ରତ୍ନଭଣ୍ଡାରକୁ ନେଇ ବଡ ସୂଚନା ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବଡ ସୂଚନା ଦେଇଛନ୍ତି । ଆଇନମନ୍ତ୍ରୀ କହିଛନ୍ତି କି, ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ । ଏହା ପୂର୍ବରୁ ମଧ୍ୟ ବିଜେପି ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ ଏକ ତାରିଖ ଧାର୍ଯ୍ୟ କରିଥିଲେ । ହେଲେ କୌଣସି କାରଣରୁ ବାତିଲ କରାଯାଇଥିଲା । ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପରେ ଆଇନମନ୍ତ୍ରୀ କହିଛନ୍ତି କି, ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲାହେବ । ଏହା ପୂର୍ବରୁ ଏଏସଆଇ ଅଧ୍ୟକ୍ଷ ମଧ୍ୟ କହିଥିଲେ କି ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାହେବ । ପୂର୍ବଥର ରତ୍ନଭଣ୍ଡାର ଗଣତି ୭୦ ଦିନ ଲାଗିଥିଲା । ଏଥର ମଧ୍ୟ ଲମ୍ବା ସମୟ ଲାଗିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏନେଇ ପ୍ରାରମ୍ଭିକ ଆଲୋଚନା ସରିଛି, କେବେ ଖୋଲିବ ସେ ନେଇ ତାରିଖ ଜଣେଇ ଦିଆଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ଏହାସହ ରତ୍ନଭଣ୍ଡାର ସଂପର୍କରେ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ଉଲ୍ଲେଖ ଥାଉ କି ପୂର୍ବରୁ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ ଆଜି କହିଥିଲେ ଜୁଲାଇ ୮ରେ ରତ୍ନଭଣ୍ଡାର ଖାେଲିବ। ତାଙ୍କ ସୂଚନା ଅନୁଯାୟୀ କୋର କମିଟି ଓ ବୈଷୟିକ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି। ସ୍କାନିଂରୁ ପାର୍ଶ୍ବ କାନ୍ଥରେ କ୍ରାକ୍ ଥିବା ଜଣାଯାଇଛି। ଏହାଫଳରେ ରତ୍ନଭଣ୍ଡାର ଭିତରେ ପାଣି ପଶିଥିବ। ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ। ରତ୍ନଭଣ୍ଡାର ଅନୁଧ୍ୟାନ ଓ ଯାଞ୍ଚ ପାଇଁ ଏଏସଆଇ ପକ୍ଷରୁ ୧୪ ଜଣ ସଦସ୍ୟଙ୍କୁ କମିଟି ଗଠନ କରାଯାଇଛି। ଏହାକୁ ଖଣ୍ଡନ କରି ଆଇନ୍‌ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ରତ୍ନଭଣ୍ଡାର ଖୋଲାଯିବା ନେଇ ଛତିଶାନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ହୋଇନାହିଁ। ଆସନ୍ତା ୮ ତାରିଖ ଦିନ ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଜଣେ ଏଏସ୍‌ଆଇ ଅଧିକାରୀ ଏସଂପର୍କରେ ଭ୍ରାନ୍ତି ସୃଷ୍ଟି କରିଛନ୍ତି। ତାଙ୍କ ଦୋଷ ତ୍ରୁଟି ଲୁଚାଇବାକୁ ଯାଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସଂପୃକ୍ତ ଏଏସ୍‌ଆଇ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରତ୍ନଭଣ୍ଡାର କେବେ ଖୋଲାଯିବ, ଏହାର ତର୍ଜମା କରି ନିଷ୍ପତ୍ତି ନିଆଯିବ।

 

ସମ୍ବନ୍ଧିତ ଖବର