ଡିଜିଟାଲ ମିଡିଆ ଖବର ପଠନ ଶୈଳୀରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପରିବେଶ ସୁରକ୍ଷା ପାଇଁ ଆରମ୍ଭ ହେଲା 'ସମ୍ବାଦ'ର ନୂଆ ଅଭିଯାନ 'ପୁନଶ୍ଚ ପୃଥିବୀ'

ଭୁବନେଶ୍ବର : ଡିଜିଟାଲ ମିଡିଆ ଆମର ଖବର ପଠନ ଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଡିଜିଟାଲ ଯୁଗକୁ ଯିବାରେ ସମ୍ବାଦ ରାଜ୍ୟର ଏକ ପ୍ରଥମ ଓ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା  ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।  ସମ୍ବାଦ ଡିଜିଟାଲ ଓ ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ’ର ଉଦ୍‌ଘାଟନ ଅବସରରେ ଏକ ଭିଡିଓ ବାର୍ତ୍ତା ଦେଇ ସେ କହିଛନ୍ତି ଯେ ଓଡ଼ିଶା ନିୟମିତଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । କିନ୍ତୁ ନିଜର ଉନ୍ନତ ବିପର୍ଯ୍ୟୟ ମୁକାବିଲା କୌଶଳ ଯୋଗୁଁ ଓଡ଼ିଶା ଏହାର ସଫଳ ମୁକାବିଲା କରିପାରୁଛି ।

ଡିଜିଟାଲ ମିଡିଆ ବିପ୍ଲବରେ ସମ୍ବାଦ ଆଗୁଆ ରହିବ : ଧର୍ମେନ୍ଦ୍ର

ଏହି ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସମ୍ବାଦ ଓଡ଼ିଶାର ଗଣମାଧ୍ୟମ ଜଗତରେ ପ୍ରଥମେ ଡିଜିଟାଲାଇଜେସନ ପ୍ରକ୍ରିୟା ଆରମ୍ଭ କରିଥିଲା ବୋଲି କୁହାଯାଇପାରେ । ସମ୍ବାଦ ଡିଜିଟାଲ ଆରମ୍ଭ କରି ସମ୍ବାଦ ଗ୍ରୁପ ନିଜର ସେହି ପରମ୍ପରାକୁ ଆଗେଇନେଉଛି । ଆଗାମୀ କିଛି ବର୍ଷରେ ଦେଶରେ ୫ଜି ସେବା ଆରମ୍ଭ ହୋଇଯିବ । ଓଡ଼ିଶାର ୫୦ ହଜାର ଗାଁରେ ଇଣ୍ଟରନେଟ୍ ପହଞ୍ଚାଇବାକୁ କେନ୍ଦ୍ର ସରକାର କାମ କରୁଛନ୍ତି । ଏହା ଦ୍ରୁତ ଯୋଗାଯୋଗ କ୍ଷେତ୍ରରେ ଅଭୁତପୂର୍ବ ବିପ୍ଳବ ଆଣିବ । ଆଗୁଆ ଡିଜିଟାଲ କ୍ଷେତ୍ରରେ ପ୍ରବେଶ କରିଥିବାରୁ ଏ କ୍ଷେତ୍ରରେ ସମ୍ବାଦ ଅଗ୍ରଣୀ ସ୍ଥିତିରେ ରହିବ ।

ସମ୍ବାଦ ଦ୍ବାରା ଆରମ୍ଭ କରାଯାଇଥିବା ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ’ ଡିଜିଟାଲ ମିଡିଆ ମାଧ୍ୟମରେ ସମଗ୍ର ପୃଥିବୀରେ ପହଞ୍ଚିବ । ଏହି ଅଭିଯାନ ମାଧ୍ୟମରେ ଯଦି ସ୍କୁଲ ବା କଲେଜରେ ଥିବା ଆମର ଭବିଷ୍ୟତ ପିଢ଼ି ପରିବେଶ ସଚେତନ ହୋଇ ପରିବେଶକୁ ନିଜ ଜୀବନର ଆଧାର କରିପାରିବେ ତେବେ ଅଭିଯାନଟି ସଫଳ ହେଲା ବୋଲି କୁହାଯାଇପାରିବ ।

ପ୍ରକୃତିର ନିୟମକୁ ସମ୍ମାନ ଜଣାଇ ଉନ୍ନତ ପୃଥିବୀ ଗଠନ ହୋଇପାରିବ : କେନ୍ଦ୍ର ପରିବେଶ ମନ୍ତ୍ରୀ

‘ପୁନଶ୍ଚ ପୃଥିବୀ’ ଅଭିଯାନ ଆରମ୍ଭ ପାଇଁ ‘ସମ୍ବାଦ’କୁ ପ୍ରସଂଶା କରି କେନ୍ଦ୍ର ଶ୍ରମ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଆମେ ସମସ୍ତେ ମିଳିମିଶି ଓ ପ୍ରକୃତିର ନିୟମକୁ ସମ୍ମାନ ଜଣାଇ ଏକ ଉନ୍ନତ ପୃଥିବୀ ଗଠନ କରିପାରିବା । ସେ କହିଛନ୍ତି, ମଣିଷ ପରିବେଶର ନିୟମଗୁଡ଼ିକୁ ନିୟନ୍ତ୍ରିତ କରିବାକୁ ଉଦ୍ୟମ କରୁଥିବାରୁ ପରିବେଶର ଭାରସାମ୍ୟ ନଷ୍ଟ ହେଉଛି । ପ୍ରକୃତିକୁ ସମ୍ମାନ ଜଣାଇବା ଭାରତୀୟ ଶାସ୍ତ୍ର ଓ ପରମ୍ପରାରେ ରହିଆସିଛି । ଏଣୁ ଆମକୁ ତାହାକୁ ପାଳନ କରିବାକୁ ପଡ଼ିବ ।

ସେ କହିଛନ୍ତି, କରୋନା ମହାମାରୀ ସମୟରେ ବି ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ କାମ କରୁଛି । ୨୦୩୦ ସୁଦ୍ଧା ୪୫୦ ଗିଗାଓ୍ବାଟ ନବୀକରଣଯୋଗ୍ୟ ଶକ୍ତି କ୍ଷମତା ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଦେଶରେ ୨୬ ନିୟୁତ ହେକ୍ଟର ଜମିରେ ବନୀକରଣ କିମ୍ବା ଜଙ୍ଗଲର ପୁନରୁଦ୍ଧାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ମଣିଷ ଯେଉଁ ଖାଦ୍ୟ ଖାଉଛି ତାହା ପ୍ରକୃତିକୁ ନଷ୍ଟ କରୁଛି : ସୁନୀତା ନାରାୟଣ

ଏହି ଅବସରରେ ପଞ୍ଚମୀ ମାନୁଙ୍କ ଦ୍ବାରା ପରିଚାଳିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଶିଷ୍ଟ ପରିବେଶବିତ ତଥା ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରମେଣ୍ଟର ମହାନିର୍ଦ୍ଦେଶିକା ପଦ୍ମଶ୍ରୀ ସୁନୀତା ନାରାୟଣ କହିଛନ୍ତି ଯେ ମଣିଷ ପ୍ରକୃତି ଓ ଖାଦ୍ୟ ମଧ୍ୟରେ ରହିଥିବା ସମନ୍ବୟକୁ ଭାଙ୍ଗୁଥିବାରୁ କରୋନା ପରି ମହାମାରୀ ଆସୁଛି । ସରଳ ଭାଷାରେ କହିଲେ ଆମେ ଯେଉଁ ଖାଦ୍ୟ ଖାଉଛୁ ତାହା ପ୍ରକୃତିକୁ ନଷ୍ଟ କରୁଛି ।

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସେ କହିଛନ୍ତି ଯେ ଆମେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ଭୋଗିବା ଆରମ୍ଭ କରିଛୁ । ଓଡ଼ିଶା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସର୍ବାଧିକ ବିପଦର ସମ୍ମୁଖୀନ ହେଉଥିବା କେତୋଟି ରାଜ୍ୟ ମଧ୍ୟରେ ଅନ୍ୟତମ । ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ଆମକୁ ଜୀବାଷ୍ମ ଇନ୍ଧନ ଚାଳିତ ଅର୍ଥନୀତିଠାରୁ ଦୂରେଇବାକୁ ପଡ଼ିବ ।

ଜଗତ ଯଦି ଉଦ୍ଧାର ହେବ ନର୍କ ହିଁ ରହିବ ନାହିଁ : ସୌମ୍ୟରଂଜନ

ଏହି ଅବସରରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ କହିଥିଲେ ଯେ ଆଗକୁ ଡିଜିଟାଲ ମିଡିଆର ରାଜୁତି ଚାଲିବ । ଡିଜିଟାଲ ମିଡିଆ ଯୋଗୁଁ କାଗଜ ଓ କାଳିର ବ୍ୟବହାର କମିବା ଫଳରେ ପରିବେଶ ସୁରକ୍ଷା ଦିଗରେ ତାହା ସହାୟକ ହୋଇପାରିବ । ସନ୍ଥକବି ଭୀମ ଭୋଇଙ୍କ ପ୍ରସିଦ୍ଧ ଉକ୍ତି ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ କୁ ଉଦ୍ଧାର କରି ସେ କହିଥିଲେ ଯେ ଜଗତ ଯଦି ଉଦ୍ଧାର ହେବ ନର୍କ ହିଁ ରହିବ ନାହିଁ । ଅର୍ଥାତ ପରିବେଶର ଯଦି ସୁରକ୍ଷା ହେବ ତେବେ ମଣିଷର ବି ଉନ୍ନତି ହେବ ।

ସମ୍ବାଦ ଗ୍ରୁପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଓଡ଼ିଶାର ଗଣମାଧ୍ୟମ ଜଗତରେ କେତେକ ‘ପ୍ରଥମ’ର ଶ୍ରେୟ ସମ୍ବାଦକୁ ଯାଇଥାଏ । ସେହି ପରମ୍ପରାକୁ ବଜାୟ ରଖି ସମ୍ବାଦ ଡିଜିଟାଲ ଆରମ୍ଭ ହୋଇଛି, କାରଣ ଏହା ହେଉଛି ଭବିଷ୍ୟତ । ଏହି ଅବସରରେ ସମ୍ବାଦ ବାର୍ତ୍ତା ବିଭାଗ ମୁଖ୍ୟ ଅରବିନ୍ଦ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଉତ୍ସବକୁ ପରିଚାଳନା କରିଥିଲେ କନକ ଟିଭିର ଡେପୁଟି ଏଡିଟର ସ୍ବୟଂପ୍ରକାଶ ମହାପାତ୍ର।

ସମ୍ବନ୍ଧିତ ଖବର