ଭୁବନେଶ୍ବରରେ ଶତାଧିକ ଓକିଲଙ୍କ ବିକ୍ଷୋଭ: ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ଜୋର ଧରିଲା

ରାଜ୍ୟପାଳ ଓ ଆଇନମନ୍ତ୍ରୀଙ୍କୁ ଭେଟିଲେ, ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ଦୁଇ ମନ୍ତ୍ରୀ ଓ ଦୁଇ ବିଧାୟକ ଯୋଗଦେଲେ

ଭୁବନେଶ୍ୱର: ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶହ ଶହ ଓକିଲ ଆଜି ଲୋୟର୍‌ ପିଏମ୍‌ଜିରେ ଧାରଣା ଦେଇଛନ୍ତି। ‘ଆମ ହାଇକୋର୍ଟ ଆମକୁ ଫେରାଇ ଦିଅ’ ବୋଲି ଡାକରା ଦେବା ସହ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେଲେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି କମିଟି ଚେତାବନୀ ଦେଇଛି। ମଧ୍ୟାହ୍ନରେ ଏକ ପ୍ରତିନିଧିଦଳ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ବାବଦରେ ସ୍ମାରକପତ୍ର ପ୍ରଦାନ କରିଛି। ଖୁବ୍‌ଶୀଘ୍ର ଏହାର ଗୁରୁତ୍ବ ଓ ବାସ୍ତବତାକୁ ଅନୁଭବ କରି ବଲାଙ୍ଗୀରଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ କମିଟି ଦାବି କରିଛି।

ସଭାପତି ପ୍ରମୋଦ କୁମାର ତ୍ରିପାଠୀ କହିଛନ୍ତି, ୭୦ବର୍ଷ ଧରି ଏହି ଦାବି ନେଇ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସ୍ତରରେ ଆନ୍ଦୋଳନ ଓ ବି‌କ୍ଷୋଭ ଚାଲିଛି। ତେବେ ଗତ ୧୦ ମାସ ହେଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଲଗାତାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି। ୧୯୪୮ରେ ପାଟଣା ରାଜ୍ୟ ମିଶ୍ରଣ ହେବା ପରେ ଏହି ଦାବି ଜୋର୍‌ ଧରିଥିଲା। କାରଣ ପୂର୍ବରୁ ପାଟଣା ରାଜ୍ୟରେ ଏକ ହାଇକୋର୍ଟ କାର୍ଯ୍ୟକ୍ଷମ ଥିଲା, ଯାହାର ଅଞ୍ଚଳ ମଧ୍ୟରେ ପଶ୍ଚିମ ଓଡ଼ିଶାର ୧୨ଜିଲ୍ଲା ରହିଥିଲା। ସେଥିପାଇଁ ବଲାଙ୍ଗୀର ଜିଲ୍ଲା ଜଜ୍‌ଙ୍କୁ ହାଇକୋର୍ଟର ‘ଏକ୍ସ ଅଫିସିଓ ରେଜିଷ୍ଟ୍ରାର୍‌’ର ମାନ୍ୟତା ଦିଆଯାଇଛି। ପଶ୍ଚିମ ଓଡ଼ିଶା ଆଦିବାସୀବହୁଳ ହେବା ସହ ଅଧିକାଂଶ ଗରିବ ବାସିନ୍ଦା ରହିଛନ୍ତି। ଫଳରେ ୩୫୦ରୁ ୪୦୦ କିଲୋମିଟର ଦୂର କଟକ ହାଇକୋର୍ଟ ଯାଇ ନିଜ ହକ୍‌ ପାଇଁ ଲଢ଼ିବା ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ। ବିଭିନ୍ନ ସମୟରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଯେଉଁ ସବୁ ସୁପାରିସ ହୋଇଛି, ସେହି ତାଲିକାରେ ବଲାଙ୍ଗୀର ସର୍ବାଗ୍ରେ ରହିଛି। ୧୯୮୫ରେ ଯଶୱନ୍ତ ସିଂହ କମିସନ୍‌ ଦେଇଥିବା ରିପୋର୍ଟରେ ହାଇକୋର୍ଟ ବେଞ୍ଚ ସ୍ଥାପନର କାରଣକୁ ନେଇ ୨୧ଟି ବିଷୟ ଉପରେ ଗୁରୁତ୍ବ ଦେଇଥିବା ବେଳେ ସ୍ଥାନ ନିରୂପଣ ପାଇଁ ୯ଟି ବିଷୟ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହି କମିସନଙ୍କ ରିପୋର୍ଟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବଶ୍ୟକତା ରହିଛି, ବଲାଙ୍ଗୀର ହିଁ ଏକମାତ୍ର ସ୍ଥାନ। ବଲାଙ୍ଗୀର ବାର୍‌ର ଓକିଲମାନେ ମଧ୍ୟ ନ୍ୟାୟିକ ପରୀକ୍ଷାରେ ସଫଳତା ପ୍ରଦର୍ଶନ ପୂର୍ବକ ରାଜ୍ୟର ବିଭିନ୍ନ କୋର୍ଟରେ ଜଜ୍‌ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଷ୍ଟିସ୍‌ ବାଳକୃଷ୍ଣ ବେହେରା, ବିକେ ପାତ୍ର, ବିକେ ତ୍ରିପାଠୀ, ଅରୁଣ ପରିଚ୍ଛା, ସଞ୍ଜୟ ମିଶ୍ର ପ୍ରମୁଖ ରହିଥିବା ବେଳେ ବିଶିଷ୍ଟ ଓକିଲ ନରସିଂହ ମିଶ୍ର ବିଧି ଆୟୁକ୍ତ ସଦସ୍ୟ ହେବାର ଗୌରବ ଲାଭ କରିଛନ୍ତି। ଏଣୁ ୨ କୋଟି ପଶ୍ଚିମାଞ୍ଚଳବାସୀଙ୍କ ପାଇଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଅବଶ୍ୟମ୍ଭାବୀ ବୋଲି ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି।

ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଲଳିତ ନାୟକଙ୍କ ନେତୃତ୍ବରେ ଆୟୋଜିତ ଓକିଲମାନଙ୍କର ଏକ ‌େଶାଭାଯାତ୍ରା ପୂର୍ବାହ୍ନ ୧୦.୧୫ରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ପହଞ୍ଚିଥିଲା। ଆନ୍ଦୋଳନକାରୀମାନେ ପୁଲିସର ବ୍ୟାରିକେଡ ଅତିକ୍ରମ କରି ବିଧାନସଭା ଆଡ଼କୁ ଅଗ୍ରସର ହେଲାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଧାରଣାସ୍ଥଳରେ ଆନ୍ଦୋଳନକାରୀମାନେ ସଭା କରି ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଦାବି କରିଥିଲେ। ଉକ୍ତ ସଭାରେ ଜିଲ୍ଲାର ଦୁଇ ବିଧାୟକ ନରସିଂହ ମିଶ୍ର ଓ ସନ୍ତୋଷ ସିଂହ ସାଲୁଜା ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ରତନ ମହାରଣା, ଭବାନୀ ଶତପଥୀ, ଅମରେନ୍ଦ୍ର ମିଶ୍ର, ଅରବିନ୍ଦାକ୍ଷ ପୂଜାରୀ, ଜୟକୃଷ୍ଣ ସାହୁ, ଓକିଲ ସଂଘ ସଂପାଦକ ଅମନ ନାଗ, ବଲାଙ୍ଗୀର ନାଗରିକ କମିଟି ସମ୍ପାଦକ ବିଷ୍ଣୁପ୍ରସାଦ କେଡ଼ିଆ ପ୍ରମୁଖଙ୍କ ସମେତ ଶହଶହ ସଂଖ୍ୟାରେ ଓକିଲ ଓ ସଚେତନ ନାଗରିକ ଯୋଗଦେଇଥିଲେ।

ଆଇନ ମନ୍ତ୍ରୀଙ୍କୁ ଦାବିପତ୍ର
ବଲାଙ୍ଗୀରର ଐତିହାସିକ ପୃଷ୍ଠଭୂମି, ଭୌଗୋଳିକ ସ୍ଥିତି, ଅର୍ଥନୈତିକ ଅବସ୍ଥା ତଥା ଉନ୍ନତ ବାର୍‌ ହାଇକୋର୍ଟ ବେଞ୍ଚ ଦାବିର ସମସ୍ତ ମାନଦଣ୍ଡକୁ ଶତପ୍ରତିଶତ ପୂରଣ କରୁଥିବାରୁ ଏଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଯୁକ୍ତିଯୁକ୍ତ ବୋଲି ପ୍ରତିନିଧିଦଳ ସରକାରଙ୍କୁ ଦର୍ଶାଇଛି। ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଆଲୋଚନା କରି ଏହି ଦାବି ଉପସ୍ଥାପିତ କରିଛି। ପ୍ରତିନିଧିଦଳରେ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ଉଭୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରାଙ୍କ ସହ ବଲାଙ୍ଗୀର ଓକିଲ ସଂଘ ସଭାପତି ପ୍ରମୋଦ ତ୍ରିପାଠୀ, ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟିର ସଭାପତି ଲଳିତ ନାୟକ, ବରିଷ୍ଠ ଓକିଲ ଜଗନ୍ନାଥ ଆଚାର୍ଯ୍ୟ ଓ ବରିଷ୍ଠ ସଭ୍ୟ ଭବାନୀ ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର