ଭୁବନେଶ୍ବର : ପୂର୍ବତଟ ରେଳପଥର ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ୍ ବା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ(ପିଆରଏସ୍‌) ଡାଟାବେସ୍ ବୁଧବାରଠାରୁ ଭୁବନେଶ୍ୱରରୁ ଆରମ୍ଭ ହୋଇଛି। ପୂର୍ବତଟ ରେଳପଥ ବର୍ତ୍ତମାନ ଏହାର ପରିସୀମା ମଧ୍ୟରୁ ଛାଡ଼ୁଥିବା ଟ୍ରେନ୍‌ଗୁଡ଼ିକ ପାଇଁ ସମସ୍ତ ପ୍ରକାର ଯାତ୍ରୀ ସଂରକ୍ଷଣ କାର୍ଯ୍ୟକଳାପ ନିଜେ ପରିଚାଳନା କରିବ। ଅନ୍ୟ ରେଳ/କେନ୍ଦ୍ରଗୁଡ଼ିକ ଉପରେ ନିର୍ଭର କରିବ ନାହିଁ। ଏହା ପୂର୍ବତଟ ରେଳପଥକୁ ଆତ୍ମନିର୍ଭରଶୀଳ କରିବ। ଟ୍ରେନ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେଉ କିମ୍ବା ନୂତନ ଟ୍ରେନ୍‌ର ପ୍ରାରମ୍ଭିକ ଚଳାଚଳ ପାଇଁ ସଂରକ୍ଷଣ କ୍ଷେତ୍ରରେ ପରିଚାଳନାଗତ କାର୍ଯ୍ୟକଳାପକୁ ନିଜେ ସୁରୁଖୁରୁରେ କାର୍ଯ୍ୟକାରୀ କରିପାରିବ।

Advertisment

୨୦୦୩ ଏପ୍ରିଲ ପହିଲାରୁ ମୁଖ୍ୟାଳୟ ସହ ପୂର୍ବତଟ ରେଳପଥ ଗଠନ ହେବା ପରଠାରୁ ଏହାର ପରିସୀମା ମଧ୍ୟରୁ ଛାଡ଼ୁଥିବା ସମସ୍ତ ଟ୍ରେନ୍‌ର ତଥ୍ୟ ସଂରଚନା କାର୍ଯ୍ୟକଳାପ କୋଲକାତାରେ ପୂର୍ବତଟ ରେଳପଥ ଡାଟାବେସ୍ ସହିତ କାର୍ଯ୍ୟକାରୀ କରୁଥିଲା। ପୂର୍ବ ରେଳପଥରୁ ପୂର୍ବତଟ ରେଳପଥକୁ ଡାଟାବେସ୍‌ର ବିକେନ୍ଦ୍ରୀକରଣର ଶକ୍ତି ପ୍ରଥମେ ରେଳ ବୋର୍ଡ ଦ୍ୱାରା ୨୦୧୪ରେ ପ୍ରଦାନ କରାଯାଇଥିଲା। କିନ୍ତୁ ବୈଷୟିକ ସମସ୍ୟା ହେତୁ ଏହା ରୂପ ନେଇ ପାରିନଥିଲା। ପରେ ପୂର୍ବ ରେଳପଥରୁ ପିଆରଏସ୍‌ ଡାଟାବେସ୍‌ର ବିକେନ୍ଦ୍ରୀକରଣ ପାଇଁ ରେଳ ବୋର୍ଡ ନୂତନ ଅନୁମୋଦନ ପ୍ରଦାନ କରିଛି। ସେହି ଅନୁଯାୟୀ, ସମସ୍ତ ଟ୍ରେନ୍‌ର ତଥ୍ୟ ସଂରଚନା କାର୍ଯ୍ୟକଳାପ ପରିଚାଳନା ପାଇଁ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହ ଭୁବନେଶ୍ୱର ରେଳ ସଦନଠାରେ ଥିବା ମୁଖ୍ୟାଳୟରେ ପୂର୍ବତଟ ରେଳପଥ ନିଜର ଡାଟାବେସ୍ ସେଣ୍ଟର ଆରମ୍ଭ କରିଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଭୁବନେଶ୍ୱରଠାରେ ପିଆର୍‌ଏସ୍‌ ଡାଟାବେସ୍‌ କାର୍ଯ୍ୟକାରୀ କରାଇବାରେ ନିୟୋଜିତ କର୍ମଚାରୀ ଓ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।