ଆଇନ କଲେଜ ଛାତ୍ରଙ୍କ ଦଣ୍ଡାଦେଶ କୋହଳ

କଟକ: ମଧୁସୂଦନ ଆଇନ କଲେଜର ଆଣ୍ଟି ର‍୍ୟାଗିଂ କମିଟି ଦ୍ୱାରା ଦଣ୍ଡିତ ଦୁଇ ଛାତ୍ରଙ୍କ ଦଣ୍ଡାଦେଶକୁ ହାଇକୋର୍ଟ କୋହଳ କରିଛନ୍ତି। ୨୦୧୭, ନଭେମ୍ବର ୧୮ରେ କଲେଜର ଦୁଇ ଛାତ୍ରଙ୍କୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା। ଆଣ୍ଟି ର‍୍ୟାଗିଂ କମିଟି ଅଧ୍ୟକ୍ଷ ତଥା କଲେଜର ପ୍ରନ୍ସିପାଲଙ୍କ ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଛାତ୍ର ଦୁଇ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କଲେଜ ନିର୍ବାଚନ ଗଣ୍ଡଗୋଳକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେମାନଙ୍କୁ ଆଣ୍ଟି ର‍୍ୟାଗିଂ କମିଟି ଦଣ୍ଡ ପ୍ରଦାନ କରିବା ଗ୍ରହଣୀୟ ନୁହେଁ ବୋଲି ସେମାନେ ଦର୍ଶାଇଥିଲେ। ଆଇନ ଉଲ୍ଳଂଘନ କରି ଓ ସେମାନଙ୍କୁ ପକ୍ଷ ରଖିବାର ସୁଯୋଗ ନ ଦେଇ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବାରୁ ଏହା ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇ ଥିଲେ। ଅନ୍ୟପକ୍ଷରେ ନୋଟିସ୍‌ ଜାରି ସତ୍ୱେ ଛାତ୍ରମାନେ ନିର୍ଦ୍ଧାରିତ ଦିନ କମିଟି ନିକଟରେ ହାଜର ହୋଇ ନଥିଲେ ବୋଲି କଲେଜ ପକ୍ଷରୁ ଦର୍ଶାଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଛାତ୍ରଙ୍କ ନିଲମ୍ବନ ଅବଧି ଡିସେମ୍ବର ୧୮ ତାରିଖକୁ ହ୍ରାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରମାନେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣି ମର୍ଯ୍ୟାଦାଜନକ ଶିକ୍ଷା ଅନୁଷ୍ଠାନର ଗୌରବ ଅକ୍ଷୁଣ୍ଣ ରଖିବେ ବୋଲି ପ୍ରକାଶିତ ରାୟରେ ଉଲ୍ଳେଖ କରାଯାଇଛି।

ସମ୍ବନ୍ଧିତ ଖବର