ପୁରୀ ଜିଲ୍ଲାରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି

ଅବାଧ ବନ୍ଧୁକ କାରବାର, ଫୁଟୁଛି ଗୁଳି; ବଢ଼ୁଛି ଦାଦାବଟି ଆଦାୟ, ମାତିଛନ୍ତି ଜମି ମାଫିଆ

ପୁରୀ : ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ପୁରୀ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। କେଉଁଠି ବୋମାମାଡ଼ ତ କେଉଁଠି ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଖୋଲାଖୋଲି ବୁଲିଲାଣି। ସବୁଠୁ ଉଦ୍‌ବେଗଜନକ କଥା ହେଉଛି, ଅବାଧ ବନ୍ଧୁକ କାରବାର। ଜିଲ୍ଲା ଯେ ଚୋରା ବନ୍ଧୁକ କାରବାରର ପେଣ୍ଠସ୍ଥଳୀ ପାଲଟିଲାଣି, ଏହା କାଳିଆ ଓରଫ କୃଷ୍ଣଚନ୍ଦ୍ର ପଢ଼ିଆରୀ ଗୁଳିକାଣ୍ଡ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। କାରଣ ଯେଉଁମ‌ାନେ ଏହି ଗୁଳିକାଣ୍ଡ ଭିଆଇଛନ୍ତି, ସେମାନେ ଦୁଇଟି ବନ୍ଧୁକରୁ ଗୁଳି କରିଛନ୍ତି ବୋଲି କୁହାଯାଉଛି। ସେ ପୁଣି ସକାଳୁ ସକାଳୁ। ଏଥିରୁ ସ୍ପଷ୍ଟ ଯେ ଅପରାଧୀମାନେ ସେମାନଙ୍କ ପୁରୁଣା ଆତଙ୍କ ପୁଣିଥରେ ଆରମ୍ଭ କରି ଦେଇଛନ୍ତି। ସେପଟେ ଦାଦାବଟି ଆଦାୟ ବି ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଜମି ମାଫିଆମାନେ ବି ଜମି ପାଇଁ ମୁଣ୍ଡ ଗଡ଼ାଇବାକୁ ପଛାଉନାହାନ୍ତି।

ଯେଉଁଭଳି ଢଙ୍ଗରେ କାଳିଆଙ୍କୁ ଗୁଳିକରି ହତ୍ୟା କରାଗଲା, ତାହା କୌଣସି ପେସାଦାର ଅପରାଧୀଙ୍କ ତରିକାଠାରୁ ବି କମ୍‌ ନ ଥିଲା। କାରଣ ୪ଟି ଗୁଳିରୁ ତିନିଟି ଗୁଳି ସିଧାସଳଖ କାଳିଆଙ୍କ ଦେହରେ ବାଜିଥିଲା। ଯେଉଁଥିରୁ ଗୋଟିଏ ଗୁଳି ମୁଣ୍ଡ ବାମ ପାଖରେ ଓ ଅନ୍ୟ ଦୁଇଟି ଛାତିରେ ବାଜିଥିଲା। ତିଦିଟି ଗୁଳିରେ ହିଁ କାଳିଆ ବାରବାଟୀ ଜାଗାଠାରେ ଟଳି ପଡ଼ିଥିଲେ। ଏଠି ପ୍ରଶ୍ନ ଉଠୁଛି, ଯେଉଁମାନେ କାଳିଆଙ୍କୁ ହତ୍ୟାକଲେ, ସେମାନେ ହତ୍ୟାରେ ବ୍ୟବହୃତ ବନ୍ଧୁକ କେଉଁଠାରୁ ଆଣିଲେ। କାରଣ ହତ୍ୟାର ଷଡ଼ଯନ୍ତ୍ର ଦିନକର ଘଟଣା ନୁହେଁ। ସେପଟେ ପୂର୍ବରୁ ବି ଅନେକ ଅପରାଧୀଙ୍କଠାରୁ ପୁଲିସ ଚୋରା ବନ୍ଧୁକ ଜବତ କଲାଣି। ସେପଟେ ଦାଦାବଟି ବି ଖୋଲାଖୋଲି ଆଦାୟ କରାଯାଉଛି। କେହି କୌଣସି ଜାଗାରେ ଘର କଲେ, ଜୋର ଜବରଦସ୍ତ ବାଲି, ଗୋଡ଼ି, ସିମେଣ୍ଟ ଆଦି ନେବାକୁ ବାଧ୍ୟ କରାଯାଉଛି। ସେ ପୁଣି ଚଢ଼ା ଦରରେ। ଯାହା କହୁଛନ୍ତି, ତାହା ଦେବାକୁ ପଡ଼ୁଛି। ଅନ୍ୟଠୁ ବାଲି, ଗୋଡ଼ି, ସିମେଣ୍ଟ ଆଣିଲେ, କଥା କଥାକେ ମୁଣ୍ଡ ଗଡ଼ୁଛି। ନଚେତ୍‌ ଘର ତିଆରି ପୂର୍ବରୁ ଜାଗା ଓ ଘର ଦେଖି ମୋଟା ଅଙ୍କର ଦାଦାବଟି ଗଣିବାକୁ ପଡ଼ୁଛି।

Shutterstock

ବିଶେଷକରି ପୁରୀ ସହର ଭିତରେ ଏହି ଦାଦାବଟି କାରବାର ବଢ଼ି ଚାଲିଥିବାବେଳେ ପୁଲିସ କାର୍ଯ୍ୟାନୁଷ୍ଠାନରେ ସ୍ଥାଣୁତା ଏହି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛି। ଲୋକଙ୍କୁ ବି ଭୟ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ୁଛି। ଅନ୍ୟପଟେ ଗତକାଲି କାଳିଆଙ୍କ ହତ୍ୟା ପଛରେ ଜମି କାରବାର ଥିବା ଚର୍ଚ୍ଚା ହେଉଛି। ପୁରୀ ସହରରେ ଜମି ଦର ଯେହେତୁ ଆକାଶ ଛୁଆଁ ହେଲାଣି, ଡିସିମିଲ୍‌ ପିଛା ଜାଗା ୧୨ରୁ ୧୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛି, ଏଣୁ ଜୋର ଜବରଦସ୍ତ ଜାଗା ଦଖଲ କରି ଏହାକୁ ବହୁଗୁଣା ଦରରେ ବିକ୍ରି କରି ଜମି ମାଫିଆମାନେ ମାଲାମାଲ୍‌ ହେବାରେ ଲାଗିଛନ୍ତି। କେଉଁଠି ସରକାରୀ ଜାଗା ତ କେଉଁଠି ମନ୍ଦିର ଜାଗା, ପୁଣି କେଉଁଠି ବ୍ୟକ୍ତିଗତ ଜାଗାକୁ ଡରାଇ ଧମକାଇ ଜୋର ଜବରଦସ୍ତ ଦଖଲକୁ ନେଇ ପ୍ଲଟିଂରେ ମାତିଛନ୍ତି। ଏ ଦିଗରେ ପୁଲିସର ନିଷ୍କ୍ରିୟତା ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ବଢ଼ାଇବାରେ ଲାଗିଛି। ଯାହାର ପ୍ରତିଫଳନ ସ୍ବରୂପ, ଗତକାଲି ଗୋଟିଏ ନୁହେଁ, ଦୁଇ ଦୁଇଟି ମୁଣ୍ଡ ଗଡ଼ିଛି। ଅପରାଧୀମାନେ ବେଧଡକ ଅପରାଧ ଘଟାଉଛନ୍ତି। କିଛିଦିନ ତଳେ ସଂଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀଙ୍କୁ ହତ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ଗତକାଲିର ଏହି ଦୁଇ ହତ୍ୟାକାଣ୍ଡ ଘଟଣା ପରେ ଲୋକେ ଭୟଭୀତ ହେବାରେ ଲାଗିଲେଣି। ସେ ପୁରୀ ଜିଲ୍ଲା ହେଉ କି ସହର, ସବୁଠି ଆତଙ୍କର ବାତାବରଣ ସ୍ପଷ୍ଟ ବାରି ହୋଇପଡ଼ୁଛି।

ସମ୍ବନ୍ଧିତ ଖବର