ଭୁବନେଶ୍ବର: ଲଜ୍ଜାହୀନ ୨୪ ବର୍ଷର ସରକାର, ରତ୍ନଭଣ୍ଡାର ଖୋଲି ପାରିଲେନି। ଗଣତି ମଣତି କରିପାରିଲେନି। ଆଜି ତାରିଖରେ ସେମାନେ କହିବେ କାହିଁକି କମିଟି ଭାଙ୍ଗିଗଲା, ଏହାଠୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ଆଉ କିଛି ହେଇନପାରେ। ବିଧାୟକ ପ୍ରମିଳା ମଲ୍ଲିକଙ୍କ ଟିପ୍ପଣୀରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Advertisment

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ଏକଥା ସ୍ପଷ୍ଟ ଯେ ସରକାର ୨୦/ ୨୫ ଦିନ ହେବ ହେଇଛି। ରତ୍ନ ଭଣ୍ଡାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ନୂଆ କମିଟି ଗଠନ ହୋଇଛି। ଭଣ୍ଡାର କେବେ ଖୋଲାଯିବ, ଆସନ୍ତାକାଲି କମିଟି ନିଷ୍ପତ୍ତି ନେବ। ରତ୍ନଭଣ୍ଡାର ଯଥା ସମୟରେ ଖୋଲାଯିବ ଗଣତିମଣତି କରାଯିବ। ପ୍ରତିଟି ଅର୍ଟିକିଲର ଡିଜିଟାଲ ଫଟୋ କପି କରାଯିବ। ସବୁକୁ ପ୍ରିଜର୍ଭ କରାଯିବ। ୫୦ ବର୍ଷ ପର୍ଯ୍ୟନ୍ତ ରେଫରାଲ୍ ଡକ୍ୟୁମେଣ୍ଟ ଭଳି ତାକୁ ବ୍ୟବହାର କରାଯିବ। ଉଦ୍ଭଟ କଥାରୁ ବିଜୁ ଜନତା ଦଳ ନିବୃତ ରହୁ।

ସୂଚନାଯୋଗ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି,  ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର କମିଟି ଭଙ୍ଗା ଯାଇଛି। ଅରିଜିତ ପଶାୟତଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ହଟାଇ ଦିଆଗଲା। ସେମାନେ କେତେବେଳେ କଣ କହୁଛନ୍ତି, ତାଙ୍କର କଣ ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିଛନ୍ତି। କେତେବେଳେ ରତ୍ନ ଭଣ୍ଡାର ଖୋଲିବା ତାରିଖ ଘୋଷଣା କରୁଛନ୍ତି, ପୁଣି ମନା କରୁଛନ୍ତି। ସେମାନେ ଠିକ୍ କଥା କରିବେନି, ଠିକ୍ ବାଟରେ ଯିବେନି। ଖାଲି ଭୁଆଁ ବୁଲେଇବେ।