ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କ ଜୀବନରେ ଶିକ୍ଷକଙ୍କ ମାର୍ଗଦର୍ଶନ ସବୁଠାରୁ ଅଧିକ ପ୍ରଭାବିତ କରେ। ତେଣୁ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ପ୍ରସ୍ତୁତ କରିବା ପାଇଁ ଶିକ୍ଷକଙ୍କୁ ପରିବର୍ତ୍ତନର ପ୍ରତିନିଧି ତଥା ନବସୃଜନର ପ୍ରତୀକ ଭାବେ ଗଢ଼ିବା ଆମର ଲକ୍ଷ୍ୟ। ଯେଉଁଥିପାଇଁ ‘ସ୍କୁଲ୍ ଇନୋଭେସନ୍‌ ଆମ୍ବାସାଡର୍‌ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଶୁଭାରମ୍ଭ ହୋଇଛି। ଏହାଦ୍ୱାରା ୫୦ ହଜାର ବିଦ୍ୟାଳୟର ଶିକ୍ଷକଙ୍କୁ ନବସୃଜନ, ଉଦ୍ୟୋଗୀ, ଆଇପିଆର୍‌, ଡିଜାଇନ୍ ଥିଙ୍କିଂ, ସାମଗ୍ରୀ ବିକାଶ, ଆଇଡିଆ ଜେନେରେସନ୍ ଆଦି ଉପରେ ତାଲିମ୍‌ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Advertisment

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସହ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଟେକ୍ନୋଲୋଜି ବିଶ୍ୱକୁ ନୂତନ ରୂପରେ ଅବସ୍ଥାପିତ କରିଛି। ଆମ ଛାତ୍ରଛାତ୍ରୀଙ୍କ ପାଖରେ ପୂରା ବିଶ୍ୱର ସମସ୍ୟା ସମାଧାନର ସୂତ୍ର ବାହାର କରିବାର କ୍ଷମତା ରହିଛି। ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍‌ ସେଲ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ, ସିବିଏସଇ ଓ ଏଆଇସିଟିଇ ସହଯୋଗରେ ଶୁଭାରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପରବର୍ତ୍ତୀ ସମୟରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ନବସୃଜନ କ୍ଷମତା ପ୍ରତି ଜାଗୃତ କରିବ। ଆସନ୍ତା ୨୫ ବର୍ଷ ପରେ ଦେଶ ସ୍ୱାଧୀନତାକୁ ୧୦୦ବର୍ଷ ପୂରଣ କରିବ। ଆଜିର ୧୫ ବର୍ଷର ପିଲା ସେହି ସମୟରେ ଜୀବନର ସର୍ବଶ୍ରେଷ୍ଠ ସମୟ ଦେଇ ଗତି କରୁଥିବେ। ତେଣୁ ଆମକୁ ଏହି ଏକବିଂଶ ଶତାବ୍ଦୀରୁ ହିଁ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ତଥା ସେମାନଙ୍କ ପ୍ରତିଭାକୁ ଅନ୍ୱେଷଣ କରିବା ଦରକାର। ଦେଶରେ ସମ୍ବଳର ଅଭାବ ନାହିଁ। କେବଳ ପିଲାଙ୍କୁ ଆଗକୁ ବଢ଼ାଇବା ପାଇଁ ସଠିକ୍ ମାର୍ଗଦର୍ଶନ ଓ ସେମାନଙ୍କ ମନରେ ଦେଶ, ବିଶ୍ୱର ସମାଧାନ ପାଇଁ ଥିବା କଳ୍ପନାର ମାର୍ଗ ଦେଖାଇବାର ଆବଶ୍ୟକତା ରହିଛି। ଆଜିର ଆମ୍ବାସାଡର୍ ସେଡ୍‌ର ଟ୍ରେନିଂ ଦେଶର ଆବଶ୍ୟକତାକୁ ପୂରଣ କରିବ ନାହିଁ, ବରଂ ବିଶ୍ୱର ସମସ୍ୟାର ଉତ୍ତର ବାହାର କରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ସୁବାସ ସରକାର, ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ରଞ୍ଜନ ସିଂହଙ୍କ ସହ ଶିକ୍ଷା ମନ୍ତ୍ରଣାଳୟ ଓ ଜନଜାତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।