ଆଇନଜୀବୀ-ପୁଲିସ ବିବାଦ: ପୁଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର ଉପରେ ହାଇକୋର୍ଟଙ୍କ ରୋକ, ୧୪ ଯାଏଁ ଜାରି ରହିବ ଓକିଲ ଆନ୍ଦୋଳନ

କଟକ: ଆଇନଜୀବୀ-ପୁଲିସ ବିବାଦକୁ ନେଇ ଜାରି ରହିଛି ଅଚଳାବସ୍ଥା। ସୋମବାର ହାଇକୋର୍ଟରେ ଏହି ସମ୍ପର୍କିତ ମାମଲାର ଶୁଣାଣି ହୋଇଛି। ମୁଖ୍ୟବିଚାରପତି ଏସ୍‌.ଏନ୍‌. ଜାଭେରିଙ୍କ ଖଣ୍ଡପୀଠରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଘଟଣାର ତଦନ୍ତ ଶେଷ ହୋଇ ପାରି ନ ଥିବା ଦର୍ଶାଯାଇଛି।ଅନ୍ୟପକ୍ଷରେ ହାଇକୋର୍ଟ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର ଉପରେ ରୋକ୍‌ ଲଗାଇଛନ୍ତି। ଏହି ନିଲମ୍ବନ ପ୍ରତ୍ୟାହାର ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି କରାଯିବା ଲାଗି ଧାର୍ଯ୍ୟ ହୋଇଛି। ଉଲ୍ଲେଖଯୋଗ୍ୟ କି ହାଇକୋର୍ଟ ଏହି ଘଟଣାର ତଦନ୍ତ କରି ନଭେମ୍ବର୯ ତାରିଖ ସୁଦ୍ଧା ଚାର୍ଜସିଟ୍‌ ଦାଖଲ ଲାଗି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ପୁଲିସ ଆକ୍ରମଣର ଶିକାର ହୋଇଥିବା ଆଇନଜୀବୀ ଦେବୀ ପଟ୍ଟନାୟକଙ୍କ ପକ୍ଷରୁ ପୁଲିସ ନିଷ୍କ୍ରିୟତା ବିରୋଧରେ କରାଯାଇଥିବା ମାମଲାର ଶୁଣାଣି ଜଷ୍ଟିସ୍‌ ସି.ଆର୍‌.ଦାଶଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖ ବୁଧବାର କରାଯିବା ଲାଗି ସ୍ଥିର ହୋଇଛି।

ତେଣେ ଆଇନଜୀବୀଙ୍କ ଆନ୍ଦୋଳନ ଆସନ୍ତା ବୁଧବାର ଯାଏଁ ଜାରି ରହିବ ବୋଲି ଜଣାପଡ଼ିଛି। ଓଡ଼ିଶା ବାର୍‌ ଆସୋସିଏସନ୍‌ର ସୋମବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୁଧବାର ଅପରାହ୍ନରେ ଆସୋସିଏସନ୍‌ର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହୋଇ ଆନ୍ଦୋଳନକୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ କି, ଅଗଷ୍ଟ ୨୮ ତାରିଖରେ କଟକ ନୂଆବଜାରରେ ଚାଉଳିଆଗଞ୍ଜ ଥାନାର ୪ ପୁଲିସ କର୍ମଚାରୀ ଆଇନଜୀବୀ ଦେବୀ ପଟ୍ଟନାୟକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର