ବୁର୍ଲା: ବୁର୍ଲା ଭିମସାର୍‌ର ଆସିଷ୍ଟାଣ୍ଟ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀଙ୍କ ବହୁଚର୍ଚ୍ଚିତ ଟଙ୍କିକିଆ କ୍ଲିନିକ୍‌କୁ ଇତିମଧ୍ୟରେ ୧ ବର୍ଷ ପୂରି ଯାଇଛି। ଏହି ଅବସରରେ ଡା. ରାମଚନ୍ଦାନୀ ନିଜ କ୍ଲିନିକ୍‌ ସହ ଟଙ୍କିକିଆ ଔଷଧ ସେବା କେନ୍ଦ୍ରକୁ ଯୋଡ଼ିଛନ୍ତି। ଡା. ରାମଚନ୍ଦାନୀ ନିଜ ମାଆଙ୍କ ନାମରେ ଆରମ୍ଭ କରିଥିବା ଏହି ଲାଜବନ୍ତୀ ଔଷଧ ସେବା କେନ୍ଦ୍ରକୁ ବୁର୍ଲା ଅଟାଚକିପଡ଼ାର ମଙ୍ଗଳୁ ନିସାନ୍ ନାମକ ଜଣେ ବୃଦ୍ଧ ରୋଗୀ ଉଦ୍‌ଘାଟନ କରିଥିଲେ। ତାଙ୍କ ପାଖକୁ ଆସୁଥିବା ଅତ୍ୟନ୍ତ ଗରିବ, ବୟସ୍କ, ଦିବ୍ୟାଙ୍ଗ ଓ ଦୁର୍ବଳ ଶ୍ରେଣୀର ରୋଗୀଙ୍କୁ ସେ ଏହି ଔଷଧ ସେବା କେନ୍ଦ୍ରରୁ ୧ ଟଙ୍କା ମୂଲ୍ୟରେ ‌ଔଷଧ ପ୍ରଦାନ କରିବେ ବୋଲି ଡା. ରାମଚନ୍ଦାନୀ କହିଛନ୍ତି।

Advertisment

ପ୍ରାରମ୍ଭିକ ପର୍ଯ୍ୟାୟରେ ରକ୍ତଚାପ, ମଧୁମେହ, ଥାଏରଏଡ୍‌, ବାତ, ଜ୍ୱର, କାଶ, ଥଣ୍ଡା  ଆଦି ରୋଗର ଜରୁରୀ ଔଷଧ ସହ ଏହି ସେବା କେନ୍ଦ୍ର ଆରମ୍ଭ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ନିଜର ଶକ୍ତି ସାମର୍ଥ୍ୟ ଅନୁଯାୟୀ ଆହୁରି ଅନ୍ୟାନ୍ୟ ‌ଜରୁରୀ ଔଷଧ ଗୁଡ଼ିକ ରଖିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି। ଜ‌ନୌଷଧି କେନ୍ଦ୍ରରୁ କମ୍ ମୂଲ୍ୟରେ ଔଷଧ କିଣି ‌ଏହି କେନ୍ଦ୍ର ଜରିଆରେ ଗରିବ ରୋଗୀଙ୍କୁ ବିତରଣ କରିବେ ବୋଲି ଡା. ରାମଚନ୍ଦାନୀ କହିଛନ୍ତି। ଶନିବାର ଡା. ରାମଚନ୍ଦାନୀଙ୍କ ଟଙ୍କିକିଆ କ୍ଲିନିକ୍‌ରେ ଏହି ଔଷଧ ସେବା କେନ୍ଦ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବୁର୍ଲା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ତାଙ୍କ ପତ୍ନୀ ଡା. ଶିଖା ରାମଚନ୍ଦାନୀ, କିଛି ପିଜି ଓ ହାଉସ୍‌ ସର୍ଜନ ଛାତ୍ର ଚିକିତ୍ସା ଓ ଔଷଧ ବଣ୍ଟନରେ ସହଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୨୧ ଫେବ୍ରୁଆରି ୧୨ ତାରିଖରେ ଡା. ରାମଚନ୍ଦାନୀ ବୁର୍ଲାସ୍ଥିତ ନିଜ ଭଡ଼ାଘର ପାର୍ଶ୍ବ ଗୋଦାମର ଏକ ଛୋଟିଆ କ୍ୟାବିନ୍‌ରେ ଗରିବ ରୋଗୀମାନଙ୍କ ପାଇଁ ଆରମ୍ଭ କରିଥିବା ଟଙ୍କିକିଆ କ୍ଲିନିକ୍ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। କରୋନା ମହାମାରୀ ସମୟରେ ବହୁ ଡାକ୍ତର ରୋଗୀଙ୍କୁ ପାଖକୁ ପୂରାଉ ନଥିଲ‌ା ବେଳେ ଡା. ରାମଚନ୍ଦାନୀ ମାତ୍ର ୧ ଟଙ୍କା ଫି’ ନେଇ ଗରିବ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ ବୁର୍ଲା ଜୁନାପାଣି କୁଷ୍ଠ କଲୋନିରୁ ରୋଗୀମାନେ ଆସିବା ପାଇଁ ଏକ ଅଟୋ ରିକ୍ସାର ମଧ୍ୟ ବ୍ୟବସ୍ଥା କରିଥିଲେ। କ୍ରମେ ଡା. ରାମଚନ୍ଦାନୀଙ୍କ ଏହି କ୍ଲିନିକ୍‌ର ଆଦୃତି ବଢ଼ିଲା ଓ ଦେଶବିଦେଶରେ ସେ ପ୍ରଶଂସିତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ଏହି କ୍ଲିନିକ୍‌ରେ ୬,୯୩୩ ଜଣ ରୋଗୀଙ୍କୁ ଦେଖି ସାରିଛନ୍ତି‌ ଯେଉଁଥିରେ ପ୍ରାୟ ଅଢ଼େଇ ହଜାର ମହିଳା ରୋଗୀ ଅଛନ୍ତି। ପରବର୍ତ୍ତୀ ସମୟରେ ଡା. ରାମଚନ୍ଦାନୀ ନିଜ ଜନ୍ମସ୍ଥାନ ବରଗଡ଼ ଜିଲ୍ଲାର ପଦ୍ମପୁରରେ ମଧ୍ୟ ୧ ଟଙ୍କିଆ କ୍ଲିନିକ୍ ଖୋଲିଥିଲେ ଯେଉଁଠି ସେ ମାସକୁ ଥରେ ବା ଦୁଇଥର ରୋଗୀଙ୍କୁ ଦେଖୁଛନ୍ତି।