‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ, ଇଞ୍ଜିନିୟରିଂ ଓ ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ମିଳିବ ମାଗଣା କୋଚିଂ

ଭୁବନେଶ୍ୱର : ଏଣିକି ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ଜଣ ଅନୁସୂଚିତ ଜନଜାତି ଓ ଜାତିର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶ ପରୀକ୍ଷା ନିମନ୍ତେ ମାଗଣାରେ କୋଚିଂ ଦିଆ‌ଯିବ। ଏଥିପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସୋମବାର ଭର୍ଚୁଆଲ ମୋଡରେ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ ହୋଇଛି।

ଏହି ଛାତ୍ର ପ୍ରୋତ୍ସାହନ ଯୋଜନା ଦ୍ବାରା ଦଶମ ଶ୍ରେଣୀର ମେଧାବୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ତରୁଣ ବୟସରୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅନ୍ତର୍ଭୁକ୍ତିକରଣ ଆଭିମୁଖ୍ୟ ମାଧ୍ୟମରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିବେଶରେ କୋଚିଂ ପ୍ରଦାନ କରାଯିବ। ଏଥିପାଇଁ ଆଜି ମନୋନୀତ କୋଚିଂ ଏଜେନ୍ସି ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହି ଏଜେନ୍ସିଗୁଡ଼ିକ ପ୍ର‌େତ୍ୟକ୍ଷ ଭାବେ ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ପ୍ରଦାନ କରିବେ ଓ ମନୋନୀତ ଛାତ୍ରଛାତ୍ରୀଙ୍କୁ ୭ଟି ଉତ୍କର୍ଷ କେନ୍ଦ୍ରରେ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଦେବେ। ଚଳିତବର୍ଷର ମନୋନୀତ ଛାତ୍ରଛାତ୍ରୀମାନେ ୨୦୨୩ ବର୍ଷର ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଏବେ ରାଜ୍ୟର ୧୪ଟି ଜିଲ୍ଲାରେ ବିଭାଗ ଦ୍ବାରା ପରିଚାଳିତ ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ପ୍ରତ୍ୟେକ ବର୍ଷ ୩୦ହଜାରରୁ ଅଧିକ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଛାତ୍ରଛାତ୍ରୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଦେଇଥାନ୍ତି। ଏହି ‌େଯାଜନାରେ ଯେଉଁମାନଙ୍କୁ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରାଯିବ ସେମାନଙ୍କୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ହାଇସ୍କୁଲର ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମେଧା ଭିତ୍ତିରେ ଚୟନ କରାଯିବ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ନିମନ୍ତେ ସାଂସଦ ପାଣ୍ଠିରୁ ୨୦୦ଟି ଟାବଲେଟ୍‌ ପ୍ରଦାନ କରିଥିଲେ। ଏଥିରେ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ଆଇଟିଡିଏ ପ୍ରକଳ୍ପ ଅଧିକାରୀବୃନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀବୃନ୍ଦ, ଛାତ୍ରଛାତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର