ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ଦୁଇ ବର୍ଷରେ ୧୫ ଥର, ୫୦ରୁ ଅଧିକ କାର୍ଯ୍ୟ ଦିବସ ପ୍ରଭାବିତ

କଟକ: ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ପ୍ରତିବାଦରେ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଅଷ୍ଟମ ଦିନରେ ପହଞ୍ଚିଛି। ଆଇନଜୀବୀମାନେ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ଗିରଫ ଦାବି କରୁଛନ୍ତି। ଗଲା ଦୁଇ ବର୍ଷ ଭିତରେ ବିଭିନ୍ନ ପ୍ରସଙ୍ଗରେ ଆଇନଜୀବୀମାନେ ଏଭଳି ୧୫ରୁ ଅଧିକ ଥର କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇ ଥିବା ବେଳେ ପ୍ରାୟ ୫୦ରୁ ଅଧିକ କାର୍ଯ୍ୟ ଦିବସ ପ୍ରଭାବିତ ହୋଇଛି। ଏଭଳି ଘଟଣାରୁ ମାମଲା ପରିଚାଳନାରେ ଅଚଳାବସ୍ଥା ସୃଷ୍ଟି ହୋଇ ଚାଲିଛି।

୨୦୧୬, ଅକ୍ଟୋବର ୩୧: ହାଇକୋର୍ଟ କୋଠାର ଲିଫ୍‌ଟ ଅଚଳ ଓ କେସ୍‌ ଲିଷ୍ଟିଂରେ ବିଳମ୍ବ ପ୍ରତିବାଦରେ ଆଇନଜୀବୀଙ୍କ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ।
୨୦୧୬, ଡିସେମ୍ବର ୧୨: ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ନିଷ୍ପତ୍ତି ପ୍ରତିବାଦରେ ହାଇକୋର୍ଟ ସହିତ କଟକର ସମସ୍ତ ଆଇନଜୀବୀ ସଂଘର ସଦସ୍ୟଙ୍କ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ। ଗତ ୩ ବର୍ଷ ମଧ୍ୟରେ ସ୍ୟାଟ୍‌ ଉଚ୍ଛେଦ ପ୍ରସଂଗକୁ ନେଇ ଏକାଧିକ ଥର ଆନ୍ଦୋଳନ ହୋଇଛି।
୨୦୧୬, ସେପ୍ଟେମ୍ବର ୫: ଆଇନଜୀବୀ ରାଜେଶ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ହାଇକୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ନିନ୍ଦା କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ।
୨୦୧୭, ଜାନୁଆରି ୧୦: ପୁରୀରେ ଆଇନଜୀବୀ ଚନ୍ଦନ ବେହେରାଙ୍କୁ ହତ୍ୟା ଘଟଣାର ପ୍ରତିବାଦରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।
୨୦୧୭, ଜାନୁଆରି ୨୭: ଆଇନଜୀବୀ ଚିନ୍ମୟ ମହାନ୍ତିଙ୍କୁ ଆକ୍ରମଣ ଓ ଧମକ ଦେବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରା ନଯିବା ପ୍ରତିବାଦରେ ୧୧ ଦିନ ଧରି ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ।
୨୦୧୭, ଫେବ୍ରୁଆରି ୧୩: ହାଇକୋର୍ଟ ପରିସରରେ ଘଟିଥିବା ଏକ ଘଟଣାର ପ୍ରତିବାଦରେ ଆଇନଜୀବୀଙ୍କ ୩ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ।
୨୦୧୭, ମାର୍ଚ୍ଚ ୩୧: ଲ’ କମିସନ୍‌ ଅଫ୍‌ ଇଣ୍ଡିଆ ଦେଇଥିବା ପ୍ରସ୍ତାବକୁ ବିରୋଧ କରି ସମଗ୍ର ରାଜ୍ୟର ଆଇନଜୀବୀମାନେ ପ୍ରତିବାଦ ଦିବସ ପାଳିଥିଲେ। କାର୍ଯ୍ୟବନ୍ଦ ଆନ୍ଦୋଳନରେ ଆଇନଜୀବୀମାନେ ସାମିଲ ହୋଇଥିଲେ।
୨୦୧୭, ଏପ୍ରିଲ ୩: ଲ’ କମିସନ୍‌ ଅଫ୍‌ ଇଣ୍ଡିଆ ଦେଇଥିବା ପ୍ରସ୍ତାବ ଓ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପର ପ୍ରତିବାଦରେ ସାରା ରାଜ୍ୟର ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।
୨୦୧୭, ଅକ୍ଟୋବର ୨୪: ପୁରୀରେ ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କ ହତ୍ୟାକାଣ୍ଡ ଘଟଣାର ପ୍ରତିବାଦରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।
୨୦୧୭, ନଭେମ୍ବର ୧୬: ଓଡିଶା ହାଇକୋର୍ଟରେ ବହୁ ବିଚାରପତି ପଦ ଖାଲି ଥିବା ବେଳେ ଜଣେ ବିଚରାପତିଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରାଯିବା ଘଟଣାର ପ୍ରତିବାଦରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।
୨୦୧୭, ସେପ୍ଟେମ୍ବର ୨୦: ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଜଷ୍ଟିସ ସି.ଆର୍‌.ଦାଶଙ୍କ ବାସଭବନରେ ରାତି ଅଧରେ ସିବିଆଇ ଅଧିକାରୀ ପ୍ରବେଶ ଉଦ୍ୟମ କରିବାକୁ ନେଇ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।
୨୦୧୮, ମାର୍ଚ୍ଚ ୨୯: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ କିଛି ରାଜନୈତିକ ଦଳ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଉଦ୍ୟମ କରିବା ଘଟଣାର ପ୍ରତିବାଦରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।
୨୦୧୮, ଫେବ୍ରୁଆରି ୧୨: ଓଡିଶା ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ଦାବିରେ ୨୧ ଦିନ ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ।
୨୦୧୮, ଅଗଷ୍ଟ ୨: ଆଇନଜୀବୀ ସନ୍ଦୀପ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୁଲିସ ତଦନ୍ତରେ ଶିଥିଳତା ଅଭିଯୋଗ କରି ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।
୨୦୧୮, ଅଗଷ୍ଟ ୨୯: ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ପ୍ରତିବାଦରେ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି।

ସମ୍ବନ୍ଧିତ ଖବର