ଭୁବନେଶ୍ବର: ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ‘ସୁଭଦ୍ରା’ ଯୋଜନାର ୱେବ ପୋର୍ଟାଲର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ସୁଭଦ୍ରା ଯୋଜନା ସଂପର୍କିତ ସମସ୍ତ ତଥ୍ୟ ଏହି ୱେବ ପୋର୍ଟାଲରେ ଉପଲବ୍ଧ ରହିଛି। ତେଣୁ କୌଣସି ଜାଲି ୱେବସାଇଟ ଦ୍ବାରା ଭ୍ରମିତ ନ ହେବା ଲାଗି ଶ୍ରୀମତୀ ପରିଡ଼ା କହିଛନ୍ତି। 

Advertisment

ଏହି ୱେବ ପୋର୍ଟାଲର ଲିଙ୍କ ହେଉଛି www.subhadra.odisha.gov.in । ପୋର୍ଟାଲରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସୂଚନା ଦିଆଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ବ ସହ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଉଲ୍ଲେଖ ରହିଛି। ଯୋଜନା ସଂପର୍କିତ ଯେ କୌଣସି ପ୍ରଶ୍ନର ଉତ୍ତର ଏହି ପୋର୍ଟାଲରେ ମିଳିବ। ନୂଆ ଘୋଷଣା ସଂପର୍କରେ ମଧ୍ୟ ତଥ୍ୟ ପୋର୍ଟାଲରେ ଉପଲବ୍ଧ ହେବ। ଟୋଲ ଫ୍ରି ନମ୍ବର ୧୪୬୭୮ ଜାରି ହୋଇଥିବା ବେଳେ ଏହା ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ।

୧୭ରେ ମିଳିବ ଚଳିତବର୍ଷର ରାଖି ପୂର୍ଣ୍ଣିମା କିସ୍ତି 
ଜାଲି ୱେବ୍‌ସାଇଟ୍‌ ଦ୍ବାରା ଭ୍ରମିତ ହୁଅନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ
୪ ଅପରାହ୍‌ଣରୁ ଫର୍ମ ସଂଗ୍ରହ ଆରମ୍ଭ

ସୁଭଦ୍ରା ଯୋଜନାର ଫର୍ମ ସଂପୂର୍ଣ୍ଣ ମାଗଣାରେ ଯ‌ଥେଷ୍ଟ ପରିମାଣରେ ଉପଲବ୍ଧ ହେବ। ପୂରଣ ହୋଇଥିବା ଫର୍ମ ସହ ଆବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟଳୟରେ ଆସନ୍ତା ୪ ତାରିଖ ଅପରାହ୍‌ଣରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ଚଳିତବର୍ଷର ରାଖି ପୂର୍ଣ୍ଣିମା କିସ୍ତି ‌ଆସନ୍ତା ୧୭ ତାରିଖରେ ପ୍ରଦାନ କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅର୍ଥ ମିଳିଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ଉଲ୍ଲେଖ ଯେ ସୁଭଦ୍ରା ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୧୦ହଜାର ଟଙ୍କା ଦିଆଯିବ। ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ।