‘ପ୍ୟାରିସ୍ ଅନ୍ତରାଷ୍ଟ୍ରୀୟ ପୁସ୍ତକ ମେଳା-୨୦୨୨’ ଗତ ୨୧ ତାରିଖ ସଂଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଭାରତୀୟ ରାଷ୍ଟ୍ରଦୂତ ଜାଭେଦ ଅସରାଫ କହିଥିଲେ, ଭାରତ ଓ ଫ୍ରାନ୍ସ ଭିତରେ ଥିବା ସମ୍ପର୍କ ବହୁ ପୁରୁଣା। ସାହିତ୍ୟ ଓ ସଂସ୍କୃତି ଏହାକୁ ଦୃଢ଼ କରିବାରେ ସହାୟକ ହୋଇଛି। ଜାଭେଦ ଅସରଫ୍ ପୁସ୍ତକ ମେଳାରେ ‘ଭାରତ ପ୍ୟାଭିଲିୟନ୍’ ଉଦ୍ଘାଟନ କରି ଆହୁରି ମଧ୍ୟ କହିଥିଲେ, ଚଳିତ ବର୍ଷର ଏହି ପୁସ୍ତକ ମେଳାରେ ଭାରତର ବିଶିଷ୍ଟ ଲେଖକ/ଲେଖିକାମାନେ ଅଂଶଗ୍ରହଣ କରିବା ଉଲ୍ଲେଖନୀୟ ଘଟଣା। ପ୍ୟାରିସ୍ ପୁସ୍ତକ ମେଳାର ଅଧ୍ୟକ୍ଷ ଭିନସେଣ୍ଟ୍ ମଣ୍ଟେନ୍ କହିଥିଲେ, ଭାରତର ବିଶାଳ ସାହିତ୍ୟକୁ ବୁଝିବା ଏତେ ସହଜ ନୁହେଁ। ସେ ଏହି ଅବସରରେ ଭାରତୀୟ ପ୍ରତିନିଧିମଣ୍ଡଳୀକୁ ପୁସ୍ତକ ମେଳାକୁ ସ୍ବାଗତ କରିବା ସହ ଭାରତୀୟ ଅବିଶ୍ବସନୀୟ ପ୍ରାଚୁର୍ଯ୍ୟଭରା ସାହିତ୍ୟକୁ ମେଳାକୁ ଆଣି ଏହାକୁ ଅଧିକ ଅର୍ଥପୂର୍ଣ୍ଣ କରିଥିବାରୁ କୃତଜ୍ଞତା ଜଣାଇଥିଲେ।
ଏହାଦ୍ବାରା ଭାରତୀୟ ସାହିତ୍ୟର ବିବିଧତା, ସାଂସ୍କୃତିକ ଐତିହ୍ୟ ଫ୍ରାନ୍ସ ପାଠକଙ୍କ ପାଇଁ ଏକ ନୂତନ ଅନୁଭୂତି ହେବ। ଏହା ଦୁଇ ଦେଶ ମଧ୍ୟରେ ସାହିତ୍ୟ ଓ ସଂସ୍କୃତିର ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଥିଲେ। ଏହି ଉତ୍ସବରେ ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନିନ୍, ଏନ୍ବିଟି(ନ୍ୟାସ୍ନାଲ୍ ବୁକ୍ ଟ୍ରଷ୍ଟ୍, ଭାରତ)ର ଅଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଶର୍ମା ଓ ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଏଭଳି ଏକ ଅବକାଶ ସୃଷ୍ଟି ପାଇଁ ଏନ୍ବିଟିର ଅଧ୍ୟକ୍ଷ ଶ୍ରୀ ଶର୍ମା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ପ୍ୟାରିସ ପୁସ୍ତକମେଳାରେ ଭାରତ ସମ୍ମାନିତ ରାଷ୍ଟ୍ର ଭାବେ ଆମନ୍ତ୍ରିତ ହୋଇଛି। ସଭା ପରେ ଭାରତର ବିଖ୍ୟାତ ଲୋକନୃତ୍ୟ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ପ୍ରଦର୍ଶନୀ ଆସନ୍ତା ୨୪ ତାରିଖରେ ଉଦ୍ଯାପିତ ହେବ।