ଏପିପି ପଦବି ପାଇଁ ଅଭିଜ୍ଞତା ଉଛେଦ ଦାବି, ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ବର : ୪ ଦଫା ଦାବି ନେଇ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଆଇନ ବିଭାଗ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାରୀ ସହକାରୀ ଓକିଲ ନିଯୁକ୍ତି ପାଇଁ ଅଭିଜ୍ଞତା ବ୍ୟବସ୍ଥା ଉଚ୍ଛେଦ, ପଦବି ସଂଖ୍ୟା ବୃଦ୍ଧି, ସଂରକ୍ଷଣ ବ୍ୟବସ୍ଥା ରଖିବା, ବୟସ ସୀମା ବୃଦ୍ଧି ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ୪୬ଟି ସହକାରୀ ସରକାରୀ ଓକିଲ(ଏପିପି) ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଦନକାରୀଙ୍କର ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ବୋଲି ବିଜ୍ଞାପନରେ ଉଲ୍ଲେଖ କରାଯାଇଛି। କିନ୍ତୁ ଛାତ୍ର ନେତା ଅଖିଳେଶ ଯାଦବଙ୍କ ଅଭିଯୋଗ ଅନୁସାରେ ୫ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୬-୧୭ ମସିହାରେ ଏହି ପଦବି ପାଇଁ ଯେଉଁ ବିଜ୍ଞାପନ ବାହାରିଥିଲା, ସେତେବେଳେ ଏହି ଅଭିଜ୍ଞତା ନିୟମ ନଥିଲା। ଆଇନ ଡିଗ୍ରିଧାରୀ ସ୍ନାତକ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ବ୍ୟବସ୍ଥା ଥିଲା। ଏବେ ଅନ୍ୟୁନ ୨ ବର୍ଷର ଓକିଲାତି ଅଭିଜ୍ଞତା ଥିବା ଓକିଲମାନେ ଏହି ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି। କରୋନା ମହାମାରୀ ସମୟରେ କୋର୍ଟ, କଚେରୀ ବନ୍ଦ ଥିବାରୁ ଦୁଇ ବର୍ଷର ଅଭିଜ୍ଞତା କେମିତି ଆଣିବୁ ବୋଲି ସେ ପ୍ରଶ୍ନ କରିଥିଲେ। ସେହିଭଳି ଏପିପି ପଦବି ପାଇଁ ବୟସ ସୀମା କୋହଳ କାରିବାକୁ ସେ ଦାବି କରିଛନ୍ତି।

ବଡ଼ କଥା ହେଉଛି ଏପିପି ନିଯୁକ୍ତି ପାଇଁ ସରକାର ୨୦୯ଟି ପଦବି ଥିବା ଚିଠିରେ ଉଲ୍ଲେଖ କରିଛନ୍ତି। କିନ୍ତୁ ବିଜ୍ଞାପନରେ ମାତ୍ର ୪୬ଟି ପଦବି ପାଇଁ ପରୀକ୍ଷା ହେବ ବୋଲି କୁହାଯାଇଛି। ତେଣୁ ସମସ୍ତ ୨୦୯ ପଦବି ପାଇଁ ବିଜ୍ଞାପନ ଦେବାକୁ ସେ ଦାବି କରିଛନ୍ତି। ସେହିପରି ଓପିଏସ୍‌ସି ନିଯୁକ୍ତି ପାଇଁ ବାହାରିଥିବା ବିଜ୍ଞାପନରେ ଏସ୍‌ଇବିସି ବର୍ଗ ପାଇଁ ସରଂକ୍ଷଣ ରଖାଯାଇନାଁହି। ଏହା ଏକ ବେଆଇନ ଓ ଅସାମ୍ବିଧାନିକ ବ୍ୟବସ୍ଥା ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ଯଥା ଶୀଘ୍ର ଏସ୍‌ଇବିସି ବର୍ଗଙ୍କ ପାଇଁ ଏପିପି ପଦବିରେ ସରଂକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ ବୋଲି ସେ ଦାବି କରିଛନ୍ତି। ଆଜି ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଆଇନ ଛାତ୍ର ପ୍ରୀତିମାନ ନାୟକ, ଦେବେଶ ଦାସ, ଅଜୟ କୁମାର ପଣ୍ଡା, ରିଙ୍କି ନାୟକ, ସାଲୁଜା କଅଁର, ଦେବ ନାରାୟଣ ପ୍ରଧାନ, ସେକ୍ ମହମ୍ମଦ ତାହିର୍, ଦେବୀପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଦାବି ପୂରଣ ନ ହ‌େଲେ, ଓପିଏସ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବା ସହ ଓକିଲମାନେ କୋର୍ଟ ବର୍ଜନ କରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର