ଏସ୍‌ଟିଏ ପକ୍ଷରୁ ‘ବାହକ’ର ଶୁଭାରମ୍ଭ

ଭୁବନେଶ୍ବର : ପ୍ରତି ବର୍ଷ ଦେଶରେ ସଡ଼କ ଦୁର୍ଘଟଣା ଯୋଗୁଁ ଦେଢ଼ ଲକ୍ଷ‌ ଲୋକ ପ୍ରାଣ ହରାଉଛନ୍ତି। ଯାହାକି ୨୦୧୫ ସୁନାମି ସହ ସମାନ। ସଡ଼କ ଦୁର୍ଘଟଣା ଆମ ପରିବାର ଏବଂ ଅର୍ଥନୀତି ଉପରର ଗୁରୁତର ପ୍ରଭାବ ପକାଉଛି। ଆଜି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଛତିଆ ଏଚଏମଭି ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ଭାରୀଯାନ ଚାଳକଙ୍କ ପାଇଁ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମ ‘ବାହକ’କୁ ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ଉଦ୍‌ଘାଟନ କରି ଏହା କହିଛନ୍ତି।

ସେହିପରି ଲକ୍‌ଡାଉନ ସମୟରରେ ଡ୍ରାଇଭରଙ୍କ ଉଦ୍ୟମକୁ ଶ୍ରୀ ବାଗଚି ପ୍ରଶଂସା କରିଥିଲେ। ପରିବହନ କମିସନର ଅରୁଣ ବୋଥ୍ରା କହିଛନ୍ତି, ଭାରତରେ ଏଚଏମଭି ଡ୍ରାଇଭରଙ୍କ ପାଇଁ କୌଣସି ଆନୁଷ୍ଠାନିକ ତାଲିମ ନାହିଁ। ଦେଶର ସୀମିତ ଏଚଏମଭି ଡ୍ରାଇଭର ଟ୍ରେନିଂ ଟ୍ରାକ୍‌ ଅଛି। ଏହି ଅସୁବିଧାକୁ ଦୂର କରିବା ସହ ଡ୍ରାଇଭରଙ୍କ ଦକ୍ଷତା ବୃଦ୍ଧିପାଇଁ ‘ବାହକ’ କଳ୍ପନା କରାଯାଇଛି ବୋଲି କହିଥିଲେ। ପ୍ରଥମ ପର୍ଯ୍ୟାୟରେ ଓଏମ୍‌ସିର ଏକ ହଜାର ଡ୍ରାଇଭରଙ୍କୁ ତାଲିମ ଦିଆଯିବ। ଏହି ସମୟରେ ଡ୍ରାଇଭରମାନଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ଦିଆଯିବ। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଏମ୍‌ସିର ଆଲେକ କୁମାର ପାଲ(ନିର୍ଦେଶକ ପର୍ସନାଲ୍‌), ଏସ୍‌ଟିଏର ଆକ୍ଟ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ନୀତିଶେଖର, ଆରକ୍ଷୀ ଅଧିକାରୀ ରାହୁଲ ପି ଆର ଏବିଂ ପି ମହମ୍ମଦ ଅଲି ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ସାଦିକ ହୁସେନ ସୟିଦ ଧନ୍ୟବାଦ ଦେଇଥ‌ିଲେ।

ସମ୍ବନ୍ଧିତ ଖବର