ଭୁବନେଶ୍ବର : ୨୦୧୫ ମସିହାରେ ଘୋଷଣା ହେଲା ଭାଗଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ହେବ। ୨୦୧୬ରେ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ କମିଟି ଗଠନ ହେଲା। ୨/୩ ବର୍ଷ ଯାଏ ତୁହାକୁ ତୁହା ବୈଠକ ହେଲା। ପୁଣି ଆଇନ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେଲା। ବହୁ ମାନସ ମନ୍ଥନ ପରେ ଚିଠା ଆଇନ ପ୍ରସ୍ତୁତ ହେଲା। କିନ୍ତୁ ତାହା ଆଇନରେ ପରିଣତ ହୋଇପାରିଲା ନାହିଁ। ପ୍ରକ୍ରିୟା ଆରମ୍ଭ ହେବାର ୬ ବର୍ଷ ପରେ ଫଳାଫଳ ଶୂନ। ବର୍ଷ ବର୍ଷ ଧରି ଭାଗ ଚାଷୀ ଯେମିତି ସମସ୍ୟା ଭୋଗୁଥିଲେ, ଏବେ ତାହା ‌ସେମିତି ରହିଛି।

Advertisment

ଓଡ଼ିଶାରେ ୭୦% ଜମିକୁ ଭାଗଚାଷୀମାନେ ଚାଷୀ କରନ୍ତି। ପାରମ୍ପରିକ ଧାରାରେ ବର୍ଷ ବର୍ଷ ଧରି ରାଜ୍ୟରେ ଭାଗ ଚାଷ ବ୍ୟବସ୍ଥା ଚାଲିଛି। ରାଜ୍ୟରେ ପ୍ରଚଳିତ ଆଇନ ବ୍ୟବସ୍ଥାରେ ଭାଗ ଚାଷୀଙ୍କୁ ସ୍ବୀକୃତି ଦିଆଯାଇନାହିଁ। ଜମି ଭାଗ ନେଇ ଚାଷ କରିବା ଆଇନଗତ ଭାବେ ସିଦ୍ଧ ନୁହେଁ। ତେଣୁ ଜମି ମାଲିକ ଓ ଚାଷୀ ନିଜ ନିଜ ଭିତରେ ଅନୌପଚାରିକ ଚୁକ୍ତି କରି ଜମି ଚାଷ କରୁଛନ୍ତି। ଭାଗଚାଷୀମାନେ ଜମିର ମାଲିକ ହୋଇ ନ ଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଉନାହାନ୍ତି। ଚାଷ ପାଇଁ ବ୍ୟାଙ୍କ ଋଣରୁ ମଧ୍ୟ ସେମାନେ ବଞ୍ଚିତ ହେଉଛନ୍ତି। ଧାନ ବିକିବାରେ ସମସ୍ୟା ସୃଷ୍ଟି ହେଉଛି। ପ୍ରାକୃତିକ ଦୁର୍ବିପାକ ସମୟରେ ଫସଲ ନଷ୍ଟ ପାଇଁ ସରକାର ଚାଷୀଙ୍କ ନିମନ୍ତେ ବିଭିନ୍ନ ପ୍ୟାକେଜ୍‌ ଘୋଷଣା କରୁଥିଲେ ବି ଭାଗ ଚାଷୀ ସେଥିରୁ ଉପକୃତ ହୋଇପାରୁ ନାହାନ୍ତି।

ଏହାକୁ ନଜରରେ ରଖି ଓଡ଼ିଶା ସରକାର ଭାଗ ଚାଷୀଙ୍କୁ ସ୍ବୀକୃତି ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ୨୦୧୫ ମସିହାରେ ଏ ସମ୍ପର୍କରେ ଘୋଷଣା କଲା ପରେ ୨୦୧୬ ମସିହାରେ ତତ୍‌କାଳୀନ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହେଲା। ସେଥିରେ କୃଷି, ଆଇନ, ପଞ୍ଚାସୟତିରାଜ, ସମବାୟ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ସଦସ୍ୟ ରହିଲେ। ସେହି ସମୟରେ ରାଜସ୍ବ ମନ୍ତ୍ରୀ ଥିଲେ ବିଜୟଶ୍ରୀ ରାଉତରାୟ। ତାଙ୍କ ଅଧ୍ୟକ୍ଷତା‌ରେ କମିଟିର ପ୍ରଥମ ବୈଠକ ବସିଥିଲା। ଖୁବ୍ ଶୀଘ୍ର ଆଇନ ପ୍ରଣୟନ କରାଯିବ ବୋଲି କୁହାଯାଇଥିଲା। ୨୦୧୭ ମସିହାରେ ପରବର୍ତ୍ତୀ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକାଧିକ ଥର ବୈଠକ ବସିଲା। ମନ୍ତ୍ରୀସ୍ତରୀୟ ବୈଠକରେ କୌଣସି ସହମତି ନ ଆସିବାରୁ ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଅଫିସର୍‌ ସ୍ତରୀୟ କମିଟି ଗଠନ ହେଲା। ଏହି କମିଟି ଆବଶ୍ୟକ ଅନୁଧ୍ୟାନ କରି ମନ୍ତ୍ରୀସ୍ତରୀୟ କମିଟିକୁ ପରାମର୍ଶ ଦେଲା। ୨୦୧୭ରେ ହିଁ ନୂଆ ଆଇନ ପ୍ରଣୟନ ହେବ ବୋଲି ମନ୍ତ୍ରୀ ବାରମ୍ବାର କହିଥିଲେ। କିନ୍ତୁ ତାହା କେବଳ କଥାରେ ହିଁ ରହିଗଲା।

ମନ୍ତ୍ରୀ ସ୍ତରୀୟ କମିଟିରେ ମୁଖ୍ୟତଃ ଦୁଇଟି ବିଷୟ ଉପରେ ମାନସ ମନ୍ଥନ କରାଯାଇଥିଲା। ଭାଗଚାଷୀଙ୍କୁ ସ୍ବୀକୃତି ଦେବା ପାଇଁ ନୂଆ ଆଇନ ପ୍ରସ୍ତୁତ ‌ହେବ ନା ଓଡ଼ିଶା ଲ୍ୟାଣ୍ଡ୍‌ ରିଫର୍ମ ଆକ୍ଟରେ ସଂଶୋଧନ କରାଯାଇ ଭାଗ ଚାଷୀଙ୍କୁ ସ୍ବୀକୃତି ଦିଆଯିବ? ଏହା ଉପରେ ବହୁ ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲା ଯେ ନୂଆ ଆଇନ ଆସିବ। ନୂଆ ଆଇନରେ କିପରି ଜମି ମାଲିକ ଓ ଭାଗ ଚାଷୀଙ୍କ ସ୍ବାର୍ଥ ରକ୍ଷା ହେବ, ତାହା ବଡ଼ ପ୍ରସଙ୍ଗ ପାଲଟିଥିଲା। ପାରମ୍ପରିକ ଭାବେ ଜମିରୁ ଯେଉଁ ଫସଲ ଉତ୍ପାଦନ ହେଉଛି ତାହାର ତିନି ଭାଗରୁ ଗୋଟିଏ ଭାଗ ମାଲିକ ନେଉଥିଲା ବେଳେ ଅନ୍ୟ ଦୁଇଟି ଭାଗ ଭାଗ ଚାଷୀଙ୍କୁ ଦିଆଯାଉଛି। ସେହି ଧାରା ଜାରି ରହିବ ନା ଫସଲକୁ ୪୦:୬୦ ହିସାବରେ ଭାଗ କରାଯିବ, ତାହାକୁ ନେଇ ଆଲୋଚନା ହୋଇଥିଲା। ସେହିପରି ଭାଗଚାଷୀଙ୍କୁ ଆଇନଗତ ସ୍ବୀକୃତି ଦେବା ପାଇଁ ଏକ ତ୍ରିପାକ୍ଷିକ ଚୁକ୍ତି କରିବାକୁ ପ୍ରସ୍ତାବ ରହିଥିଲା। ଜମି ମାଲିକ, ଭାଗ ଚାଷୀ ଓ ସ୍ଥାନୀୟ ଆର୍‌ଆଇ ଏହି ଚୁକ୍ତିନାମାରେ ଦସ୍ତଖତ କରିବେ। ଚୁକ୍ତି ଅବଧି ସରିଗଲେ ଜମିର ମାଲିକାନା ମୂଳ ମାଲିକ ପାଖରେ ହିଁ ରହିବ। ଏଥିରେ କାହାରି ସ୍ବାର୍ଥ ହାନୀ ହେବନି ବୋଲି ମତପ୍ରକାଶ ପାଇଥିଲା।

ବ୍ୟାପକ ମାନସ ମନ୍ଥନ ପରେ ‘ଓଡ଼ିଶା ଏଗ୍ରିକଲ୍‌ଚରାଲ୍‌ ଲ୍ୟାଣ୍ଡ୍‌ ଲିଜିଂ ଆକ୍ଟ’ ପ୍ରସ୍ତୁତ କରାଗଲା। ୨୦୨୦ ମାର୍ଚ୍ଚ ମାସରେ ଏହି ଚିଠା ଆଇନ୍‌ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇ ସର୍ବସାଧାରଣଙ୍କ ମତାମତ ମଗାଗଲା। ତାହାପରେ ନୂଆ ଆଇନ ପ୍ରକ୍ରିୟା ସେଇଠି ଅଟକିଗଲା। ଏ ସଂକ୍ରାନ୍ତୀୟ ବିଲ୍‌ କ୍ୟାବିନେଟ୍‌ର ସ୍ବୀକୃତି ପାଇଁ ଆସିଲା ନାହିଁ, କି ବିଧାନସଭାକୁ ଗଲା ନାହିଁ।

ଭାଗଚାଷୀମାନେ ହଇରାଣ ହେଉଛନ୍ତି ବୋଲି ଦୀର୍ଘ ଦିନ ପରେ ସରକାରଙ୍କ ନିଦ ଭାଙ୍ଗିଲା। ରାଜ୍ୟର ଅର୍ଦ୍ଧାଧିକ ଚାଷୀ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବାରୁ ନୂଆ ଆଇନ ପ୍ରଣୟନ କରିବାର ଆବଶ୍ୟକତା ପଡ଼ିଲା। ଏଥି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଲକ୍ଷ ଲକ୍ଷ ଭାଗ ଚାଷୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହେଲା। ଭବିଷ୍ୟତରେ ସେମାନେ ଚାଷ କାମ ପାଇଁ ସିଧାସଳଖ ସରକାରଙ୍କ ଠାରୁ ସୁବିଧା ସୁଯୋଗ ପାଇପାରିବେ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ସରକାରଙ୍କ ଅନ୍ୟ କାର୍ଯ୍ୟ ପରି ଏହି କାର୍ଯ୍ୟ ବି ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ୬ ବର୍ଷ ହେଲା ତର୍ଜମା ଚାଲିଥିଲେ ବି ଗୋଟିଏ ଗୁରୁତ୍ବପୂର୍ଣ୍ଣ ଆଇନ୍‌ ପ୍ରଣୟନ ହୋଇପାରିଲା ନାହିଁ। ବାସ୍ତବରେ ସରକାରୀ ବ୍ୟବସ୍ଥାରେ ଥିବା ମନ୍ତ୍ରୀ, ଅଧିକାରୀମାନଙ୍କର ଆନ୍ତରିକତାର ଅଭାବ ନା ଚାଷୀଙ୍କୁ ଭଣ୍ଡାଇବା ପାଇଁ ଏହା ଏକ ଚାଲ୍‌ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।