘାଟନ କରିଥିଲେ। ‌ବାଲେଶ୍ବର ଷ୍ଟେସନ୍‌ ମ୍ୟାନେଜର ବିକାଶ ରଂଜନ ବେରା, କମରସିଆଲ ଇନ୍‌ସପେକ୍ଟର ସାହାଉଦ୍ଦିନ ସାହା, ନଡ଼ିଆକତା ଶିଳ୍ପ ବ୍ୟବସାୟୀ କେଦାର ପରିଡ଼ାଙ୍କ ସମେତ ତାଙ୍କର ୪ ଜଣ କର୍ମଚାରୀ ଉପସ୍ଥିତ ଥିଲେ।

ଭାରତୀୟ ରେଳ ନେଟୱାର୍କକୁ ବ୍ୟବହାର କରି ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଏବଂ ଷ୍ଟେସନ୍‌ରେ ସେଲ୍‌ସ ହବ୍‌ କରାଯାଇ ଏହି ଉତ୍ପାଦକୁ ବିକ୍ରି କରାଯିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ସେହିପରି ଜଳେଶ୍ବର ରେଳ ଷ୍ଟେସନ୍‌ରେ ମଧ୍ୟ ଏହି ଯୋଜନାକୁ ଶୁଭାରମ୍ଭ କରାଯାଇଛି।

ବ‌ାଲେଶ୍ବର ଜିଲ୍ଲା ନଡ଼ିଆକତା ଶିଳ୍ପ ପାଇଁ ପ୍ରସିଦ୍ଧିଲାଭ କରିଥିବା ବେଳେ ଏଥିରେ ତିଆରି ହେଉଥିବା ବିଭିନ୍ନ ଘରୋଇ ଉପକରଣ ଅଳ୍ପ ମୂଲ୍ୟରେ ବିକ୍ରି ‌ହେଉଛି। ପ୍ରଥମ ଦିନରେ ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇବା ପରେ ଆନନ୍ଦ ସହକାରେ କିଣିଥିଲେ। ସନ୍ଧ୍ୟାସୁଦ୍ଧା ୨ ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ ବିକ୍ରି ହୋଇଥିବା ବ୍ୟବସାୟୀ କେଦାର କହିଛନ୍ତି। ସେହିପରି ଜଳେଶ୍ବର ଷ୍ଟେସନ୍‌ରେ ସିଲଭର ଓ ଷ୍ଟୋନ୍‌ର ବିଭିନ୍ନ ପ୍ରକାର ଗହଣା ଓ କସ୍‌ମେଟିକ୍‌ ସାମଗ୍ରୀକୁ ଗରୁତ୍ବ ଦିଆଯାଇଛି। ଯାତ୍ରୀମାନେ ଏହାକୁ ଉତ୍ସାହର ଶହ କିଣିଥିବା ଜଣାଯାଇଛି।

ଆଗାମୀ ଦିନରେ ଷ୍ଟେସନ୍‌ ଏକ ମାର୍କେଟିଂ ଚ୍ୟାନେଲ ଭାବରେ କାର୍ଯ୍ୟ କରିବ ବୋଲି ଷ୍ଟେସନ୍‌ ମ୍ୟାନେଜର ଶ୍ରୀ ବେରା କହିଛନ୍ତି। ଏଥିରେ ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ କାମ ଦିଆଯାଉଛି ଏବଂ ମହିଳାମାନେ ମଧ୍ୟ ଏହାକୁ ଖୁବ୍‌ ଆଗ୍ରହର ସହ ଶିଖିବା ସହିତ କାମ କରୁଛନ୍ତି। ଏହା ଦ୍ବାରା ନଡ଼ିଆକତା ଶିଳ୍ପକୁ ନୂଆ ପରିଚୟ ମିଳିବ ବୋଲି ଷ୍ଟଲ ବ୍ୟବସାୟୀ ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର