ସୁବର୍ଣ୍ଣରେଖା ଓ ଦେଓ ସେଚ ପ୍ରକଳ୍ପର ଲୋକାର୍ପଣ: ଉପକୃତ ହେବେ ୩ ଜିଲ୍ଲାର ଅଢ଼େଇ ଲକ୍ଷ ଚାଷୀ

ସରକାରଙ୍କ ଦୀର୍ଘମିଆଦୀ ଯୋଜନା ଏବେ ସୁଫଳ ଦେଉଛି: ମୁଖ୍ୟମନ୍ତ୍ରୀ

ବାରିପଦା/କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା/ରାସଗୋବିନ୍ଦପୁର/ମାଣିଦା/ ଗାଁଅମର୍ଦ୍ଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ମୟୂରଭଞ୍ଜ ଗସ୍ତରେ ଆସି ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ତିନି ଜିଲ୍ଲାର ଅଢ଼େଇ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ସରକାରଙ୍କ ବିଭିନ୍ନ ଦୀର୍ଘମିଆଦୀ ଯୋଜନାର ସୁଫଳ ମିଳିବା ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି।

ରାସଗୋବିନ୍ଦପୁର ବ୍ଲକ୍‌ ଟିକପଦାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ (ଦେଓ ପ୍ରକଳ୍ପକୁ ଡିଜିଟାଲ୍‌ ମୋଡ୍‌ରେ) ଉଦ୍‌ଘାଟନ କରିଥିଲେ। ଏହି ଅବସ‌ରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଦୁଇ ପ୍ରକଳ୍ପଦ୍ବାରା ହଜାର ହଜାର ଚାଷୀଙ୍କର ବିକାଶ ହେବ। ଜନଜାତି ଭାଇଭଉଣୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଯେଉଁ ବିଭିନ୍ନ ଦୀର୍ଘମିଆଦି ଯୋଜନା କରିଛନ୍ତି, ସେସବୁର ସୁଫଳ ମିଳିବା ଆରମ୍ଭ ହେଲାଣି। ଶିକ୍ଷା ଓ ରୋଜଗାର ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ବି ବେଶ୍‌ ସଫଳ ହୋଇଛି। ଜନଜାତି ବର୍ଗର ପିଲାମାନେ ଆଜି ସେମାନଙ୍କ ଦକ୍ଷତା ବଳରେ ଦେଶ, ବିଦେଶରେ ସୁନାମ ଅର୍ଜନ କରିପାରୁଛନ୍ତି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶ ରାଜ୍ୟକୁ ସଶକ୍ତ କରିଛି। ୫-ଟି ଯୋଜନା‌ରେ ସ୍କୁଲଗୁଡ଼ିକର ରୂପାନ୍ତରଣ ଦ୍ବାରା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ଯେତେବେଳେ ମୟୂରଭଞ୍ଜର ପିଲାଟିଏ ଗାଁ ସ୍କୁଲରେ ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି, ସେତେବେଳେ ସାରାଓଡ଼ିଶା ଆଗକୁ ବଢ଼ିବାର ଚିତ୍ର ସ୍ପଷ୍ଟ ହେଉଛି। ମୟୂରଭଞ୍ଜର କଳା, ସଂସ୍କୃତିର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ସାରା ଭାରତରେ ମୟୂରଭଞ୍ଜର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏହି ଜିଲ୍ଲାର ଜନଜାତି ଭାଇଭଉଣୀମାନଙ୍କର ଏକ ସମୃଦ୍ଧ ପରମ୍ପରା ରହିଛି। ସେ ଗୌରବକୁ ଏ ମାଟିର ଝିଅ ମହାମହିମ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହୁରି ଋଦ୍ଧିମନ୍ତ କରିଛନ୍ତି। ତାଙ୍କ ପାଇଁ ଆଜି ଆମେ ସମସ୍ତେ ଗର୍ବିତ। ମୟୂରଭଞ୍ଜ ଆମ ରାଜ୍ୟର ଏକ ବଡ଼ ଓ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା। ରାଜ୍ୟର ବିକାଶରେ ମୟୂରଭଞ୍ଜର ସ୍ବତନ୍ତ୍ର ଅବଦାନ ରହିଛି। ତେଣୁ ଜିଲ୍ଲା ଓ ରାଜ୍ୟର ବିକାଶ ପାଇଁ ସମସ୍ତେ ହାତ ମିଳାଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ମୋରଡ଼ା ବିଧାୟକ ରାଜକିଶୋର ଦାସ, ବାଙ୍ଗରିପୋଷି ବିଧାୟକ ସୁଦାମ ମାରାଣ୍ଡି ଯୋଗଦେଇ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆଜି ତାଙ୍କୁ ଘରେ ଘରେ ଲୋକପ୍ରିୟ କରିଛି ବୋଲି କହିଥିଲେ। ମଞ୍ଚରେ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ସ୍ବାଗତ ଭାଷଣ ଦେଇଥିବାବେଳେ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଧନ୍ୟବାଦ ଅର୍ପଣ କରିଥିଲେ। ଚଳଚ୍ଚିତ୍ର ଅଭିନେତା ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ବିଜେଡିର ବହୁ ତୁଙ୍ଗ ନେତାଙ୍କ ସହ ୫ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଇନଶୃଙ୍ଖଳା ତଦାରଖ ପାଇଁ ଆଇଜି ନରସିଂହ ଭୋଳ ଓ ଏସ୍‌ପି ରିଷିକେଶ ଦ୍ୟାନଦେଓ ଖିଲାରୀଙ୍କ ତତ୍ତ୍ବାବଧାନରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ସେହିପରି, କରଞ୍ଜିଆ ବ୍ଲକ୍‌ ହାତୀବାରିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଳସେଚନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବା ଦେଓ ପ୍ରକଳ୍ପର ଫଳକକୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌, ରାଜ୍ୟସଭା ସାଂସଦ ମମତା ମହାନ୍ତ, କେନ୍ଦୁଝର ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ରହି ଏହି ପ୍ରକଳ୍ପ ଦ୍ବାରା କରଞ୍ଜିଆ ଓ କେନ୍ଦୁଝର ଜିଲ୍ଲା ସାହାରପଡ଼ା ଅଞ୍ଚଳର ଚାଷୀମାନେ ଆଉ ମରୁଡ଼ିର ଶିକାର ହେବେ ନାହିଁ ବୋଲି କହିଥିଲେ। ବିଭାଗୀୟ ମୁଖ୍ୟ ନିର୍ମାଣଯନ୍ତ୍ରୀ ବାଦଲ କୁମାର ସାହୁ, ଅଧୀକ୍ଷଣ ଯନ୍ତ୍ରୀ ଅଜୟ କୁମାର ଜେନା, କେନାଲ୍‌ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସୁରଜ କୁମାର ପାତ୍ର ଉପସ୍ଥିତ ଥିଲେ। ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବାବେଳେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଡ.ଚନ୍ଦ୍ରଶେଖର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଆଜି ଲୋକାର୍ପିତ ହୋଇଥିବା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ବାରା ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧୭ ହଜାର ୧୨୧ ହେକ୍ଟର ଚାଷଜମି ପାଇଁ ଜଳସେଚନ ସୁବିଧା ମିଳିବ। ଏହାଦ୍ବାରା ଉଭୟ ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ। ଏଥିପାଇଁ ୬୮୫ କୋଟି ଟଙ୍କା ବିନିଯୋଗ ହୋଇଛି। ସୁବର୍ଣ୍ଣରେଖା ବୃହତ୍‌ ଜଳସେଚନ ପ୍ରକଳ୍ପ ଦ୍ବାରା ସମୁଦାୟ ୭୦ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରହିଥିବାବେଳେ ଆଜି ସୁଦ୍ଧା ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳ‌ସେଚନ ସୁବିଧା ହୋଇପାରିଛି। ସେହିପରି କରଞ୍ଜିଆ ବ୍ଲକ୍‌ ଅନ୍ତର୍ଗତ ଦେଓ ଜଳସେଚନ ପ୍ରକଳ୍ପ ଦ୍ବାରା ଉଭୟ କେନ୍ଦୁଝର ଓ ମୟୂରଭଞ୍ଜର ପ୍ରାୟ ୧୦ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ଓ ୧୦୦ଟି ଗାଁର ୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ଏଥିନିମନ୍ତେ ହାତୀବାରିଠାରେ ଦେଓ ନଦୀ ଉପରେ ୮୨୩ କୋଟି ଟଙ୍କାରେ ବ୍ୟୟରେ ୧୨୮୦ ମିଟର ଦୈର୍ଘ୍ୟର ଏକ ବନ୍ଧ ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର