ଭୁବନେଶ୍ବର: ରାଜ୍ୟ ତଥା ଦେଶର ଅର୍ଥନୀତିରେ ପ୍ରାଣୀ ସମ୍ପଦର ପ୍ରମୁଖ ଭୂମିକା ରହିଛି। ଏହା ଚାଷୀମାନଙ୍କ ଆୟବୃଦ୍ଧି ଦିଗରେ ମଧ୍ୟ ସହାୟକ ହେଉଛି। ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅନ୍ତର୍ଗତରେ ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପଣ ବେଳେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ୨୧ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କଳିଙ୍ଗ ଷ୍ଟାଡିୟମ୍ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଚାଷୀଙ୍କ ଆୟ ବୃଦ୍ଧି କରି ସେମାନଙ୍କର ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଦିଗରେ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।
ପ୍ରାଣୀ ସମ୍ପଦର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ପ୍ରଚଳନ କରାଯାଇଛି। ଏହା ମାଧ୍ୟମରେ ପ୍ରାଣୀ ଚିକିତ୍ସା ସୁବିଧା ନଥିବା ଅଞ୍ଚଳରେ ମୋବାଇଲ ଭେଟେରିନାରି ୟୁନିଟ୍ ମାଧ୍ୟମରେ ପୀଡ଼ିତ ପ୍ରାଣୀମାନଙ୍କୁ ଚିକିତ୍ସା କରାଯାଇପାରୁଛି। ପୂର୍ବରୁ ଏହି ମୋବାଇଲ ୟୁନିଟ୍ଗୁଡ଼ିକ ଭଡ଼ାଗାଡ଼ି ମାଧ୍ୟମରେ କରାଯାଉଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ୧୮୧ ଟି ମୋବାଇଲ ଭେଟେରିନାରି ୟୁନିଟ୍ ଗତ ସେପେମ୍ବର ୮ରେ ଲୋକାର୍ପିତ ହୋଇଥିଲା। ଏହାଦ୍ୱାରା ପ୍ରାଣୀ ଚିକିତ୍ସା ସେବା ଲୋକଙ୍କ ଦୁଆର ମୁହଁରେ ପହଞ୍ଚି ପାରିଛି। ଏହି ମୋବାଇଲ ୟୁନିଟ୍ରେ ଆସ୍ତ୍ରୋପଚାର ସୁବିଧା ମଧ୍ୟ ରହିଛି। ଏହା ମାଧ୍ୟମରେ ପ୍ରାଣୀମାନଙ୍କର ଟିକାକରଣ ଓ ରୋଗ ନିର୍ଣ୍ଣୟ ସେବା ମଧ୍ୟ ଉପଲବ୍ଧ କରାଯାଇଛି। ୫-ଟି ଉପକ୍ରମରେ ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବା ସହିତ ସ୍ୱଚ୍ଛତା ଅବଲମ୍ବନ ନିମନ୍ତେ ଜିପିଏସ୍ ମାଧ୍ୟମରେ ଭ୍ରାମ୍ୟମାଣ ଯାନଗୁଡ଼ିକର ଅବସ୍ଥାନ ଟ୍ରାକିଂ କରାଯାଇ ପାରୁଛି। ସହରାଞ୍ଚଳରେ ୬ ମୁଖ୍ୟମନ୍ତ୍ରୀ ପ୍ରାଣୀ ଆମ୍ବୁଲାନ୍ସ ସେବା ଯାନ ମଧ୍ୟ ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଉନ୍ନୟନ କମିସନର ଅନୁ ଗର୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରମୁଖ ଉପସ୍ଥିତ ଥିଲେ।