ଅଭିନବ ଲ୍ୟାଣ୍ଡ୍‌ ପାର୍ସଲ୍‌ ଚିହ୍ନଟ ନମ୍ବର ପୋର୍ଟାଲ୍‌ର ଶୁଭାରମ୍ଭ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ପକ୍ଷରୁ ଜମିଜମା ସମ୍ପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୂଚନା ଆଧାରିତ ଅଭିନବ ଲ୍ୟାଣ୍ଡ୍‌ ପାର୍ସଲ୍‌ ଚିହ୍ନଟ ନମ୍ବର(ଅଲ୍‌ପିନ୍‌) ପୋର୍ଟାଲ୍‌ର ଶୁଭାରମ୍ଭ ହୋଇଛି। ଆଜି ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଭୂସମ୍ପଦ ବିଭାଗର ସଚିବ ଅଜୟ ତିର୍କୀଙ୍କ ଉପସ୍ଥିତିରେ ପୋର୍ଟାଲ୍‌ର ଆରମ୍ଭ କରାଯାଇଥିଲା।

୧୪ ସଂଖ୍ୟା ବିଶିଷ୍ଟ ଅଭିନବ ଲ୍ୟାଣ୍ଡ ପାର୍ସଲ୍‌ ଚିହ୍ନଟ ନମ୍ବର ପୋର୍ଟାଲ୍‌ ମାଧ୍ୟମରେ କୌଣସି ଜମିଜମା ବା ଭୂସମ୍ପତ୍ତି ସମ୍ପର୍କିତ ସୂଚନା ମିଳିପାରିବ। ଏଥିରୁ ଜମି ମାଲିକଙ୍କ ସମ୍ପର୍କରେ ସୂଚନା ମିଳିବା ସହିତ ମାଲିକାନା ସମ୍ପର୍କିତ ସନ୍ଦେହ ଦୂର ହୋଇପାରିବ। ସରକାରୀ ଜମିର ସୁରକ୍ଷା ସହିତ ସେଗୁଡ଼ିକୁ ଠିକ୍ ଭାବେ ଚିହ୍ନଟ କରାଯାଇପାରିବ ଓ ଜମିଜମା ସମ୍ପର୍କିତ ଡାଟା ବିଶ୍ଲେଷଣ ହୋଇପାରିବ। ଓଡ଼ିଶାରେ ଏହି ପୋର୍ଟାଲ୍‌ ଏକ ପାଇଲଟ୍‌ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଛି। ଦେବଗଡ଼ ଜିଲ୍ଲାର ତିନିଟି ଗ୍ରାମ ବଡ଼ଖଣ୍ଡିଆ, କଣ୍ଡେଇଜୋର(ଦେବଗଡ଼ ତହସିଲ୍‌) ଏବଂ ବରଖୋଲ(ରିଆମାଳ ତହସିଲ୍‌)କୁ ଏହି ପାଇଲଟ୍‌ ପ୍ରକଳ୍ପରେ ସାମିଲ କରାଯାଇଛି। ବେଳେବେଳେ ଚାଷୀମାନେ ଋଣ ପାଇଁ ଜମି ବନ୍ଧକ ରଖୁଥିଲା ବେଳେ ଏହି ପୋର୍ଟାଲ୍‌ରୁ ଜମି ସମ୍ପର୍କିତ ତଥ୍ୟ ସ୍ପଷ୍ଟ ହୋଇପାରିବ। ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ଶୈଳେନ୍ଦ୍ର ଦ୍ବିବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଲ୍ୟାଣ୍ଡ୍‌ ରେକର୍ଡ ଓ ସେଟେଲ୍‌ମେଣ୍ଟ୍‌ ନିର୍ଦ୍ଦେଶକ ଶ୍ରୀଧର ନାୟକ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର