ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ‘ସତ୍ୟାଗ୍ରହ’ ପାଳନ କରାଯାଉଛି। ଏହାକୁ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆଜି ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ପାରମ୍ପରିକ ବାଦ୍ୟ ଓ ବ୍ୟାନର ଧରି ଶୋଭାଯାତ୍ରା ରେ ଆସି କଚେରି ଛକରେ ଓକିଲଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ।
ଆନ୍ଦୋଳନକାରୀମାନେ ସଂଘବଦ୍ଧ ହୋଇ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ୍ ସେମାନଙ୍କୁ ସେଥିରୁ ନିବୃତ୍ତ କରାଇବାର ଉଦ୍ୟମ କରିଥିଲା।ଏହାଫଳରେ ଆନ୍ଦୋଳନକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତଥାପି ଆନ୍ଦୋଳନକାରୀମାନେ କୋର୍ଟ ଭିତରକୁ ପ୍ରବେଶ କରିଥିଲେ ଓ ବିଚାରପତିଙ୍କୁ କୋର୍ଟ କାର୍ଯ୍ୟ କରିବାକୁ ବାରଣ କରିଥିଲେ। ଖାଲି ସେତିକି ନୁହେଁ, ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ଏଥିରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ପାଇଁ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ସମ୍ବଲପୁର ମୁନ୍ସିପାଲ୍ କର୍ପୋରେସନ୍ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ୧୨ ତାରିଖ ସୋମବାର ଦିନ କାର୍ଯ୍ୟରୁ ବିରତ ରହିବାକୁ ଆବେଦନ କରାଯାଇଥିଲା। ସେମାନେ ନିଜ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡ଼ିକୁ ସ୍ବେଚ୍ଛାକୃତଭାବେ ବନ୍ଦ କରି ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ନିଖିଳ ଓଡ଼ିଶା ‘ସତ୍ୟାଗ୍ରହ’ ଓ ପ୍ରତିବାଦ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ହେଉଥିବା ନ୍ୟାୟୋଚିତ ଦାବିର ସମର୍ଥନରେ ସବୁ ବର୍ଗର ଜନସାଧାରଣ ଏକଜୁଟ ହେବାକୁ ଓକିଲ ସଂଘ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ଆହ୍ବାନ ଦିଆଯାଇଛି।