ସମ୍ବଲପୁର: ସମ୍ବଲପୁର ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇସାରିଲାଣି। ଏକଥା ଆମେ କହୁନାହିଁ ଥାନାରେ ହେଉଥିବା ଅଭିଯୋଗ ଏବଂ ଲୋକେ କହୁଛନ୍ତି। ସହରରେ ଏଭଳି କୌଣସି ଦିନ ନାହିଁ ଯେଉଁ ଦିନ ଚୋରି କି ଲୁଟ୍ ହେଉନାହିଁ। ଅନେକ ଘଟଣା ଥାନାକୁ ମଧ୍ୟ ଆସିପାରୁନାହିଁ। ଥାନାକୁ ଆସୁଥିବା ଅଭିଯୋଗ ଆଧାରରେ ସହରର ସ୍ଥିତି ବେହାଲ ହେବାକୁ ବସିଛି। ଜୁଲାଇ ମାସରେ ସମ୍ବଲପୁର ସହରରେ ପ୍ରତିଦିନ ହାରାହାରି ୩ଟି ଚୋରି ବା ଲୁଟ୍ ମାମଲା ହେଉଛି। ଯାହା ଏବେ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସହରରେ ଲୋକେ ଘରୁ ବାହାରିବାକୁ ବି ଭୟ କରିଲେଣି। କେଉଁଠାରେ କିଏ ମୋବାଇଲ୍ ଲୁଟି ନେଲାଣି ତ କାହା ବେକରୁ ଚେନ୍ ଛଡ଼ାଇ ଦୁର୍ବୃତ୍ତମାନେ ଫେରାର୍ ହୋଇଗଲେଣି। ଆଉ କିଏ ଭବିଷ୍ୟତ ଦେଖିବ କହି ଅଳଙ୍କାର ଲୁଟିନେଲାଣି। ଏଭଳି ମାଳମାଳ ଚୋରି ଓ ଲୁଟ୍ ଘଟଣା ଜୁଲାଇ ମାସରେ ସମ୍ବଲପୁର ସହରରେ ଘଟିଛି। ଯଦିଓ ପୁଲିସ କିଛି ଘଟଣାରେ ଚୋର ଓ ଲୁଟେରାଙ୍କୁ ଧରିବାରେ ସଫଳ ହେଉଛି; କିନ୍ତୁ ଅପରାଧ ରୋକିବାରେ ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିଲା ନାହିଁ। ଠିକ୍ ଭାବେ ପାଟ୍ରୋଲିଂ ହେଉ ନଥିବାରୁ ଅପରାଧ ବଢ଼ୁଥିବା ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ପୁଲିସ ପାଟ୍ରୋଲିଂ କେବଳ ପେଟ୍ରୋଲ୍ ହେରଫେର୍ ପାଇଁ ବୋଲି ଲୋକେ କହିବା ସହ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
ସମ୍ବଲପୁର ସହରର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ଚୋରି/ଲୁଟ୍ ମାମଲା
ଅଇଁଠାପାଲି ଥାନାରେ ୧୪ ଚୋରି ମାମଲା ରୁଜୁ ହୋଇଥିବାବେଳେ ଲୁଟ ଓ ଡକାୟତି ମାମଲା ୭ଟି ରୁଜୁ ହୋଇଛି। ବୁର୍ଲା ଥାନାରେ ୯ ଚୋରି ମାମଲା ରୁଜୁ ହୋଇଥିବାବେଳେ ୧ଟି ଲୁଟ ଓ ଡକାୟତି ମାମଲା ରୁଜୁ ହୋଇଛି। ଧନୁପାଲି ଥାନାରେ ୧୮ ଚୋରି ମାମଲା ଓ ୪ ଲୁଟ/ଡକାୟତି ମାମଲା ରୁଜୁ ହୋଇଛି। ହୀରାକୁଦ ଥାନାରେ ଗୋଟିଏ ଚୋରି ମାମଲା ଓ ୨ଟି ଲୁଟ/ଡକାୟତି ମାମଲା ରୁଜୁ ହୋଇଛି। ସେହିପରି କ୍ଷେତରାଜପୁର ଥାନାରେ ୫ଟି ଚୋରି ମାମଲା ଓ ୨ଟି ଲୁଟ/ଡକାୟତି ମାମଲା ରୁଜୁ ହୋଇଛି। ସେହିପରି ସଦର ଥାନାରେ ୨ଟି ଚୋରି ମାମଲା ଓ ଗୋଟିଏ ଲୁଟ/ଡକାୟତି ମାମଲା, ଟାଉନ ଥାନାରେ ୯ଟି ଚୋରି ମାମଲା ଓ ୭ଟି ଲୁଟ/ଡକାୟତି ମାମଲା ରୁଜୁ ହୋଇଛି। ଏଭଳି ୫୮ଟି ଚୋରି ଓ ୨୪ ଲୁଟ/ ଡକାୟତି ମାମଲା ରୁଜୁ ହୋଇଛି।
ଜୁଲାଇରେ ଘଟିଥିବା କିଛି ଚର୍ଚ୍ଚିତ ଚୋରି ଲୁଟ୍ ମାମଲା
ଦମ୍ପତିଙ୍କୁ ଛୁରି ଦେଖାଇ ୧୦ ହଜାର ଲୁଟ୍
ସଦର ଥାନା କବରାପାଲି ସ୍କୁଲ ପାଖରେ ଜୁଲାଇ ୨୨ ତାରିଖ ରାତି ଦମ୍ପତିଙ୍କୁ ଛୁରି ଦେଖାଇ ୧୦ ହଜାର ଟଙ୍କା ଲୁଟ ହୋଇଥିଲା। ଦେବଗଡ଼ର ରାଜୁ ବାରିକ(୩୦) ଓ ତାଙ୍କ ସ୍ତ୍ରୀ ବୁର୍ଲାରୁ ଘରକୁ ଫେରୁଥିବା ବେଳେ କବରାପାଲି ସ୍କୁଲ ପାଖରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଛୁରି ଦେଖାଇ ତାଙ୍କ ପାଖରୁ ୧୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଧରାପଡ଼ିନାହାନ୍ତି।
ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍

ଧନୁପାଲି ଥାନା ଗୋବିନ୍ଦତୋଲା ନିକଟରେ ଜୁଲାଇ ୨୩ ତାରିଖ ସନ୍ଧ୍ୟାରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଥିଲା। ଶନିବାର ସନ୍ଧ୍ୟା ୬ଟା ୩୦ ସମୟରେ ଅନୁଲତା ଅଗ୍ରଵାଲ୍ ଚାଲିଚାଲି ଯାଉଥିବା ବେଳେ ଗୋବିନ୍ଦତୋଲା ନିକଟରେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ତାଙ୍କ ବେକରୁ ଚେନ୍ ଛିଣ୍ଡାଇ ଫେରାର ହୋଇଯାଇଥିଲେ।
ଜଳ ବିଶୋଧନ ପ୍ଲାଣ୍ଟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ଗତ ଜୁଲାଇ ୮ ତାରିଖ ରାତି ଆର୍ଡବ୍ଲୁଏସ୍ଏସ୍ ପ୍ରକଳ୍ପ ଅଧୀନରେ ବୁର୍ଲା ରାଠି ଷ୍ଟିଲ୍ ପ୍ଲାଣ୍ଟ ସମ୍ମୁଖରେ ଥିବା ଜଳ ବିଶୋଧନ ପ୍ଲାଣ୍ଟରେ କିଛି ଦୁର୍ବୃତ୍ତ ପଶିଥିଲେ। ଏହା ପରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଧରି ସେଠାରୁ ଫେରାର୍ ହୋଇଯାଇଥିଲେ। ସୁରକ୍ଷାକର୍ମୀ ଅଟକାଇବାକୁ ପ୍ରୟାସ କରିବା ବେଳେ ସେମାନେ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ନେଇଯାଇଥିଲେ। ଠିକା ସଂସ୍ଥାର କର୍ମଚାରୀ ମନୋଜ ସାବତ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଛୁରାମାଡ଼ କରି ମୋବାଇଲ୍, ଟଙ୍କା ଲୁଟ୍
ଶୁଭାଶିଷ ବେହେରା ଓ ତାଙ୍କ ବାନ୍ଧବୀ ଜୁଲାଇ ୨ ତାରିଖ ଅପରାହ୍ଣ ୫ଟା ସମୟରେ ହୀରାକୁଦ ଥାନା ଲେଫ୍ଟ ଡାଇକ୍ ନିକଟରେ ବସିଥିଲେ। ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସିଥିଲେ ଏବଂ ତାଙ୍କୁ ଟଙ୍କା ମାଗିଥିଲେ। ଶୁଭାଶିଷ ମନା କରିବାରୁ ସେମାନେ ତାଙ୍କୁ ଛୁରାମାଡ଼ କରିଥିଲେ। ଶୁଭାଶିଷ ଓ ତାଙ୍କ ବାନ୍ଧବୀଙ୍କ ମୋବାଇଲ୍ ଫୋନ୍ ସହ ସେମାନଙ୍କ ପାଖରେ ଥିବା ଟଙ୍କା ଲୁଟି ଫେରାର୍ ହୋଇଯାଇଥିଲେ। ଏହାପରେ ୨ ଜଣ ବ୍ୟକ୍ତି ତାଙ୍କୁ ହୀରାକୁଦ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଘର ଭିତରୁ ଅଳଙ୍କାର ଚୋରି
ଅଇଁଠାପାଲି ଥାନା ବରେଇପାଲିର ଅକ୍ଷୟ କୁମାର ଶତପଥୀ(୬୩) ତାଙ୍କ ପୁଅ ପାଖକୁ ଭୁବନେଶ୍ବର ଯାଇଥିଲେ। ଗତ ୨୩ ତାରିଖ ଦିନ ସେ ସେଠାରୁ ଫେରି ଦେଖିବା ବେଳକୁ ତାଙ୍କ ଘର ଝରକା ଭଙ୍ଗା ଯିବା ସହ ଆଲ୍ମିରା ଖୋଲା ହୋଇ ଥିଲା। ତେବେ ଦୁର୍ବୃତ୍ତ ଜଣକ ତାଙ୍କ ଘରୁ ୩୦ ଗ୍ରାମର ସୁନା ଅଳଙ୍କାର ସହ ୨୦୦ ଗ୍ରାମ ରୁପା ଅଳଙ୍କାର ଓ ନଗଦ ୫ ହଜାର ଟଙ୍କା ନେଇଯାଇଥିବା ସେ ଥାନାରେ ଅଭିଯୋଗ କରିଥିଲେ।
ବାଲିବନ୍ଧା ନିକଟରେ ମୋବାଇଲ୍ ଲୁଟ୍

ଟାଉନ୍ ଥାନା ବାଲିବନ୍ଧା ନିକଟରେ ଶେଷଦେବ ପ୍ରଧାନଙ୍କୁ ଜଣେ ଦୁର୍ବୃତ୍ତ ଅଟକାଇଥିଲେ। ତାପରେ ତାଙ୍କ ଠାରୁ ମୋବାଇଲ୍ ଲୁଟ୍ କରି ଫେରାର୍ ହୋଇଯାଇଥିଲେ। ଏ ନେଇ ଜୁଲାଇ ୧୬ ତାରିଖରେ ଯୁବକ ଜଣକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଟଙ୍କା ଓ ମୋବାଇଲ୍ ଚୋରି
କ୍ଷେତରାଜପୁର ଥାନା କମଲିବଜାରର ରେଣୁକା ସାହୁଙ୍କ ଘରୁ ଜୁଲାଇ ୨୬ ତାରିଖ ରାତି କେହି ଦୁର୍ବୃତ୍ତ ୫ ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍ ଫୋନ୍ ଚୋରି କରି ନେଇଯାଇଥିଲେ। ଏହା ଜାଣିବା ପରେ ରେଣୁକା ଜୁଲାଇ ୨୮ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।