ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଯଥାଶିଘ୍ର ସହମତି ଭିତ୍ତିରେ ସ୍ଥାନ ଚୟନ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହିତ ଆଲୋଚନା କରିଛି ସମ୍ବଲପୁର ଓକିଲ ସଂଘ। ଏହି ଅବସରରେ ସମ୍ବଲପୁର ବିଧାୟିକା ଡ.ରାସେଶ୍ବରୀ ପାଣିଗ୍ରାହୀ, ଜିଲ୍ଲାପାଳ ସମର୍ଥ ବର୍ମା ଉପସ୍ଥିତ ଥିଲେ।
ଆଲୋଚନା ବେଳେ ଓକିଲ ସଂଘ ପକ୍ଷରୁ କୁହାଯାଇଛି, ୨୦୦୭ ମସିହାରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଏବଂ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରେ ୫ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଗଠନ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପ୍ରସ୍ତାବ ଦେଇଥିଲେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ସେପ୍ଟେମ୍ବର ୫ ତାରିଖରୁ ସମ୍ବଲପୁର ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଚଳାବସ୍ଥା ଦୂର କିମ୍ବା ଦାବି ପୂରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ନଗର ଉନ୍ନୟନ ମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଅବସରରେ ଓକିଲ ସଂଘର ଅନୁରୋଧକ୍ରେମ ଏହି ଅନୌପଚାରିକ ଆଲୋଚନା ହୋଇଥିଲା। ଏହି ଅବସରରେ ସଂଘ ପକ୍ଷରୁ କୁହାଯାଇଥିଲା, ମୁଖ୍ୟମନ୍ତ୍ରୀ ପତ୍ର ଲେଖିବାର ୫ ଦିନ ମଧ୍ୟରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ଉତ୍ତର ଦେଇଛନ୍ତି। ଏଥିମଧ୍ୟରେ ମୁଖ୍ୟତଃ ୬ଟି ପ୍ରସଂଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଯାଇଛି। ରାଜ୍ୟ ସରକାର ଯେତେ ଶିଘ୍ର ଏଥିପ୍ରତି ଦୃଷ୍ଟି ଦେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ହାଇକୋର୍ଟ ବେଞ୍ଚ ଦାବି ପୂରଣ ସହଜ ହୋଇ ପାରିବ। ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଥିପ୍ରତି ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ମନ୍ତ୍ରୀ ପୂଜାରୀ ଏ ନେଇ ଆଉ ଥରେ ସ୍ବତନ୍ତ୍ର ଆଲୋଚନା ସହିତ ସହାୟତାର ପ୍ରତିଶ୍ରୁତି ଦେଇଥିଲେ।
ଆଲୋଚନାବେଳେ ସମ୍ବଲପୁର ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ, ସିଏସି ସହ ଆବାହକ ପ୍ରମୋଦ ଦାସ, ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ସିଏସି ସଦସ୍ୟ ସୁରେଶ୍ବର ମିଶ୍ର, ସତ୍ୟନାରାୟଣ ପଣ୍ଡା, ସମ୍ବଲପୁର ଓକିଲ ସଂଘର ପ୍ରମୋଦ ରଥ, ପ୍ରଦୀପ ବହିଦାର, ଅତନୁ ଘୋଷ, ଅନୁପ ତରିଆ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/nira-1.jpg)