‘ବିଲ୍ଡ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ମୋ ସ୍କୁଲ ଓ ମୋ କଲେଜ ଅଭିଯାନରେ ସାମିଲ ହେବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର : ଏଣିକି ପ୍ରବାସୀ ଓଡ଼ିଆ ଭାଇଭଉଣୀମାନେ ବି ଓଡ଼ିଶାର ଯେକୌଣସି ବିଦ୍ୟାଳୟ ବା କଲେଜରେ ପାଠାଗାର, କ୍ରୀଡ଼ା ଭିତ୍ତିଭୂମି ତଥା ଅନୁଷ୍ଠାନର ଅନ୍ୟାନ ସାମଗ୍ରିକ ବିକାଶ ପାଇଁ ଆର୍ଥିକ, ବୌଦ୍ଧିକ, ମାନସିକ ତଥା ଶାରୀରିକ ଅବଦାନ ରଖି ପାରିବେ। ଏଥିପାଇଁ ବିଲ୍‌ଡ ଓଡ଼ିଶା ନାମକ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ଗତକାଲି ଅନ୍‌ଲାଇନ୍ ଯୋଗେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ବର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବିଶିଷ୍ଟ ଓଡ଼ିଆ ବ୍ୟକ୍ତିତ୍ବମାନେ ଯୋଗ ଦେଇ ଏ ବାବଦରେ ବିଶଦ୍‌ ଆଲୋଚନା କରିଥିଲେ। ଆମେରିକାସ୍ଥିତ ଇ-ଗୁରୁକୁଳ ସଂଗଠନର ନିର୍ଦ୍ଦେଶିକା ତଥା ଓଡ଼ିଶା ସୋସାଇଟି ଅଫ୍‌ ଆମେରିକାର ପୂର୍ବତନ ଅଧ୍ୟକ୍ଷା କୁକୁ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ୱେବିନାର୍‌ରେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଓ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ଅତିଥି ଭାବରେ ଯୋଗ ଦେଇ ପ୍ରବାସୀ ଓଡ଼ିଆମାନଙ୍କ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଶ୍ରୀମତୀ ଦାସ ଅବଗତ କରାଇଥିବା ବେଳେ ଆମେରିକାରୁ ଉତ୍କଳ ନାୟକ ଏହାର ଉଦ୍ଦେଶ୍ୟ, ବ୍ୟବସ୍ଥା ଓ ପରିଚାଳନା ସମ୍ପର୍କିତ ଡିଜିଟାଲ ଉପସ୍ଥାପନା ରଖିଥିଲେ। କାର୍ଯ୍ୟକ୍ରମକୁ ଗ୍ଲୋବାଲ ଓଡିଆ ଡାୟସ୍ପୋରା ମାଧ୍ୟମରେ କିପରି ପରିଚାଳନା କରାଯିବ, ତାହା ବାହାରିନ୍‌ ଓଡ଼ିଆ ସମାଜର ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆମେରିକାରୁ ଡ. ଶୀତିକଣ୍ଠ ଦାସ, ଅଜୟ ମହାନ୍ତି, କତାରରୁ ବିଦ୍ୟା ମହାନ୍ତି, ଲଣ୍ଡନରୁ ସୁସ୍ମିତା ରାଜହଂସ, ମାଲେସିଆରୁ ଦୀପ୍ତିରଞ୍ଜନ ନନ୍ଦ, କୁଏତରୁ ସଂଜୀବ ବାରିକ, ସିଙ୍ଗାପୁରରୁ ସଂଜୀବ ପଣ୍ଡା, ଜାପାନରୁ କୁନା ଦାସ, ଦୁର୍ଗା ମିଶ୍ର, ଡ. ଅଞ୍ଜଳି ପଟ୍ଟନାୟକ, ଶ୍ଵେତପଦ୍ମା ଦାସ, ନମ୍ରତା ପଟ୍ଟନାୟକ, ଭୁବନେଶ୍ବରରୁ ନୀଳାମ୍ବର ରଥ, ବେଙ୍ଗାଲୁରୁରୁ ମନୋଜ ପାତ୍ର, ନୂଆଦିଲ୍ଲୀରୁ ଉଦୟନାଥ ସାହୁ, ମୋନିକା ଦାସ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପ୍ରଗତି ପାଇଁ ନିଜ ତରଫରୁ ଚେଷ୍ଟା କରିବ‌େ ବୋଲି କହିଥିଲେ।

ମୋ ସ୍କୁଲ ଓ ମୋ କଲେଜ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ବିଦ୍ୟାଳୟ ଓ କଲେଜର ସର୍ବାଙ୍ଗୀନ ଉନ୍ନତିରେ ଭାଗୀଦାରି ହେବାର ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ’ର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ କୃତଜ୍ଞତା ଜ୍ଞାପନ କରିବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଆ ଭାଇଭଉଣୀଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର