ଲଜପତ ରାୟ ଆଇନ ମହାବିଦ୍ୟାଳୟ ପାଣ୍ଠି ହସ୍ତାନ୍ତର ପ୍ରସଂଗ: ଇସ୍ତଫା ଦେଲେ ଅଧ୍ୟକ୍ଷ ଗିରିଜା ଶର୍ମା

ସମ୍ବଲପୁର : ପରିଶେଷରେ ଲଜପତ ରାୟ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିବା ପ୍ରଫେସର ଗିରିଜା ଶଙ୍କର ଶର୍ମା ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି କଲେଜର ଅଧ୍ୟକ୍ଷ ପଦରୁ କିଛି ବର୍ଷ ତଳେ ସେ ଅବସର ନେଇଥିଲେ। ହେଲେ, କିଛିଦିନ ତଳେ ପୁଣି ଅତିଥି ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆଦେଶ ଅନୁସାରେ ସେ ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟାନନ୍ଦ ବେହେରାଙ୍କଠାରୁ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିଲେ। ଶ୍ରୀ ବେହେରା ସ୍ଥାୟୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କଠାରୁ ଜଣେ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ପଦ ଦିଆଯିବା ପଛରେ ନା’ ନା’ କଥା ଚର୍ଚ୍ଚା ହୋଇଥିଲା।

ତ‌େବେ, ପ୍ରଫେସର ଶର୍ମା କଲେଜର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବା ପରେ ମହାବିଦ୍ୟାଳୟର ନିଜସ୍ବ ପାଣ୍ଠିରେ ଥିବା ୬୨ ଲକ୍ଷ ଟଙ୍କା ବିଶ୍ବବିଦ୍ୟାଳୟକୁ ପ୍ରଦାନ କରିବା ପ‌ରେ ସେ ବିବାଦ ‌ଘେରକୁ ଚାଲି ଆସିଥିଲେ। ଏହି ଅର୍ଥ ଛାତ୍ରଛାତ୍ରୀମାନଙ୍କଠାରୁ ବିଭିନ୍ନ ଫି’ ଆକାରରେ ସଂଗୃହୀତ ହୋଇଥିଲା। ବିଶ୍ବବିଦ୍ୟାଳୟ କିଛି ବର୍ଷ ତଳେ ଏହି କଲେଜକୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସ୍ଥିର କରିଥିଲା। ଏ ନେଇ ତତ୍କାଳୀନ କୁଳସଚିବ ଏହି କଲେଜର ଅଧ୍ୟକ୍ଷଙ୍କୁ ପତ୍ର ଲେଖି କଲେଜ କୋଠାର ମରାମତି, ନବୀକରଣ, ପରିମଳ ବ୍ୟବସ୍ଥା ଆଦି ବାବଦକୁ ଖର୍ଚ୍ଚ ହେବ ବୋଲି ଦର୍ଶାଇଥିଲେ। ଏହା ସତ୍ତ୍ବେ ବିଶ୍ବବିଦ୍ୟାଳୟ କିନ୍ତୁ ଗତ ୭ ବର୍ଷ ମଧ୍ୟରେ ଏ ବାବଦକୁ ଟଙ୍କାଟିଏ ଦେଇନଥିବା ଅଭିଯୋଗକରି ପୁରାତନ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ପୁରାତନ ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନ ଯୋଗୁ ୨ ଦିନ ପର୍ଯ୍ୟନ୍ତ କଲେଜ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏପଟେ ପୁରାତନ ଛାତ୍ରଛାତ୍ରୀମାନେ କଲେଜ ପାଣ୍ଠିରୁ ନିଆଯାଇଥିବା ଟଙ୍କା ତୁରନ୍ତ କଲେଜକୁ ପୁଣି ଫେରସ୍ତ ନକରାଗଲେ ଏ ସଂକ୍ରାନ୍ତରେ ଥାନାରେ ଏତଲା ଦେବାକୁ ଧମକ ଦେଇଥିଲେ। ଏଭଳି ବିବାଦୀୟ ପରିସ୍ଥିତି ଯୋଗୁ ପ୍ରଫେସର ଶର୍ମା ଆଜି ଚାକିରିରୁ ଇସ୍ତଫା ଦେଇଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଇଥିବା ଏହି ପତ୍ରରେ ସେ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଉଥିବା ପ୍ରଫେସର ଶର୍ମା ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର