ଭବାନୀପାଟଣା: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ପ୍ରତିବାଦ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଳାହାଣ୍ଡି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳ ଅଫିସ୍‌ ଘେରାଉ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ବାହାରି ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ନେତୃବୃନ୍ଦ ଦାବି କରିଥିଲେ।

Advertisment

ଏହି ସମୟରେ ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଗିରଫ କରି ଭବାନୀପାଟଣା ଟାଉନ ଥାନାକୁ ନେଇ ପରେ ଛାଡ଼ି ଦେଇଥିଲା। ଏହି ବିକ୍ଷୋଭ ସମାବେଶରେ ସାଂସଦ ବସନ୍ତ ପଣ୍ଡା, ପୂର୍ବ ମନ୍ତ୍ରୀ ହିମାଂଶୁ ମେହେର, ବରିଷ୍ଠ ନେତା ଭବେନ୍ଦ୍ର ପଣ୍ଡା, ଭାରତ ଦେଓ, ଅଜୟ ପାଣିଗ୍ରାହୀ, ରମେଶ ମାଝୀ, ପ୍ରଶାନ୍ତ ସାହୁ, ଯୁଗଳ ପୋଢ଼, ସୁଧୀର ପଟ୍ଟଯୋଷୀ, ଜୟଶଙ୍କର ନାଏକ, ଅନିରୁଦ୍ଧ ପ୍ରଧାନ, ପ୍ରେମନାଥ ନାଏକ, ଲୋକନାଥ ଦୁର୍ଗା, ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ମହିଳା ନେତ୍ରୀ ଶୋଭାଗିନୀ ପାତ୍ର, ନିରୁପମା ସାମଲ, କୁନ୍ତି ପାଲ, ପୁଷ୍ପାଞ୍ଜଳି ତାଣ୍ଡି ପ୍ରମୁଖ ସାମିଲ ଥିଲେ।