ଭୁବନେଶ୍ବର,: ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ରାଜ୍ୟର ହଜାର ହଜାର ମହିଳା ରାଖି ବାନ୍ଧି ଭାଇମାନଙ୍କୁ ନିଶାଠାରୁ ଦୂରେଇ ରହିବା ଲାଗି ଶପଥ କରାଇଛନ୍ତି। ସାମୂହିକ ଭାବେ ଓ ବୟସ ନିର୍ବିଶେଷରେ ଭଉଣୀମାନେ ଫୁଲ ଚନ୍ଦନ ଦେଇ ଭାଇମାନଙ୍କୁ ବନ୍ଦାପନା କରିବା ସହ ଚକଲେଟ୍/ମିଠେଇ ଖୁଆଇ, ହାତରେ ରାଖି ବାନ୍ଧି ନିଶା ନଛୁଇଁବା ପାଇଁ ତାଙ୍କଠୁ ପ୍ରତିଶ୍ରୁତି ନେଇଛନ୍ତି। ହାତରେ ରାଖି ବାନ୍ଧି ପୁରୁଷମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜୀବନରେ କେବେ ନିଶା ଛୁଇଁବେନି। ଏହିଭଳି ଏକ ନିଆରା କାର୍ଯ୍ୟକ୍ରମ ଆଜି ‘ସମ୍ବାଦ’, ‘ଆମ ଓଡ଼ିଶା’, ‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ ରାଜ୍ୟର ୪୨୧ଟି ସ୍ଥାନରେ ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଲକ୍ଷାଧିକ ଲୋକ ସାମିଲ୍ ହୋଇଥିଲେ।
ଆଜି ପୂର୍ବାହ୍ନରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରାଜ୍ୟର ମହିଳାମାନଙ୍କ ତରଫରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ବାରା ରାଖି ବନ୍ଧାଯାଇ ‘ସମ୍ବାଦ’ ଗ୍ରୁପ୍ର ନିଶା ନିବାରଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଖି ବାନ୍ଧିବା ପରେ କହିଥିଲେ, ମୁଁ ଜୀବନରେ କେବେ ନିଶା ଛୁଇଁନି କି ଭବିଷ୍ୟତରେ କେବେ ଛୁଇଁବି ନାହିଁ। ଏ ନେଇ ଏକ ଲିଖିତ ଶପଥନାମାରେ ଉଭୟ ଶ୍ରୀ ମାଝୀ ଓ ଶ୍ରୀମତୀ ପରିଡ଼ା ସ୍ବାକ୍ଷର କରିଥିଲେ। ‘ସମ୍ବାଦ’ ଗ୍ରୁପ୍ର ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବାକୁ ନିଶ୍ଚିତ ସଚେତନ କରାଇବ।
ଓଡ଼ିଶାର ମହିଳାମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ରାଖି ବାନ୍ଧି ନିଶାରୁ ଦୂରେଇ ରହିବା ପାଇଁ ଶପଥ କରାଇଲେ ଉପମୁଖ୍ୟମନ୍ତ୍ରୀ
ଏହି ଅବସରରେ ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, ଆଜି ପବିତ୍ର ରକ୍ଷା ବନ୍ଧନରେ ଏଭଳି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯିବା ଏକ ବଡ଼ କଥା। ଭଉଣୀମାନେ ଚେଷ୍ଟା କଲେ ଭାଇମାନେ ନିଶା ଠାରୁ ଦୂରେଇ ରହିପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ହାତରେ ସାହିତ୍ୟଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ରାଖି ବାନ୍ଧିଥିଲେ। ଏହି କାର୍ଯ୍ୟକ୍ରମରେ ‘ଆମ ଓଡ଼ିଶା’ର ସମ୍ପାଦକ ଅରବିନ୍ଦ ଦାସ, ବିଧାୟକ ବାବୁ ସିଂହ, ‘ସମ୍ବାଦ’ର କେନ୍ଦୁଝର ପ୍ରତିନିଧି ସୁବ୍ରତ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ରାଜ୍ୟର ପୂରପଲ୍ଲୀରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ‘ସମ୍ବାଦ’ ଗ୍ରୁପ୍ର ଏହି ନିଆରା କାର୍ଯ୍ୟକ୍ରମର ପ୍ରଭାବ ଦେଖିବାକୁ ମିଳିଥିଲା। ରାଜ୍ୟର ୩୭୦ଟି ସମ୍ବାଦ-ସାହିତ୍ୟଘରର ସଦସ୍ୟସଦସ୍ୟା, ଆମ ଓଡ଼ିଶାର ୟୁନିକ୍ ସ୍ବେଚ୍ଛା ରକ୍ତଦାତା, ବିଭିନ୍ନ ସଂଗଠନର ସଭ୍ୟସଭ୍ୟା, ‘ସମ୍ବାଦ’ ଓ ଆମ ଓଡ଼ିଶାର ଶୁଭେଚ୍ଛୁ, ନାଗରିକ ସମାଜର ସଦସ୍ୟ, ବିଭିନ୍ନ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ସାମିଲ୍ ହୋଇଥିଲେ। ‘ସମ୍ବାଦ’ ଗ୍ରୁପ୍ର ଏହି ନିଶା ନିବାରଣ ବ୍ରତ ପାଳନ କାର୍ଯ୍ୟକ୍ରମ ଯେପରି ସେମାନଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଭରି ଦେଇଥିଲା, ସେଭଳି ଦେଖିବାକୁ ମିଳିଥିଲା। ୪୨୧ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାବେଳେ କିସ୍, ଭୁବନେଶ୍ବରରେ ସର୍ବାଧିକ ୬ହଜାର ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ। ଭାଷା ଜ୍ଞାନ ଓ ରକ୍ତ ଦାନ କାର୍ଯ୍ୟକ୍ରମର ସଫଳତା ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ବିପୁଳ ସମର୍ଥନ ହାସଲ କରିଥିବାରୁ ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।