ଭୁବନେଶ୍ବର: ମହିଳାଙ୍କୁ ପ୍ରକୃତ ସମାନତା ପ୍ରଦାନ କରିବାକୁ ହେଲେ ଆଇନ ସମାନତା ଓ ମାନବାଧିକାର ଉପରେ ପର୍ଯ୍ୟବେସିତ ହେବା ଉଚିତ। ଏହା କୌଣସି ଧାର୍ମିକ ସିଦ୍ଧାନ୍ତ ଦ୍ୱାରା ପରିଚାଳିତ ହେବା ଉଚିତ ନୁହେଁ, ଯାହାକି ମହିଳାମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରେ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇ ଲେଖିକା ତଥା ସାମାଜିକକର୍ମୀ
ତସ୍ଲିମା ନସରିନ୍ ଏହା କହିଛନ୍ତି। ସେ ଆହୁରି କହିଲେ ଯେ, ବାଂଲାଦେଶ ମୋତେ ନିର୍ବାସିତ କଲା, ପଶ୍ଚିମବଙ୍ଗରୁ ବି ନିର୍ବାସିତ ହେଲି। ମୋର କୌଣସି ଘର କି ଦେଶ ନାହିଁ। ମୁଁ ଅଭିବ୍ୟକ୍ତିର ସ୍ୱତନ୍ତ୍ରତାରେ ବିଶ୍ୱାସ କରେ। ଆମେ ସମସ୍ତେ ଗୋଟିଏ ପଞ୍ଜୁରି ଭିତରେ ଆବଦ୍ଧ ହୋଇ ରହିଯାଇଛୁ। ଆମେ ଏହାକୁ ଉତ୍ପୀଡ଼ନ ବଦଳରେ ପରମ୍ପରା ବୋଲି କହୁଛୁ। ତେଣୁ ସମସ୍ତଙ୍କୁ ଏକାଠି ହୋଇ ମହିଳାଙ୍କ ଅଧିକାରର ସୁରକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅତିରିକ୍ତ ଡିନ୍ ଆଇଟିଇଆର୍ର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଦେଇଥିଲେ।