ରଦ୍ଦ ହେବ ୨୦୬ ଆଇନ୍

ଓଡ଼ିଶା ରିପିଲିଂ ବିଲ୍‌-୨୦୨୦ରେ କ୍ୟାବିନେଟ୍‌ ମୋହର
ଅଧିବକ୍ତା କଲ୍ୟାଣ ପାଣ୍ଠି ଆଇନ୍ ସଂଶୋଧନ ହେବ

ଭୁବନେଶ୍ବର : ୧୯୭୪ ମସିହାରୁ ୨୦୧୬ ମଧ୍ୟରେ ରାଜ୍ୟ ବିଧାନସଭାରେ ଅନେକ ଆଇନ୍ ପ୍ରଣୟନ କରାଯାଇଛି। ତାହା ମଧ୍ୟରୁ ୨୦୬ଟି ଆଇନ୍‌ କିଛି କାମରେ ଲାଗୁନି। ବିଭିନ୍ନ ପ୍ରଶାସନିକ ବିଭାଗର ସହମତିକ୍ରମେ ଏହି ଅଦରକାରୀ ଆଇନ୍‌ଗୁଡ଼ିକ ଚିହ୍ନଟ କରାଯାଇଛି। ଏଗୁଡ଼ିକୁ ସବୁ ଦିନ ପାଇଁ ରଦ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ଓଡ଼ିଶା ରିପିଲିଂ ବିଲ୍‌-୨୦୨୦ରେ ରାଜ୍ୟ କ୍ୟାବିନେଟ୍‌ ମୋହର ବାଜିଛି।

ସରକାରଙ୍କ ଯୁକ୍ତି ରହିଛି ଯେ ୨୦୬ ଆଇନ୍ ମଧ୍ୟରେ ଅଧିକାଂଶ ମୁଖ୍ୟ ଆଇନ୍‌ରେ ସଂଶୋଧନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ମୁଖ୍ୟ ଆଇନ୍‌ରେ ସ୍ଥାନିତ ହୋଇସାରିଛି। ଏଣୁ ଏହି ଆଇନ୍‌ଗୁଡ଼ିକୁ ବୈଧାନିକ ପୁସ୍ତକରେ ଆଉ ରଖିବାର ଆବଶ୍ୟକତା ନାହିଁ। ଏହା ସହିତ କିଛି ଆଇନ୍‌କୁ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ କାର୍ଯ୍ୟକାରୀ କରାଯିବା ପରେ ପରବର୍ତ୍ତୀ ସମୟରେ ଏହାର କୌଣସି ଆବଶ୍ୟକତା ଆଉ ନାହିଁ। ଗତ ୨୧ ତାରିଖରେ ରାଜ୍ୟ ଲ’ କମିସନ୍‌ ତାଙ୍କ ରିପୋର୍ଟରେ ଏହି ୨୦୬ଟି ଆଇନ୍‌କୁ ରଦ୍ଦ କରିବା ପାଇଁ ସୁପାରିସ୍‌ କରିଛନ୍ତି। ଯେହେତୁ ଆଇନ୍‌ଗୁଡ଼ିକ ଏବେ ଅନାବଶ୍ୟକ, ତେଣୁ ବୈଧାନିକ ପୁସ୍ତକରୁ ଏଗୁଡ଼ିକୁ ହଟାଇ ଅତିରିକ୍ତ ବୋଝ କମାଇବା ଆବଶ୍ୟକ। ଆହୁରି ମଧ୍ୟ ଏହା ସାଧାରଣ ଜନତାଙ୍କ ମନରେ ଥିବା‌ ଦ୍ବନ୍ଦ୍ବକୁ ଦୂର କରିପାରିବ। ଏହା ମଧ୍ୟ ସୁଶାସନକୁ ପ୍ରୋତ୍ସାହନ ଦେବ ବୋଲି ସରକାରୀ ଭାବେ କୁହାଯାଇଛି।

ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ-୧୯୮୭କୁ ସଂଶୋଧନ କରିବା ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ଏହା ଦ୍ବାରା ଅଧିବକ୍ତା କଲ୍ୟାଣ ପାଣ୍ଠିର ସଦସ୍ୟମାନେ ମୃତ୍ୟୁ, ଅବସର କିମ୍ବା ସ୍ଥାୟୀ ଶାରୀରିକ ଅଥବା ମାନସିକ ଅକ୍ଷମତା କାରଣରୁ ସ୍ବେଚ୍ଛାକୃତ ସେବାନିବୃତ ହେଲେ ସମ୍ପ୍ରତି ପାଉଥିବା ଆର୍ଥିକ ସୁବିଧା ଠାରୁ ଅଧିକ ଆର୍ଥିକ ଲାଭ ପାଇବେ। ଟ୍ରଷ୍ଟ କମିଟିର ସୁପାରିସ୍‌କ୍ରମେ ଓ ଅଧିବକ୍ତା କଲ୍ୟାଣ ପାଣ୍ଠିରେ ଥିବା ଅର୍ଥରାଶିକୁ ଦୃଷ୍ଟିରେ ରଖି ସରକାର ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ-୧୯୮୭ରେ ଥିବା ବ୍ୟବସ୍ଥାକୁ ସଂଶୋଧନ କରିପାରିବେ।

ସମ୍ବନ୍ଧିତ ଖବର