ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ବଢ଼ିଛି ସାଇବର ଅପରାଧ, କମିଛି ଡକାୟତି
ବିପୁଳ ପରିମାଣର ଗଞ୍ଜେଇ ଓ ବ୍ରାଉନସୁଗାର ଜବତ
ମାଓ ମୁକ୍ତ ହୋଇଛି ୫ଜିଲ୍ଲା, ଧରାପଡ଼ିଛନ୍ତି ଶିକାରୀ

ଭୁବନେଶ୍ବର : ସାଇବର ଅପରାଧ ବଢ଼ିଛି। ପାଖାପାଖି ୩୮ କିଲୋଗ୍ରାମ୍ ବ୍ରାଉନସୁଗାର, ୧୬୩୮ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ୨୦୨୦ ମସିହାରେ ଡକାୟତି, ଲୁଣ୍ଠନ, ଚୋରି, ଠକେଇ କମିଛି। କିନ୍ତୁ ଦୁଷ୍କର୍ମ କ୍ଷେତ୍ରରେ ଦଣ୍ଡବିଧାନ ୧୮ ପ୍ରତିଶତ, ନରହତ୍ୟାରେ ୩୦ ପ୍ରତିଶତ ଓ ପୋକ୍‌ସ ମାମଲାରେ ୧୨ ପ୍ରତିଶତ ରହିଛି।

ଆଜି ବିଧାନସଭାରେ ଆଇନଶୃଙ୍ଖଳା ସଂକ୍ରାନ୍ତ ମୁଲତବୀ ଆଲୋଚନାର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଭଳି ତଥ୍ୟ ରଖିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ମନ୍ତ୍ରୀ ଦାବି କରିବା ସହିତ ଏକଥା ବି କହିଛନ୍ତି, ବାଲିଖାଦାନ ଠାରୁ ଆରମ୍ଭକରି ସଂଗଠିତ ଅପରାଧ ବିରୋଧରେ ପୁଲିସ ଅଭିଯାନ କରିଥିଲା, ସଫଳ ହୋଇଛି। ସାଇବର ଅପରାଧ କିନ୍ତୁ ବଢ଼ିଛି।

ମନ୍ତ୍ରୀ କହିଥିଲେ, ୨୦୨୦ ମସିହା ଓ ଚଳିତବର୍ଷ ଏଯାଏ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ବିଭିନ୍ନ ସଂପ୍ରଦାୟ ମଧ୍ୟରେ ସାଂପ୍ରଦାୟିକ ସଦ୍‌ଭାବ ବଜାୟ ରହିଛି। ଆଦିବାସୀ ଅଧିକାର ହେଉ କି ଜମି ଅଧିଗ୍ରହଣ ଅଥବା ବିସ୍ଥାପିତ, ଥଇଥାନ ସବୁକୁ ନେଇ ଉପୁଜୁଥିବା ଆଇନଶୃଙ୍ଖଳା ପରିସ୍ଥିତି କଥାବାର୍ତ୍ତା ମଧ୍ୟରେ ପ୍ରତିହତ କରାଯାଇଛି।

ଅନ୍ୟପକ୍ଷରେ ୪୮ ଜଣ ପୁଲିସ କର୍ମଚାରୀ କୋଭିଡ୍ ଯୋଦ୍ଧା ଭାବେ ସହିଦ୍ ହୋଇଛନ୍ତି। ୧୦୦୨ ପୁଲିସ କର୍ମଚାରୀ କୋଭିଡ୍ ଯୋଦ୍ଧାଙ୍କ ପାଇଁ ପ୍ଲାଜ୍‌ମା ଦାନ କରିଛନ୍ତି। ଓଡ଼ିଶାର ୫୪ ହଜାର ୬୮୪ ଜଣ ପୁଲିସ କର୍ମଚାରୀଙ୍କୁ ଟିକାକରଣ କରାଯାଇଛି।

ଶ୍ରୀ ମିଶ୍ର କହିଥିଲେ, କେନ୍ଦ୍ର ସରକାରଙ୍କ ନିରାପତ୍ତା ଜନିତ ବ୍ୟୟ ଯୋଜନା ଅନୁଯାୟୀ ଯେଉଁ ୧୫ଟି ଜିଲ୍ଲା ନକ୍ସଲ ପ୍ରଭାବିତ ବୋଲି କୁହାଯାଉଛି, ତା ମଧ୍ୟରୁ ଅନୁଗୁଳ, ବୌଦ୍ଧ, ଦେବଗଡ, ନୟାଗଡ଼, ସମ୍ବଲପୁର ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ ଅଛନ୍ତି। ୨୦୨୦ ମସିହାରେ ୧୬ ଜଣ ମାଓବାଦୀ ପୁଲିସ ସହିତ ଗୁଳିଗୋଳା ବିନିମୟରେ ପ୍ରାଣ ହରାଇଛନ୍ତି। ଜଣେ ମାଓବାଦୀ ଗ୍ରାମବାସୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ୩୪ ଜଣ ମାଓବାଦୀ ନକ୍ସଲ କାର୍ଯ୍ୟକଳାପ ପାଇଁ ଗିରଫ ହୋଇଥିବା ବେଳେ ୨୧ ଜଣ ଆତ୍ମସମର୍ପଣ କରିଛନ୍ତି। ୬୦ଟି ବନ୍ଧୁକ, ୬୩ଟି ଉନ୍ନତମାନର ବିସ୍ଫୋରକ ଓ ଅପରାଧିକ ସାମଗ୍ରୀ ଜବତ ହୋଇଛି। ଚଳିତବର୍ଷ ଫେବ୍ରୁଆରି ୨୦ ତାରିଖ ସୁଦ୍ଧା ଜଣେ ମାଓବାଦୀର ମୃତ୍ୟୁ ହୋଇଛି ଏବଂ ୩ଜଣଙ୍କୁ ଗିରଫ କରାଯାଇଛି। ଜଣେ ଆତ୍ମସମର୍ପଣ କରିଛନ୍ତି। ୧୧ଟି ବନ୍ଧୁକ ଏବଂ ୮ଟି ଉନ୍ନତମାନର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

୨୦୨୦ ମସିହାରେ ଡକାୟତି ମାମଲାରେ ୧୨.୫ ପ୍ରତିଶତ, ଲୁଣ୍ଠନ ମାମଲାରେ ୧୩ ପ୍ରତିଶତ, ଚୋରି ମାମଲାରେ ୩ ପ୍ରତିଶତ ଅପରାଧ ପୂର୍ବବର୍ଷ ତୁଳନାରେ ହ୍ରାସ ଘଟିଛି। ସେହିଭଳି ୭.୪ ପ୍ରତିଶତ ଠକେଇ ବି କମିଛି। ସେସ୍‌ନ୍ସ ମକଦ୍ଦମାରେ ଦୁଷ୍କର୍ମ କ୍ଷେତ୍ରରେ ଦଣ୍ଡବିଧାନ ୧୮ ପ୍ରତିଶତ, ନରହତ୍ୟାରେ ୩୦ ପ୍ରତିଶତ ଓ ପୋକ୍‌ସ ମାମଲାରେ ୧୨ ପ୍ରତିଶତ ରହିଛି।

ମହିଳାମାନଙ୍କ ବିରୋଧରେ ଘଟୁଥିବା ମାମଲାକୁ ରେଡ୍ ଫ୍ଲାଗ୍ ପର୍ଯ୍ୟାୟ ଭୁକ୍ତ ହେଉଛି। ୧୩୯ଟି ମାମଲାରେ ସ୍ବତନ୍ତ୍ର ପବ୍ଲିକ୍ ପ୍ରସ୍ୟୁକଟର ନିଯୁକ୍ତି ଦିଆଯାଇଥିବା ବେଳେ ରେଡ୍ ଫ୍ଲାଗ୍ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୩୭ ପ୍ରତିଶତ ରହିଛି। ଏସ୍‌ଟିଏଫ୍‌, ସିଆଇଡି, କ୍ରାଇମବ୍ରାଞ୍ଚ ଦ୍ବାରା ୨୦୨୦ ମସିହାରେ ୭ଟି ଚିତାବାଘ ଚମଡା, ୨ଟି ବଜ୍ରକାପ୍ତା, ୨ଟି ହରିଣ ଚମଡ଼ା ଜବତ ହୋଇଛି। ୨୦୨୧ ମସିହାରେ ଜାନୁଆରି ମାସ ସୁଦ୍ଧା ୩ଟି ହାତୀଦାନ୍ତ ଓ ୨ଟି ଚିତାବାଘ ଚମଡା ଜବତ କରାଯାଇଛି।

ମନ୍ତ୍ରୀ କହିଥିଲେ ଯେ ସମଗ୍ର ରାଜ୍ୟରେ ସଂଗଠିତ ଅପରାଧ ଓ ଚୋରାଚାଲାଣ ବିରୋଧରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଅକ୍ଟୋବର ୧୫ ତାରିଖରୁ ମାସେ ବ୍ୟାପି ଚାଲିଥିଲା। ସେବେ ସମୁଦାୟ ୩୧୧ଟି ମକଦ୍ଦମା ରୁଜୁ ହୋଇଥିବା ବେେଳ ୪୦୨ଜଣଙ୍କୁ ଗିରଫ କରାଯାଇଛି। ବହୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଯାନବାହାନ ଓ ନଗଦ ଟଙ୍କା ଜବତ କରାଯାଇଛି। ଏଥିରେ େବଆଇନ ବାଲିଖନନ, ପରିବହନ ବିରୋଧରେ ୧୭୩ଟି ମାମଲା ରୁଜୁ ହୋଇଛି ଓ ୨୪୫ଜଣଙ୍କୁ ଗିରଫ କରାଯାଇଛି। ୨୧୫ଟି ଗାଡ଼ି ଜବତ କରାଯାଇଛି। ସେହିଭଳି ଛୋଟ ଖଣିଜ ପଦାର୍ଥର ବେଆଇନ ପରିବହନ ବିରୋଧରେ ୨୫୦ଟି ମାମଲା ରୁଜୁ ହୋଇଛି ଏବଂ ୩୨୨ଜଣଙ୍କୁ ଗିରଫ କରାଯାଇଛି। ଏହି କାରବାରରେ ଲିପ୍ତ ୨୪୨ଟି ଗାଡ଼ି ଜବତ ହୋଇଛି।

ଈଶ୍ବର ବେହେରା ମାମଲାରେ କ୍ରାଇମବ୍ରାଞ୍ଚ ସଫଳତା ନେଇ ମନେ ପକାଇଥିଲେ ମନ୍ତ୍ରୀ। ୨୦୧୫ ମସିହାରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ କାମ କରୁଥିବା ଫଟୋଗ୍ରାଫର ଈଶ୍ବର ପାକିସ୍ତାନକୁ ତଥ୍ୟ ପ୍ରଦାନ କରିଥିଲା। ଏହି ମାମଲାରେ ତାକୁ ଜାବତ୍‌ଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲା।

ନୟାଗଡ ନାବାଳିକା ମୃତ୍ୟୁ ପ୍ରସଙ୍ଗରେ ଗଠନ କରାଯାଇଥିବା ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ସରୋଜ ସେଠୀକୁ କିଭଳି ଗିରଫ କରିଥିଲେ, ମନ୍ତ୍ରୀ ସେ ତଥ୍ୟ କହିଥିଲେ। ଏହି ମାମଲାରେ ଅଭିଯୋଗ ଫର୍ଦ ଦାଖଲ ହୋଇସାରିଛି। ସେହିଭଳି ୨୦୨୦ ମସିହା ଓ ଚଳିତ ବର୍ଷ କଟକ ଖାଦ୍ୟ ଅପମିଶ୍ରଣରେ ୨୫ଟି ମକଦ୍ଦମା ରୁଜୁ ହୋଇଛି ଓ ୨୮ ଜଣଙ୍କୁ ଗିରଫ କରାଯାଇଛି। କନ୍ଧମାଳ ଜଲେଶପଟ୍ଟା ଆଶ୍ରମର ସ୍ବାମୀ ଜିବାନନ୍ଦଙ୍କୁ ଧମକ ଘଟଣାରେ ବି ଅପରାଧୀ ଗିରଫ ହୋଇଛନ୍ତି। ଗୁଣିଗାରେଡି ରୋକିବା ପାଇଁ ସରକାର ଆଇନ କରିଛନ୍ତି ବୋଲି ମନ୍ତ୍ରୀ ଗୃହରେ ତଥ୍ୟ ରଖିଥିଲେ।
ସାଇବର ଅପରାଧ ସଂପର୍କରେ ତଥ୍ୟ ରଖି ମନ୍ତ୍ରୀ କହିଥିଲେ, ୨୦୨୦ ମସିହାରେ ୧୯୩୧ଟି ଏ ସଂକ୍ରାନ୍ତ ମାମଲା ରୁଜୁ ହୋଇଛି। ୩୬୬ ଜଣଙ୍କୁ ଗିରଫ କରାଯାଇଛି। ୨୦୧୯ରେ ୧୪୭୫ଟି ମାମଲା ରୁଜୁ ହୋଇଥିଲା। ନିକଟରେ ସାଇବର ଅପରାଧର ତଦନ୍ତ ପାଇଁ ୧୮୫ ଜଣ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୨୦ ମସିହାରେ ୨୧.୩୧ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି।
ସେହିଭଳି ଡ୍ରଗ୍୍‌ସ କାରବାର ସଂପର୍କରେ ବି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ତତ୍ତ୍ବାବଧାନରେ ପ୍ରଭାବଶାଳୀ ଅଭିଯାନ କରାଯାଇଥିଲା। ୨୦୨୦ ମସିହାରେ ୧୫୪୯ କ୍ବିଣ୍ଟାଲ, ୨୦୨୧ ମସିହାରେ ୮୯ କ୍ବିଣ୍ଟାଲ ଗଞ୍ଜା ଜବତ ହୋଇଛି। ୨୦୨୦ ଓ ୨୦୨୧ ଜାନୁଆରି ଶେଷ ସୁଦ୍ଧା ୩୭ କିଲୋଗ୍ରାମ୍ ୯୭୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି।

ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମିଶ୍ର ଉତ୍ତର ରଖିଲା ବେଳେ ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେପି ସଦସ୍ୟମାନେ ବ୍ୟାନର୍‌ ଧରି ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ସେହିପରି କଂଗ୍ରେସ ସଦଦ୍ୟମାନେ ମଧ୍ୟ ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ। ପରେ ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରି ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର