ଆର୍‌ଟିଇ ପାରଦର୍ଶୀ ଅନ୍‌ଲାଇନ୍‌ ପୋର୍ଟାଲର ଶୁଭାରମ୍ଭ : ଘରୋଇ ସ୍କୁଲରେ ପଢ଼ିବେ ଗରିବ ପିଲା

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପକ୍ଷରୁ ଶିକ୍ଷା ଅଧିକାର ଆଇନ(ଆରଟିଇ) ପାରଦର୍ଶୀ ଅନ୍‌ଲାଇନ୍‌ ପୋର୍ଟାଲ୍‌ର ଶୁଭାରମ୍ଭ ହୋଇଛି। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପୋର୍ଟାଲ୍‌କୁ ଉଦ୍‌ଘାଟନ କରି କହିଲେ ଯେ ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନଗ୍ରସର ବର୍ଗ ତଥା ଆର୍ଥିକସ୍ତରରେ ଦୁର୍ବଳ ଶ୍ରେଣୀର ପିଲାଙ୍କ ନାମଲେଖା କରାଇବେ। ପ୍ରବେଶ ଶ୍ରେଣୀର ମୋଟ୍‌ ସିଟ୍‌ ମଧ୍ୟରୁ ୨୫ ପ୍ରତିଶତ ସଂରକ୍ଷିତ ସିଟ୍‌ରେ ନାମଲେଖା କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଫ୍‌ଲାଇନ୍‌ ମୋଡ୍‌ରେ ଏହି ପ୍ରକ୍ରିୟା କରୁଥିଲା। କିନ୍ତୁ ୨୦୨୧-୨୨ ଶିକ୍ଷାବର୍ଷରୁ ଏହା ରାଜ୍ୟ ସରକାରଙ୍କ ୫-‘ଟି’ ପଦକ୍ଷେପର ଏକ ଅଂଶ ଭାବେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଅନ୍‌ଲାଇନ୍‌ ପ୍ରକ୍ରିୟାକୁ ସ୍ଥାନାନ୍ତରିତ ହୋଇଛି। ଏବେଠାରୁ ୨୫ ପ୍ରତିଶତ ସଂରକ୍ଷିତ ସିଟ୍‌ ନାମଲେଖା ପ୍ରକ୍ରିୟା ଅନ୍‌ଲାଇନ୍‌ ଆର୍‌ଟିଇ ପାରଦର୍ଶୀ ପୋର୍ଟାଲ www.rteparadarshi.odisha.gov.in ମାଧ୍ୟମରେ କାର୍ଯ୍ୟକାରୀ ହେବ।

ଏହି ନୂତନ ପ୍ରକ୍ରିୟାରେ ସମସ୍ତ ବେସରକାରୀ ବିଦ୍ୟାଳୟ(ଯେଉଁମାନେ ଓଡ଼ିଶା ସରକାରଙ୍କଠାରୁ ସ୍ୱୀକୃତି ସାର୍ଟିଫିକେଟ୍‌ ପାଇଛନ୍ତି)ଗୁଡ଼ିକ ନିଜକୁ ଏହି ପୋର୍ଟାଲ୍‌ରେ ପଞ୍ଜୀକୃତ କରିବାକୁ ପଡ଼ିବ। ଏହାପରେ ଯୋଗ୍ୟ ଛାତ୍ରଛାତ୍ରୀ ସମାନ ପୋର୍ଟାଲରେ ଥିବା ନିକଟସ୍ଥ ବିଦ୍ୟାଳୟରେ ଆବେଦନ କରିବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନ୍‌ଲାଇନ୍‌ ଆବେଦନ ପରେ ସମ୍ପୃକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ହାର୍ଡକପି ଡକ୍ୟୁମେଣ୍ଟ/ଯୋଗ୍ୟତା ଯାଞ୍ଚ କରିବେ। ଲଟେରି ବିଜେତା ପିଲାମାନେ ବିଦ୍ୟାଳୟରେ ସିଧାସଳଖ ନାମଲେଖା ପାଇଁ ସୁଯୋଗ ପାଇବେ, ଯହାକି ଅଷ୍ଟମ ଶ୍ରେଣୀ ଶିକ୍ଷା ସମାପ୍ତ କରିବା ପର୍ଯ୍ୟନ୍ତ ଲାଗୁ ହେବ। ଏହି ୨୫ ପ୍ରତିଶତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ଶୁଳ୍କ ଲାଗୁ କରିବାକୁ କୌଣସି ଘରୋଇ ବିଦ୍ୟାଳୟ ଯୋଗ୍ୟ ହେବେ ନାହିଁ।

ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ଏହା ଘରୋଇ ବିଦ୍ୟାଳୟରୁ ବଞ୍ଚିତ ପିଲାଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ କୋଟା ଅଧୀନରେ ସମ୍ପୂର୍ଣ୍ଣ ନାମଲେଖା ପ୍ରକ୍ରିୟାକୁ ସରଳ କରିବ। ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ମଧ୍ୟ ବୃଦ୍ଧି କରିବ। ଅନ୍‌ଲାଇନ୍‌ ବ୍ୟବସ୍ଥା ଗଣଶିକ୍ଷା ବିଭାଗ, ବେସରକାରୀ ବିଦ୍ୟାଳୟ ସମେତ ସମସ୍ତ ହିତାଧିକାରୀଙ୍କ ପାଇଁ ଲାଭଦାୟକ ହେବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ୦୮୦-୪୫୬୮୩୩୫୫ ହେଲ୍‌ପଲାଇନ୍‌ ନମ୍ବର ଜାରି କରିଛନ୍ତି। ଯେଉଁଥିରେ କୌଣସି ସାହାଯ୍ୟ ଆବଶ୍ୟକ ହେଲେ ଛାତ୍ରଛାତ୍ରୀ, ଅଭିଭାବକ ମିସ୍‌ କଲ୍‌ ଦେଇପାରିବେ।

ଶୁଭାରମ୍ଭ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି, ଯୁଗ୍ମ ନିର୍ଦେଶିକା ପ୍ରୀତି ପ୍ରତିମା ଭୋଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର