ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଗମ୍ଭୀର, ତିନି ବର୍ଷରେ ୩୬୦୮ ହତ୍ୟା

ଖାଲି ପଡ଼ିଛି ୧୧୪୫୬ ପୁଲିସ ପଦବି, ହତ୍ୟା ଓ ଦୁଷ୍କର୍ମରେ ମୟୂରଭଂଜ, ଯୌତୁକ ହତ୍ୟାରେ ବାଲେଶ୍ବର ଆଗରେ

ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ପୂରା ବିଗିଡ଼ି ଗଲାଣି। ଦିନକୁ ଦିନ ହତ୍ୟା, ଦୁଷ୍କର୍ମ, ନିଶା କାରବାର ଓ ମହିଳା ଚାଲାଣ ଭଳି ସଙ୍ଗୀନ ଅପରାଧ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି। ଏହା ଶାସକ ଦଳ ପ୍ରତି ବିରୋଧୀ ଦଳମାନଙ୍କର ରାଜନୈତିକ ଆକ୍ଷେପ ନୁହେଁ। ଖୋଦ୍ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଗତ ତିନି ବର୍ଷରେ ରାଜ୍ୟରେ ୩୬୦୮ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୧୧୫୬୪ ଜଣ ମହିଳା ଓ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଅର୍ଥାତ ପ୍ରତିଦିନ ରାଜ୍ୟରେ ୧୦ଜଣ ମହିଳା, ଯୁବତୀ ଓ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଉଥିବା ବେଳେ ୪ ଜଣ ହତ୍ୟାର ଶିକାର ହେଉଛନ୍ତି। ଅପରାଧ ବଢ଼ୁ୍‌ଥିଲେ ଗୃହ ବିଭାଗରେ ମାନବ ସମ୍ବଳର ଘୋର ଅଭାବ ଦେଖାଦେଇଛି। ପୁଲିସ୍ ବିଭାଗରେ ୧୧,୪୫୬ ପଦବି ଖାଲି ପଡ଼ିଛି। ଥାନା, ଫାଣ୍ଡି ସଂଖ୍ୟା ବଢ଼ୁନି କି ଡିଆଇଜି, ଏସ୍‌ପି ଓ ଇନ୍‌ସ୍ପେକ୍ଟର ଭଳି ପଦ ପୂରଣ ହେଉନାହିଁ।

ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଗଣେଶ ରାମ୍‌ ସିଂହ ଖୁଣ୍ଟିଆଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ ୨୦୧୯ରେ ୧୩୫୬ ଜଣ, ୨୦୨୦ରେ ୧୪୭୦ ଜଣ ଓ ୨୦୨୧ ଜୁନ୍‌ ସୁଦ୍ଧା ୭୮୨ ଜଣ ହତ୍ୟାକାଣ୍ଡର ଶିକାର ହୋଇଛନ୍ତି। ଏହି ତିନି ବର୍ଷ ଭିତରେ ମୟୂରଭଂଜ ଜିଲ୍ଲାରେ ସର୍ବାଧିକ ହତ୍ୟାକାଣ୍ଡ ଘଟିଛି। ଏହି ଜିଲ୍ଲାରେ ୨୦୧୯ରେ ୮୬ଜଣ, ୨୦୨୦ରେ ୧୦୪ଜଣ ଓ ୨୦୨୧ ଜୁନ୍‌ ସୁଦ୍ଧା ୫୭ ଜଣଙ୍କୁ ହତ୍ୟା କରାଯାଇଛି। ସେହିଭଳି ଗତ ତିନି ବର୍ଷରେ ରାଜ୍ୟରେ ୭୭୩ ମହିଳା ଯୌତୁକ ଜୁଇରେ ଜଳି ଯାଇଛନ୍ତି। ୨୦୧୯ରେ ୨୭୮, ୨୦୨୦ରେ ୩୧୧ ଓ ୨୦୨୧ ଜୁନ୍‌ ସୁଦ୍ଧା ୧୮୪ ବଧୂହତ୍ୟା ହୋଇଛି। ଏହି ମାମଲାରେ ବାଲେଶ୍ବର ଜିଲ୍ଲା ସର୍ବାଗ୍ରେ ରହିଛି। କିନ୍ତୁ ୨୦୨୧ ଜୁନ୍‌ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୧୮ବଧୂହତ୍ୟା ହୋଇଛି। ସେହିପରି ରାଜ୍ୟରେ ଯୌତୁକ ନିର୍ଯାତନା ଓ ଘରୋଇ ହିଂସା ବଢ଼ିଛି। ଏହି ତିନି ବର୍ଷ ଭିତରେ ୯୮୦୯ ମହିଳା ଯୌତୁକ ନିର୍ଯାତନାର ଶିକାର ହୋଇଥିବା ବେଳେ ୭୮୪୪ ଜଣ ମହିଳା ଘରୋଇ ହିଂସାର ଶିକାର ହୋଇଛନ୍ତି। ଏହି ମାମଲାରେ ବା‌ଲେଶ୍ବର ଓ ଗଞ୍ଜାମ ଆଗରେ ରହିଛି। ବା‌ଲେଶ୍ବରରେ ୨୦୧୯ରେ ୩୭୫, ୨୦୨୦ରେ ୨୯୯ଟି ମାମଲା ଥିବା ବେଳେ ଗଞ୍ଜାମରେ ୨୦୨୧ ଜୁନ୍‌ ସୁଦ୍ଧା ୧୬୭ ମାମଲା ପଞ୍ଜୀକୃତ ହୋଇଛି। ରାଜ୍ୟରେ ମୋଟ ୭୮୪୪ ଘରୋଇ ହିଂସା ମାମଲା ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି। ଏଥିରେ ମୟୂରଭଞ୍ଜ ସବୁଠାରୁ ଆଗରେ ଥିବା ବେଳେ ଗଞ୍ଜାମ ଦ୍ବିତୀୟ ସ୍ଥାନରେ ରହିଛି।

ରାଜ୍ୟରେ ମହିଳା ଚାଲାଣ ସ୍ଥିତି ମଧ୍ୟ ସଙ୍ଗୀନ୍। ମୋଟ୍ ୨୩୦ ମହିଳା ଚାଲାଣ ମାମଲା ରହିଛି। ୨୦୧୯ରେ ୧୧୭, ୨୦୨୦ରେ ୭୩ ଓ ୨୦୨୧ ଜୁନ୍‌ ସୁଦ୍ଧା ୪୦ ଜଣ ମହିଳାଙ୍କୁ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଏହି ମାମଲାରେ ନୂଆପଡ଼ା ଜିଲ୍ଲା ସବୁଠାରୁ ଆଗରେ ରହିଛି। ୨୦୧୯ରେ ନୂଆପଡ଼ା ଜିଲ୍ଲାରୁ ୪୧, ୨୦୨୦ରେ ବଲଙ୍ଗୀର ଜିଲ୍ଲାରୁ ୧୯ ଏବଂ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ମାଲକାନଗିରିରୁ ୧୩ ମହିଳାଙ୍କୁ ଚାଲାଣ କରାଯାଇଛି। ସେହିଭଳି ୧୦ ମହିଳା ଏସିଡ୍‌ ଆକ୍ରମଣ ଶିକାର ହୋଇଛନ୍ତି। ଗତ ତିନି ବର୍ଷରେ ୧୯୭୩୪ ମହିଳା ଅସଦାଚରଣ ଓ ୩୫୫୭ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ସେହିଭଳି ଏହି ସମୟ ଭିତରେ ୧୫ କେଜି ବ୍ରାଉନ୍‌ସୁଗାର, ୪୦୧୭ କ୍ବିଣ୍ଟାଲ୍‌ ଗଞ୍ଜେଇ ଜବତ କରାଯାଇଛି।

ବଡ଼ କଥା ହେଉଛି ଦିନକୁ ଦିନ ଅପରାଧର ସାମ୍ରାଜ୍ୟ ବଢ଼ୁଥିବା ବେଳେ ପୁଲିସ ବିଭାଗରେ ବହୁ ପଦ ଖାଲି ପଡ଼ିଛି। ୨୦୨୧ ଅଗଷ୍ଟ ୧ ସୁଦ୍ଧା ମୋଟ୍ ୧୧୪୫୬ ପୁଲିସ ପଦ ଖାଲି ରହିଛି। ୧୩ଟି ଡିଆଇଜି ପଦବି, ୧୫ ଏସ୍‌ପି ଏବଂ ୨୪୮ ଇନ୍ସପେକ୍ଟର ପଦବି ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର