ଭୁବନେଶ୍ବର/କଟକ: ରତ୍ନଭଣ୍ଡାର ପ୍ରସଙ୍ଗରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ଆଜି ସେ ଗଣମାଧ୍ୟମକୁ କହିଛନ୍ତି, ରତ୍ନଭଣ୍ଡାରର ଚାବି ହଜିଛି କି ନାହିଁ, ସେକଥା ତ ଆମେ ଜାଣିନୁ। ଏନେଇ ବିଜେପି ହାଇକୋର୍ଟ ଯାଇଛନ୍ତି, ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେବେ, ସରକାର ତାର ତର୍ଜମା କରି ପଦକ୍ଷେପ ନେବେ।
ସେ ଆହୁରି କହିଛନ୍ତି, କିଏ ରାଜନୀତି କରିବେ ସେଇଟା ମୁଁ କହିବି ନାହିଁ । ବିଭିନ୍ନ ସ୍ତରରେ ଭିନ୍ନ ଲୋକ ରାଜନୀତି କରନ୍ତି । କିନ୍ତୁ ସରକାର ମନ୍ଦିର ଗୁଡ଼ିକର ଉନ୍ନତିକରଣ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆଇନମନ୍ତ୍ରୀ।
ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଏଭଳି ଉତ୍ତରକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି। ପୂର୍ବତନ ବିଜେପି ସଭାପତି କହିଛନ୍ତି, ସରକାର କିଭଳି ଚାଲିଛି ଆଇନ ମନ୍ତ୍ରୀଙ୍କ ଉତ୍ତରରୁ ଲୋକ ଜାଣିପାରିବେ। ମୁଣ୍ଡ ବିହୀନ ସରକାର କହିଲେ ଅତ୍ୟୁକ୍ତି ହେବ ନାହିଁ।
ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଭିତରେ ଥିବା ଶ୍ରୀଜିଉଙ୍କ ରତ୍ନଖଚିତ ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ସଂପତ୍ତିର ସବିଶେଷ ତାଲିକା ପ୍ରସ୍ତୁତ ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏହି ମାମଲା କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ ରତ୍ନଭଣ୍ଡାର ଭିତରେ ଥିବା ମୂଲ୍ୟବାନ ସୁନା, ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ପ୍ରସଂଗରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ରତ୍ନଭଣ୍ଡାର ଭିତର ସ୍ଥିତି ଭଲ ନଥିବାରୁ ତୁରନ୍ତ ମରାମତି କରାଯିବା ଆବଶ୍ୟକ। ହେଲେ ରାଜ୍ୟ ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିରବ। ଏଭଳି ସ୍ଥିତିରେ ରତ୍ନଭଣ୍ଡାର ଭିତରେ ଥିବା ଶ୍ରୀଜିଉଙ୍କ ସୁନା ଗହଣା କେତେ ଦୂର ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନ ଉଠିଛି।
୧୯୭୮ରେ ରାଜ୍ୟ ସରକାର ତତ୍କାଳୀନ ରାଜ୍ୟପାଳ ବି.ଡି. ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। କମିଟି ରତ୍ନଭଣ୍ଡାର ଭିତରେ ଥିବା ସୁନା ଗହଣା ଓ ମୂଲ୍ୟବାନ ଜିନିଷଗୁଡ଼ିକର ଯାଞ୍ଚ କରି ତାଲିକା ପ୍ରସ୍ତୁତ କରିଥିଲା। ଏହା ଭିତରେ ୩୫ ବର୍ଷ ବିତି ଯାଇଛି। କିଛି ବର୍ଷ ତଳେ ରତ୍ନଭଣ୍ଡାର ଖୋଲିବା ପ୍ରସଂଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିଥିଲା ବୋଲି କୁହାଯାଇଥିଲା। ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାଶଙ୍କୁ ଦାୟିତ୍ବ ଦିଆଯାଇଥିଲା। କମିସନ ତଦନ୍ତ ପରେ ୨୦୧୮, ନଭେମ୍ବର ୨୯ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କମିସନ ଅଫ୍ ଇନକ୍ବାରି ଆଇନ ଅନୁସାରେ ଦାଖଲର ୬ ମାସ ଭିତରେ ରିପୋର୍ଟ ଓ ଏହା ଉପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ବିଧାନସଭାରେ ତଥ୍ୟ ଉପସ୍ଥାପନ କରାଯିବା କଥା। କିନ୍ତୁ ଏହି ରିପୋର୍ଟ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ରତ୍ନଭଣ୍ଡାର ଚାବି ହଜିବା ପାଇଁ ଦାୟୀ ଅଧିକାରୀଙ୍କ ନିକଟରୁ ତଦନ୍ତ କମିସନ ବାବଦରେ ହୋଇଥିବା ଖର୍ଚ୍ଚ ଭରଣା କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଏଥି ସହିତ ସିବିଆଇକୁ ଚାବି ହଜିବା ପ୍ରସଂଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରାଯାଇଛି।
ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ରତ୍ନଭଣ୍ଡାର ଭିତରେ ଥିବା ସବୁ ସାମଗ୍ରୀର ତାଲିକା ପ୍ରସ୍ତୁତ ହେବା କଥା। ଏଥି ସହିତ ଶ୍ରୀଜିଉଙ୍କୁ ଶ୍ରଦ୍ଧାଳୁ ପ୍ରଦାନ କରୁଥିବା ସୁନା ଗହଣାର ତାଲିକା ପ୍ରସ୍ତୁତ କରି ରତ୍ନଭଣ୍ଡାରରେ ରଖାଯିବା କଥା। କିନ୍ତୁ ଏପରି କରାଯାଉ ନାହିଁ। ଏଭଳି ସ୍ଥିତି ପଛରେ କ’ଣ କାରଣ ରହିଛି ତାହା ଅସ୍ପଷ୍ଟ। ରାଜ୍ୟପାଳ ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ରତ୍ନଭଣ୍ଡାର ଭିତରେ ଥିବା ଅଳଙ୍କାର ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ପ୍ରସଂଗ ତଦାରଖ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ମୁଖ୍ୟ ସଚିବ, ଆଇନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ, ଏଏସଆଇ, ପୁରୀ ରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।