ରାଉରକେଲାରେ ଆଇନଶୃଙ୍ଖଳା ବେଲଗାମ: ବିଶ୍ବକପ୍‌ ପୂର୍ବରୁ ସୁରକ୍ଷାକୁ ନେଇ ପ୍ରଶ୍ନ

ସୋମବାର ୧୫ଲକ୍ଷ, ମଙ୍ଗଳବାର ୫ ଲକ୍ଷ ଲୁଟ୍‌

ରାଉରକେଲା: ଭୁବନେଶ୍ବର ସହିତ ସ୍ମାର୍ଟସିଟି ରାଉରକେଲାରେ ହେବ ବିଶ୍ବକପ୍‌। ମାତ୍ର, କିଛିଦିନ ମଧ୍ୟରେ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡ଼ିଛି। ୭୨ ଘଣ୍ଟା ମଧ୍ୟରେ ଦୁଇଟି ବଡ଼ଧରଣର ଲୁଟ୍‌ ଏବଂ ସରକାରୀ ଜାଗାକୁ କେନ୍ଦ୍ରକରି ଗୁଳିମାଡ଼ ଘଟଣା ଏହାର ଜ୍ବଳନ୍ତ ଉଦାହରଣ। ଏହାପୂର୍ବରୁ ମଧ୍ୟ ବଡ଼ଧରଣର ଅପରାଧିକ କାର୍ଯ୍ୟ ଦେଖିବାକୁ ମିଳିଛି। ଫଳରେ, ବିଶ୍ବକପ୍‌ ପୂର୍ବରୁ ସୁରକ୍ଷାକୂୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଗତକାଲି ଦିନ ଦ୍ବିପ୍ରହରରେ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କଠାରୁ ୧୪ ଲକ୍ଷ ୯୩ ହଜାର ଟଙ୍କା ଲୁଟିନେଇଥିଲେ ଦୁଇଜଣ ଦୁର୍ବୃତ୍ତ। କର୍ମଚାରୀ ଜଣକ ବ୍ୟବସାୟୀଙ୍କ କୋଏଲନଗରସ୍ଥ ବାସଭବନରୁ ଉକ୍ତ ଟଙ୍କା ନେଇ ଉଦିତନଗରସ୍ଥ କାର୍ଯ୍ୟାଳୟକୁ ଆସୁଥିଲେ।

ଏତିକିବେଳେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କାର୍ଯ୍ୟାଳୟ ପାଖରେ ଦୁଇ ଦୁର୍ବୃତ୍ତ ଏକ ନାଲି ପଲସର୍‌ ବାଇକ୍‌ରେ ଆସି ମୁଣ୍ଡରେ ବନ୍ଧକ ଲଗାଇ ଟଙ୍କା ଲୁଟିନେଇଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଆଜି ସମାନ ଢଙ୍ଗରେ ଆଉ ଏକ ଲୁଟ୍‌ ହୋଇଛି। ଆଇଡିସି କଲୁଙ୍ଗାସ୍ଥ ଏକ ଷ୍ଟିଲ୍‌ କମ୍ପାନିର କର୍ମଚାରୀ ଦରମା ବାବଦକୁ ଏଚ୍‌ଡିଏଫ୍‌ସି ମୁଖ୍ୟ ଶାଖାକୁ ଆସିଥିଲେ। ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ କଲୁଙ୍ଗା ଆଡ଼କୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଲୁଟିନେଇଥିଲେ। ଜନଗହଳିପୂର୍ଣ୍ଣ ରାସ୍ତା‌ରେ ଦିନ ପ୍ରାୟ ୧୨.୩୦ରେ ଏଭଳି ଘଟଣା ଘଟିଥିଲା।

ଏହାର ଦୁଇଦିନ ପୂର୍ବରୁ ସରକାରୀ ଜମି ଜବରଦଖଲକୁ ନେଇ ଗୁଳିମାଡ଼ ସହିତ ହତ୍ୟାକାଣ୍ଡ ଘଟଣା ଘଟିଥିଲା। ଝିରିପାଣି ଥାନା ଅନ୍ତର୍ଗତ ଝରିଆଟୋଲା ବସ୍ତି ନିବାସୀ ଚୁନ୍‌କୁ ଓରାମ ନାମକ ଜଣେ ବ୍ୟକ୍ତି ବାଞ୍ଛା ତନ୍ତୀଙ୍କୁ ଗୁଳିକରି ଜୀବନରୁ ମାରିଦେଇଥିଲା। ଏହାପରେ, ହତ୍ୟା ଅଭିଯୁକ୍ତକୁ ପୁଲିସ ଏନ୍‌କାଉଣ୍ଟର କରିଥିଲା। ‌ତେବେ, ୭୨ ଘଣ୍ଟାରେ ତିନୋଟି ଚାଞ୍ଚଲ୍ୟକର ଘଟଣା ସହରବାସୀଙ୍କ ମନରେ କୋକୁଆ ଭୟ ଖେଳାଇଦେଇଛି। ଆଉ କିଛିଦିନ ପରେ ଏଠାରେ ବିଶ୍ବକପ୍‌ ଅନୁଷ୍ଠିତ ହେବାକୁ ଥିବାବେଳେ ସହରର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଙ୍କି ମାରିଛି। ଅନ୍ୟପକ୍ଷରେ, ପୁଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ପୂର୍ବଭଳି ଆଉ ସହରରେ ପାଟ୍ରୋଲିଂ ହେଉନି କିମ୍ବା ବିଭିନ୍ନ ଛକରେ ପୁଲିସ୍‌ର ଯାଞ୍ଚ ବି ଦେଖିବାକୁ ମିଳୁନଥିବା ସହରବାସୀଙ୍କ ଅଭିଯୋଗରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର