‘ନୂତନ ଶିକ୍ଷାନୀତି ଜାଗରଣ ଅଭିଯାନ’ ପ୍ରତିଯୋଗିତାର ଶୁଭାରମ୍ଭ

ଭୁବନେଶ୍ୱର : ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶା ପକ୍ଷରୁ ‘ନୂତନ ଶିକ୍ଷାନୀତି ଜାଗରଣ ଅଭିଯାନ’ ପ୍ରତିଯୋଗିତାର ୱେବ୍‌ସାଇଟ୍‌ www.mynep.in ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଆଜି ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ରାଜ୍ୟପାଳ ଜାତୀୟ ଶିକ୍ଷାନୀତିକୁ ପ୍ରଶଂସା କରିବା ସହ ଶିକ୍ଷା କ୍ଷେତ୍ରରେ ପ୍ରାଚ୍ୟ ଦେଶରେ ହେଉଥିବା ଏହି ସୂର୍ଯ୍ୟୋଦୟ ସାରା ବିଶ୍ୱକୁ ଆଲୋକିତ କରିବ ବୋଲି ମତବ୍ୟକ୍ତ କରିଥିଲେ। ଜାତୀୟ ଶିକ୍ଷାନୀତି-୨୦୨୦ ନିମନ୍ତେ ଆରମ୍ଭ ହୋଇଥିବା ଏହି ଜନଜାଗରଣ ପାଇଁ ବିଦ୍ୟାଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଉଦ୍ୟମକୁ ପ୍ରଶଂସା କରିଥିଲେ।

ସେପ୍ଟେମ୍ବର ୧୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନରେ ଏହି ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୫ ତଥା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀଠାରୁ ଅକ୍ଟୋବର ୨ ମହାତ୍ମା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଅନଲାଇନ୍‌ ମାଧ୍ୟମରେ ସୋସିଆଲ ମିଡିଆ ଓ www.mynep.in ରେ ପ୍ରତିଯୋଗିତାମାନ ଆୟୋଜିତ ହେବ। ପ୍ରତିଯୋଗିତାକୁ ତିନୋଟି ଶ୍ରେଣୀ ଯଥା ନବମରୁ ଦ୍ୱାଦଶ ଶ୍ରେଣୀ, ସ୍ନାତକ ଓ ନାଗରିକ ଶ୍ରେଣୀରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଶ୍ରେଣୀରେ ବିଜେତାକୁ ପୁରସ୍କାର ପ୍ରଦାନ କରାଯିବ ଏବଂ ପ୍ରତ୍ୟେକ ପ୍ରତିଯୋଗୀକୁ ଏକ ଯୋଗଦାନ ପ୍ରମାଣପତ୍ର ଦିଆଯିବ। ପ୍ରତିଯୋଗିତାରେ ହସ୍ତ ନିର୍ମିତ ପେଣ୍ଟିଂ, ମିମ୍‌-ମେକିଂ, ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲିଖନ, ଭାଷଣ ପ୍ରତିଯୋଗିତା, ନିବନ୍ଧ ଲିଖନ ପ୍ରତିଯୋଗିତା, ଲଘୁ ଫିଲ୍ମ ନିର୍ମାଣ, ଡିଜିଟାଲ ଡିଜାଇନିଂ ଓ ଟ୍ୱିଟର ଥ୍ରେଡ ରଚନା ପରି ପ୍ରତିଯୋଗିତା ଆୟୋଜିତ ହେବ। ଏହି ଶ୍ରେଣୀ ବିଶିଷ୍ଟ ପ୍ରତିଯୋଗିତା ବ୍ୟତୀତ ରାଷ୍ଟ୍ରୀୟ ଶିକ୍ଷାନୀତିର ବିଭିନ୍ନ ବିଭାଗ ଉପରେ ଜ୍ଞାନବର୍ଦ୍ଧକ କୁଇଜ୍ ମଧ୍ୟ ଅନଲାଇନ୍‌ ଦ୍ୱାରା ଆୟୋଜିତ ହେବ। ଅକ୍ଟୋବର ୫ରେ ବିଜେତାଙ୍କ ନାମର ଘୋଷଣା କରାଯିବ।

ସମ୍ବନ୍ଧିତ ଖବର