ଏମ୍‌ଜିଏନ୍‌ଏଫ୍‌ର ଦ୍ବିତୀୟ ପର୍ଯ୍ୟାୟ ଶୁଭାରମ୍ଭ: ଯୁବପିଢ଼ିଙ୍କୁ ଦକ୍ଷତା ବିକାଶରେ ସାମାଜିକ ପରିବର୍ତନର ଅଗ୍ରଦୂତ ହେବାକୁ ପଡ଼ିବ

ଭୁବନେଶ୍ବର : ମହାତ୍ମା ଗାନ୍ଧୀ ଜାତୀୟ ଛାତ୍ରବୃତ୍ତି(ଏମ୍‌ଜିଏନ୍‌ଏଫ୍‌)ର ଦ୍ବିତୀୟ ପର୍ଯ୍ୟାୟ ଶୁଭାରମ୍ଭ ହୋଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଏହାର ଶୁଭାରମ୍ଭ କରି କହିଲେ ଛାତ୍ର ବୃତ୍ତିଧାରୀ ତଥା ଯୁବପିଢିଙ୍କୁ ଦକ୍ଷତା ବିକାଶରେ ତୃଣମୂଳସ୍ତରରୁ ସାମାଜିକ ପରିବର୍ତନର ଅଗ୍ରଦୂତ ହେବାକୁ ପଡ଼ିବ। ଏହି ବୃତ୍ତିର ଉଦ୍ଦେଶ୍ୟ ହେଉଛି ଜିଲ୍ଲାସ୍ତରରେ ଦକ୍ଷତା ବିକାଶରେ ସହଯୋଗୀ ହେବା। ଏଥିପାଇଁ ପୂର୍ବରୁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ମ୍ୟାନେଜମେଣ୍ଟ‌(ଆଇଆଇଏମ) ସହ ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୬ଟି ରାଜ୍ୟର ୬୯ଟି ଜିଲ୍ଲାରେ ୬୯ଜଣ ବୃତ୍ତିଧାରୀଙ୍କୁ ନିୟୋଜିତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ସମସ୍ତ ଜିଲ୍ଲାରେ ଅଧିକ ୬୬୧ ବୃତ୍ତିଧାରୀ ଅର୍ଥାତ୍ ମୋଟ ୭୩୦ ମହାତ୍ମା ଗାନ୍ଧୀ ଜାତୀୟ ବୃତ୍ତିଧାରୀ ନିୟୋଜିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁ ଆଇଆଇଏମ ସହଯୋଗରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୮ଟି ଆଇଆଇଏମ୍‌କୁ ସଂଯୋଗ କରାଯାଇଛି। ମହାତ୍ମା ଗାନ୍ଧୀ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ଶାସନ ବ୍ୟବସ୍ଥା ଓ ନୀତି ସହ ଧନ୍ଦାମୂଳକ ଶିକ୍ଷା ବିଷୟରେ ଅବଗତ ଥିବା ବୃତ୍ତିଧାରୀ ବ୍ୟକ୍ତିବିଶେଷଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତ ଦିଗରେ ଆମେ ଅଗ୍ରସର ହେଉଛୁ। ବିଭିନ୍ନ କ୍ଷେତ୍ରରେ ହେଉଥିବା ଅଭୂତପୂର୍ବ ପରିବର୍ତନ ଅଧିକ କୁଶଳୀ ବୃତ୍ତିଗତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ। ଜିଲ୍ଲାସ୍ତରରେ ଦକ୍ଷତା ମ୍ୟାପିଂ ଓ ସେହି ଅନୁସାରେ ଦକ୍ଷତା ବିକାଶ ପ୍ରୟାସକୁ ଦିଶାନିର୍ଦ୍ଦେଶ ଦେବ। ଏକବିଂଶ ଶତାବ୍ଦୀର ଆବଶ୍ୟକତା ଓ ସ୍ଥାନୀୟ ବିଷୟକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ ଛାତ୍ରବୃତ୍ତି ପାଉଥିବା ବ୍ୟକ୍ତିବିଶେଷଙ୍କୁ ବୈଶ୍ୱିକ ଚିନ୍ତାଧାରା ଓ ସ୍ଥାନୀୟ ଆଭିମୁଖ୍ୟ ସହ ଦକ୍ଷତା ବିକାଶର ପ୍ରୟାସରେ ଆଞ୍ଚଳିକ ଭାଷାକୁ ଏକତ୍ରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ବୃତ୍ତି ମାଧ୍ୟମରେ ଜିଲ୍ଲାସ୍ତରରେ ଓ ଆଇଆଇଏମ ସମାଜରେ ପରିବର୍ତନ ଓ ସଫଳତାର କାହାଣୀ ତିଆରି କରିବାରେ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଜାତୀୟ ଶିକ୍ଷା ନୀତି-୨୦୨୦ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଆଇଆଇଏମକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର