ଓକିଲଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ଓକିଲ ଆଖି ବୁଜିଲେ

ଦୁଇ ବର୍ଷ ତଳେ ପୁରୀ ବାର୍‌ ନିକଟରେ ହୋଇଥିଲା ପ୍ରାଣାନ୍ତକ ଆକ୍ରମଣ, ଭାସିଗଲା ସଂଜୟଙ୍କ ସଂସାର, ଓକିଲଙ୍କ ସଂପୃକ୍ତି ବୋଲି ମିଳିଲାନି ନ୍ୟାୟ

ପୁରୀ : ଦୁଇ ବର୍ଷ ତଳେ ପୁରୀ ବାର୍‌ ନିକଟରେ କିଛି ଓକିଲଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଅସୁସ୍ଥ ଥିବା ଯୁବ ଆଇନଜୀବୀ ସଂଜୟ ତ୍ରିପାଠୀ ଆଜି ଆଖି ବୁଜିଛନ୍ତି। ଆକ୍ରମଣରେ ତାଙ୍କ ଖପୁରିର କିଛି ଅଂଶ ଉଡ଼ିଯିବାରୁ ମସ୍ତିଷ୍କରେ ଗୁରୁତର ଆଘାତ ଲାଗିଥିଲା। ସେବେଠାରୁ ସେ ଶଯ୍ୟାଶାୟୀ ଥିଲେ। ପରିବାର ଲୋକ ତାଙ୍କ ଗୋଡ଼ରେ ବେଡ଼ି ପକାଇ ରଖିଥିଲେ। ଶେଷରେ ଆଜି ତାଙ୍କର ମୃତ୍ୟୁ ପରେ ପୁରୀରେ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଆଇନଜୀବୀଙ୍କ ନାମରେ ଟାଉନ ଥାନାରେ ‌ହୋଇଥିବା ମାମଲାରେ ଦଫା ୩୦୭ (ହତ୍ୟା ଉଦ୍ୟମ) ମାମଲାରୁ ହତ୍ୟାକାଣ୍ଡ (୩୦୨)କୁ ରୂପାନ୍ତରିତ ହେବ ନା ନାହିଁ, ଜାମିନ‌ରେ ଆସିଥିବା ଆଇନଜୀବୀଙ୍କୁ ପୁଲିସ ଗିରଫ କରିବ ନା ନାହିଁ ତାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ଅଭିଯୋଗ ହେଉଛି ଯେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଆଇନଜୀବୀ ହୋଇଥିବାରୁ ପୁଲିସ ଏହି ମାମଲାକୁ ଅତି ହାଲୁକା ଭାବେ ନେଇଥିଲା। ଦୁଇ ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ତୁରନ୍ତ ସେମାନଙ୍କୁ ଜାମିନ ମିଳି ଯାଇଥିଲା। ଅନ୍ୟ ଅଭିଯୁକ୍ତମାନେ ଗିରଫ ନ ହୋଇ ଜାମିନରେ ଆସିଥିଲେ। ସଂଘବଦ୍ଧ ଆକ୍ରମଣର ଶିକାର ସଂଜୟଙ୍କ ପତ୍ନୀ ନ୍ୟାୟ ପାଇଁ ଦୁଇ ବର୍ଷ ଧରି ସଂଘର୍ଷ କରିଥିଲେ। ଜିଲ୍ଲାପାଳ, ଏସ୍‌ପି, ରାଜନେତା ସମସ୍ତଙ୍କର ଦ୍ବାରସ୍ଥ ହୋଇଥିଲେ। ମାତ୍ର ପ୍ରଭାବଶାଳୀଙ୍କ ସଂପୃକ୍ତି ଥିବାରୁ ସଂଜୟଙ୍କ ପତ୍ନୀଙ୍କୁ ନ୍ୟାୟ ମିଳିନଥିଲା। ନିରାଶ ହୋଇ ସଂଜୟଙ୍କ ପତ୍ନୀ ଦୁଇ ଦୁଇ ଥର ଆତ୍ମାହୁତି ଉଦ୍ୟମ ମଧ୍ୟ କରିଥିଲେ। ଅଭିଯୁକ୍ତଙ୍କ ମାଡ଼ରେ ସଂଜୟଙ୍କ ଖପୁରି ଉଡିଯାଇଥିବା ବେଳେ ଶେଷରେ ସେ ହତ୍ୟାର ଶିକାର ହେଲେ ବୋଲି ପତ୍ନୀ ସଂଗୀତା ଅଭିଯୋଗ କରିଛନ୍ତି। ତେବେ ଏଭଳି ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଘଟଣାରେ ପୁଲିସ ସଂଜୟଙ୍କ ପରିବାରକୁ କିଭଳି ନ୍ୟାୟ ଦେଉଛି ତାହା ଉପରେ ଏବେ ସଭିଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।

ସୂଚନାଯୋଗ୍ୟ, ୨୦୧୭ ମାର୍ଚ୍ଚ ୨୫ ତାରିଖରେ ପୁରୀ ବାର୍‌ ଆସୋସିଏସନର ନିକଟରେ ଆଇନଜୀବୀ ସଂଜୟ ତ୍ରିପାଠୀଙ୍କୁ ପ୍ରାୟ ୧୦/୧୨ ଜଣ ଆଇନଜୀବୀ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସଂଜୟଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୃତ୍ୟୁ ସହିତ ସଂଗ୍ରାମ କରି ସେ ବଞ୍ଚିଯାଇଥିଲେ ବି ମାନସିକ ଭାରସାମ୍ୟ ହରାଇଥିଲେ। ମାନସିକ ବିକୃତି ଘଟିବାରୁ ତାଙ୍କୁ ଘରେ ଶିକୁଳି ପକାଇ ରଖିବାକୁ ପଡୁଥିଲା। ଏ ନେଇ ସଂଜୟଙ୍କ ପତ୍ନୀ ସଂଗୀତା ତ୍ରିପାଠୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଘଟଣାରେ ଆଇନଜୀବୀମାନଙ୍କ ସମ୍ପୃକ୍ତି ରହିଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହସ ଦେଖାଇନଥିଲା।

ଅନ୍ୟପକ୍ଷରେ ସଂଗୀତା ନ୍ୟାୟ ପାଇବା ଆଶାରେ ଓକିଲ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ମଧ୍ୟ ବସିଥିଲେ। ଏମିତିକି ନ୍ୟାୟ ପାଇବା ପାଇଁ ସଂଗୀତା ଆତ୍ମହତ୍ୟା ପାଇଁ ଘୋଷଣା କରିବାରୁ ପୁଲିସ ଘରେ ପଶି ତାଙ୍କୁ ଧରି ନେଇଥିଲା। ଶେଷରେ ଏହି ଘଟଣାରେ ତତ୍କାଳୀନ ବିଧାୟକ ତଥା ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ସେ ସମୟର ଜିଲ୍ଲାପାଳ ଓ ଏସ୍‌ପି ସଂଗୀତାଙ୍କୁ ଆଶ୍ବାସନା ମଧ୍ୟ ଦେଇଥିଲେ। ସଂଜୟଙ୍କ ଘରର ଆର୍ଥିକ ସ୍ଥିତିକୁ ନେଇ ସଂଗୀତାଙ୍କୁ ଚାକିରି ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ସମସ୍ତେ ପ୍ରତିଶ୍ରୁତି ଭୁଲିଯାଇଥିଲେ। ଗୁରୁତର ଅସୁସ୍ଥ ସଂଜୟଙ୍କୁ ତାଙ୍କ ପତ୍ନୀ ଗତ ମାର୍ଚ୍ଚ ମାସ ୨୮ ତାରିଖରେ ପୁନଃ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥି‌ଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ‌ହୋଇଛି। ଏ ସମ୍ପର୍କରେ ଆଜି ସଂଗୀତା କୁମ୍ଭାରପଡ଼ା ଥାନା ଏବଂ ଟାଉନ ଥାନା ପୁଲିସକୁ ଜଣାଇଥିଲେ ମଧ୍ୟ କୌଣସି ସହାୟତା ପାଇନଥିବା କହିଛନ୍ତି। ଏହି ଘଟଣାକୁ ସଂଗୀତା ଏସ୍‌ପିଙ୍କୁ ମଧ୍ୟ ଜଣାଇଛନ୍ତି। ତେବେ ସଞ୍ଜୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ ଆଗେଇବ ବୋଲି ପୁଲିସ କହିଛି। ଯଦି ପୂର୍ବ ଆକ୍ରମଣ ଯୋଗୁଁ ସଂଜୟଙ୍କର ଦେହାନ୍ତ ହୋଇଥାଏ ତେବେ ଏହି ମାମଲାଟି ହତ୍ୟା ମାମଲାକୁ ପରିବର୍ତ୍ତନ କରାଯିବ ବୋଲି ପୁଲିସ କହିଛି। ଆଇନକୁ ହାତକୁ ନେଇଥିବା ଆଇନଜୀବୀ କଣ ଆଇନରୁ ଉର୍ଦ୍ଧ୍ବରେ ବୋଲି ଏବେ ସାଧାରଣରେ ମତପ୍ରକାଶ ପାଇଛି। ତାଙ୍କ ପରିବାରକୁ ଉଜାଡିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପତ୍ନୀ ସଂଗୀତା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର