ବାଲିଘାଟ ଯୋଗୁ ମୁଣ୍ଡ ଗଡ଼ୁଛି, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ୪୬ଟିର ଖନନ ଅନୁମତି ଶେ‌ଷ ହେବ, ତା’ପରେ?

ରାଜସ୍ବ ଅଧିକାରୀ ଓ ରାଜନେତାଙ୍କ ବାହୁଛାୟା ତଳେ ବାଲି ମାଫିଆ

ଯାଜପୁର,(ସଂଗ୍ରାମ କେଶରୀ ସିଂହ): ଗତକାଲି ବାଲିଘାଟକୁ କେନ୍ଦ୍ରକରି ବୋମାମାଡ଼ ଓ ଜଣେ ଲିଜ୍‌ଧାରୀଙ୍କ ମୃତ୍ୟୁପରେ ବାଲିମାଫିଆଙ୍କ ଦୌରାତ୍ମ୍ୟ ସାମ୍‌ନାକୁ ଆସିଥିଲେ ବି ଏହା ପ୍ରଥମ ଘଟଣା ନୁହେଁ। ଯାଜପୁର ଜିଲ୍ଲାରେ ମାଫିଆଙ୍କ ନିୟନ୍ତ୍ରଣରେ ବାଲିଘାଟ ରହିଛି। ରାଜସ୍ବ ଅଧିକାରୀ ଓ ରାଜନେତା ପ୍ରୋତ୍ସାହନ ଯୋଗାଇ ଆସୁଥିବାରୁ ସେମାନେ ମନଇଚ୍ଛା ଲୁଟ୍‌ କରି ଚାଲିଛନ୍ତି। ଫଳରେ ଶହ ଶହ କୋଟି ଟଙ୍କା ରାଜସ୍ବ ଲୁଟ୍ ହେଉଛି। ଚଳିତମାସରେ ୪୬ଟି ବାଲିଘାଟର ଖନନ ଅନୁମତି ଶେଷହେବାକୁ ଥିବାବେଳେ ଆହୁରି ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଆସନ୍ତା ୩୧ତାରିଖ ସୁଦ୍ଧା ଜିଲ୍ଲା ଜିଲ୍ଲାର ଯେଉଁ ୪୬ଟି ବାଲିଘାଟର ଖନନ ଅନୁମତି ଶେଷହେବ, ସେଥିମଧ୍ୟରୁ ସର୍ବାଧିକ ୧୪ଟି ରହିଛି ଯାଜପୁର ତହସିଲ୍‌ ଅଧୀନରେ। ସେହିଭଳି, ବରୀ, ଧର୍ମଶାଳା ଓ ରସୁଲପୁରରେ ପ୍ରତ୍ୟେକ ବ୍ଲକ୍ ରେ ୭ଟି କରି ବାଲିଘାଟ, ବ୍ୟାସନଗର ତହସିଲରେ ୫ଟି, ବିଂଝାରପୁରରେ ୪ଟି, ଦର୍ପଣ ଓ ଦଶରଥପୁରରେ ୧ଟି ‌କରି ବାଲିଘାଟର ଖନନ ଅନୁମତି ଶେଷ ହେବ। ଏହି ବାଲିଘାଟର ସିଟିଓ(ଖନନ ପାଇଁ ଅନୁମତି) ସମୟ ସୀମା ଧାର୍ଯ୍ୟ ହୋଇଛି। ଏହି ବାଲିଘାଟ ମଧ୍ୟରୁ ଧର୍ମଶାଳା ତହସିଲର ମାତ୍ର ୨ଟି ବାଲିଘାଟ ବୃନ୍ଦାଦେଇପୁର ଓ ରାଇଛନ୍ଦା ବାଲିଘାଟରେ ସେମି ମେସିନ୍ ଦ୍ବାରା ପରିଚାଳିତ ହେବ ବୋଲି ଖଣି ବିଭାଗର ଡିଡିଏମ(ଯାଜପୁରରୋଡ଼) ଅନୁମତି ଦେଇଛନ୍ତି। ଅନ୍ୟ କୌଣସି ଠାରେ ମେସିନ୍ ବ୍ୟବହାର ପାଇଁ ଅନୁମତି ନାହିଁ। ମାତ୍ର ଦିନରାତି ଏକାଧିକ ମେସିନରେ ବାଲି ଖୋଳା ଚାଲିଛି। ଏପରିକି ତହସିଲଦାରମାନେ ମଧ୍ୟ ଆଇନ୍ ଉଲ୍ଲଂଘନ କରି ଏହାକୁ ଅନୁମତି ଦେଉଛନ୍ତି। ଲିଜ୍‌ଠାରୁ ବହୁଗୁଣ ଅଞ୍ଚଳରୁ ବାଲି ତଡ଼ା ହୋଇ ହାଇୱାଗୁଡ଼ିକରେ ବେଆଇନ ଭାବେ ଚାଲାଣ ହେଉଛି। ଫଳରେ, ରାସ୍ତାଘାଟ ଓ ନଦୀବନ୍ଧ ଶୋଚନୀୟ ହେଉଥିବାକୁ କେନ୍ଦ୍ର କରି ଗ୍ରାମବାସୀ ଓ ଲିଜ୍‌ଧାରୀଙ୍କ ମଧ୍ୟରେ ଅନେକସମୟରେ ଆଇନଶୃଙ୍ଖଳା ସୃଷ୍ଟି ହେଉଛି।

The Hans India

ଅନ୍ୟପକ୍ଷରେ, ବାଲିଘାଟ ବେଆଇନ କାରବାର ନିକଟରେ ତହସିଲ ଓ ଥାନାଫାଣ୍ଡି ଏକପ୍ରକାର ବନ୍ଧା ପଡ଼ିଥିବା କୁହାଯାଉଛି । ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ ଅନୁସାରେ, ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ବୃହତ୍‌ ପ୍ରକଳ୍ପ ନିର୍ମାଣ ଚାଲୁଥିବାରୁ ଲଘୁଖଣିଜ ସମ୍ପଦ ଲୁଟ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି। ଜିଲ୍ଲା ସଦର ମହକୁମାରେ ମେଡ଼ିକାଲ କଲେଜ, ବସଷ୍ଟାଣ୍ଡ, କ୍ରୀଡ଼ା ପ୍ରକଳ୍ପ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପରେ ଶହ ଶହ କୋଟି ଟଙ୍କାର ଚୋରା ଓ ବେଆଇନ ବାଲି ବ୍ୟବହାର ହେଉଥିବା ବେଳେ ପ୍ରଭାବଶାଳୀ ଅସାଧୁମେଣ୍ଟ ନିକଟରେ ପ୍ରଶାସନ ନିଃସହାୟ ହୋଇପଡ଼ିଛି। ଯାଜପୁର ଜିଲ୍ଲାରୁ ମଧ୍ୟ ପଡ଼ୋଶୀ ଭଦ୍ରକ, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର ଜିଲ୍ଲାକୁ ମଧ୍ୟ ଚୋରା ବାଲିଚାଲାଣ ହେଉଛି। ଏହାକୁ ରୋକିବା ପାଇଁ କାହାରି ତତ୍ପରତା ନାହିଁ। ଅଥଚ ବିଭିନ୍ନ ସମୟରେ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ତାଗିଦ୍‌ କରିବା ଫଳରେ ପରିବେଶ ସୁରକ୍ଷା ପାଇଁ କେତେକ ସ୍ଥାନରେ ପଦକ୍ଷେପ ନିଆଯାଉଛି। ଜିଲ୍ଲାରେ ପରିବେଶ ସୁରକ୍ଷା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ଯାଜପୁରରୋଡ଼ରେ କାର୍ଯ୍ୟ କରୁଥିଲେ ହେଁ ପରିବେଶ ସୁରକ୍ଷା ପ୍ରତି ଏହି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି। ଯାହାକୁ ନେଇ ବାରମ୍ବାର ଅଭିଯୋଗ ହେଉଥ‌ି‌ଲେ ବି କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଲଘୁଖଣିଜ ସମ୍ପଦ କେଳେଙ୍କାରୀ ଦ୍ବାରା ମାଫିଆମାନେ ଅର୍ଥ ବଳରେ ବଳୀୟାନ ହୋଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାରେ ମାଷ୍ଟରମାଇଣ୍ଡ ସାଜିଛନ୍ତି। ଜିଲ୍ଲାର ଲଘୁଖଣିଜ ସମ୍ପଦ କ‌େଳେଙ୍କାରୀକୁ ରୋକିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଜିଲ୍ଲାର ବୁଦ୍ଧିଜୀବୀ ଦାବି କରିଛନ୍ତି।

 

ଉଲ୍ଲେଖଯୋଗ୍ୟ ଯେ ଗତକାଲି ବିଂଝାରପୁର ଥାନା ଅଞ୍ଚଳର ଖରସ୍ରୋତା ନଦୀର ମନେଇ ଲିଜ୍ ବାଲିଘାଟରେ ବୋମାମାଡ଼ରେ ଲିଜ୍‌ଧାରୀ ଯୁବକ ସୁରେନ୍ଦ୍ର ଦାଶଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏହାପୂର୍ବରୁ ବିଭିନ୍ନ ବାଲିଘାଟରେ ପୂର୍ବତନ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଏକାଧିକ ତହସିଲଦାର ଓ ଅନ୍ୟ ଅଧିକାରୀମାନେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ତଥାପି ଏହାକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ଗୁରୁତ୍ବ ଦେଇନାହିଁ। ବାଲିଘାଟ କାରବାରରେ ରାଜସ୍ବ ବିଭାଗ ଅଧିକାରୀ ଓ କେତେକ ରାଜନେତାଙ୍କ ପରୋକ୍ଷ ସମ୍ପୃକ୍ତିରେ ଚାଲିଛି। ଯାହାକୁ ନିୟନ୍ତ୍ରଣ କରିବାକୁ ତଳସ୍ତରରେ କର୍ମଚାରୀ ସାହସ ଜୁଟାଇ ପାରୁନାହାନ୍ତି। ବାଲିମାଫିଆଙ୍କ ସହିତ କେତେକ ଅଧିକାରୀଙ୍କ ଅସାଧୁମେଣ୍ଟ ଜିଲ୍ଲାର ଆଇନ୍ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ ଭିତରକୁ ଠେଲି ଦେଇଛି।

ସମ୍ବନ୍ଧିତ ଖବର