କେନ୍ଦୁଝରରେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ

୪.୨୦ ଲକ୍ଷ ପରିବାର ପାଇବେ ସୁବିଧା
୧୪୩୩ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ
କେନ୍ଦୁଝରରେ ହେବ ବୃହତ୍‌ କୁକୁଡ଼ା ପାଳନ ପ୍ରକଳ୍ପ
୨୦୨୨ ସୁଦ୍ଧା କେନ୍ଦୁଝରର ସବୁ ପରିବାରକୁ ମିଳିବ ପାଇପ୍‌ ପାଣି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଗୁରୁବାର ଦିନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି। କେନ୍ଦୁଝର ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ‌କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଯୋଡ଼ିହୋଇ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରାଦେଶକୁ ବାଟ ଦେଖାଇଛି। ଏହାଦ୍ବାରା କେନ୍ଦୁଝର ଜିଲ୍ଲାର ୪ ଲକ୍ଷ ୨୦ ହଜାର ପରିବାର ଉପକୃତ ହେବେ‌। ସେହିପରି ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନିକୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଗରିବ ଲୋକେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟାରୁ ମୁକ୍ତ ହେବେ ବୋଲି ସେ କହିଥିଲେ। ଗରିବ ଲୋକେ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ ଜମିବାଡ଼ି ବିକିବାକୁ ବାଧ୍ୟ ହୁଅନ୍ତି। ପିଲାଙ୍କ ପାଠପଢ଼ା ବନ୍ଦ କରନ୍ତି। ବର୍ତ୍ତମାନ ଲୋକେ ବିନା କୌଣସି ଅସୁବିଧାରେ କାର୍ଡ ଜରିଆରେ ଦେଶର ୨୦୦ ବଡ଼ବଡ଼ ହସ୍ପିଟାଲରୁ ଉତ୍ତମ ଚିକିତ୍ସା ସେବା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ସମସ୍ତେ ସମ୍ମାନର ସହ ବଞ୍ଚିବେ। ଏହା ତାଙ୍କର ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମର ଲକ୍ଷ୍ୟ। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ବୋଲି ସେ କହିଥିଲେ। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶିଶୁଦିବସ ଅବସରରେ ୧୦୦ଟି ରୂପାନ୍ତରିତ ସ୍କୁଲ୍‌ର ଲୋକାର୍ପଣ ପାଇଁ ଖୁସିବ୍ୟକ୍ତ କରିଥିଲେ। ଏଥିପାଇଁ କାମ କରିଥିବା ଲୋକଙ୍କୁ ଧନ୍ୟବାଦ ଦେଇଥିଲେ। ଗୋଟିଏ ଦିନରେ ୧୦୦ଟି ସ୍କୁଲ୍‌ର ଲୋକାର୍ପଣ ସାରାରାଜ୍ୟରେ ଏକ ରେକର୍ଡ ବୋଲି ସେ କହିଥିଲେ।

ଏହି ଅବସର‌ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାରେ ୧୪୩୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କେନ୍ଦୁଝରକୁ ଏକ ସମୃଦ୍ଧ ଜିଲ୍ଲା ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ। ରାଜ୍ୟ ସରକାର ସ୍ବଚ୍ଛ ପିଇବା ପାଣି ଯୋଗାଣ ଉପରେ ଗୁରୁତ୍ବ ଦେଇଆସୁଛନ୍ତି। କେନ୍ଦୁଝରର ସବୁ ଗାଁ, ସହର ଓ ସବୁ ପରିବାରକୁ ଡିସେମ୍ବର ୨୦୨୨ ସୁଦ୍ଧା ପାଇପ୍‌ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ଜନଜାତି ଭାଇଭଉଣୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ୩୬ କୋଟି ଟଙ୍କାରେ ବୃହତ୍‌ କୁକୁଡ଼ା ପାଳନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ୩୦ ହଜାର ଜନଜାତି ଭାଇଭଉଣୀ ଉପକାର ପାଇବେ। ଏହି କାର୍ଯ୍ୟକ୍ରମ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର