କୋର୍ଟରେ ଟଳିପଡ଼ିଲେ ଆଇନଜୀବୀ

ବାରିପଦା: କରଞ୍ଜିଆ କୋର୍ଟର ବରିଷ୍ଠ ସରକାରୀ ଆଇନଜୀବୀ ସୁବାସ ଚନ୍ଦ୍ର ମହାନ୍ତ (୬୨)ଙ୍କର ଗୁରୁବାର ଦିନ ହୃଦ୍‌ଘାତରେ ପରଲୋକ ଘଟିଛି। ଶ୍ରୀ ମହାନ୍ତ ଗୁରୁବାର ଦିନ ସରକାରୀ ମାମଲା ପରିଚାଳନା କରିବା ପାଇଁ ଯଶିପୁର ଜେଏମ୍‌ଏଫ୍‌ସି କୋର୍ଟକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳକୁ କୋର୍ଟରେ ସାକ୍ଷୀଙ୍କୁ ଜେରା କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ନିଜ ସିଟ୍‌ରୁ ଢଳିପଡ଼ିବା ଦେଖି ଉପସ୍ଥିତ ଆଇନଜୀବୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରାହ୍ନରେ ତାଙ୍କ ମରଶରୀରକୁ କରଞ୍ଜିଆ କୋର୍ଟ ପରିସରକୁ ଅଣାଯିବା ପରେ ଯଶିପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ, ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ, ମେଜର ଡିଏନ୍ ଦାସ, ଡା.ସୁରେଶ ଚନ୍ଦ୍ର ମହାନ୍ତ, ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଅଭିମନ୍ୟୁ ମହାନ୍ତ, ଛତିଶଚନ୍ଦ୍ର ମହାନ୍ତ, ଅବସରପ୍ରାପ୍ତ ସାମରିକ ଅଧିକାରୀ ଲଲିତ ମହାନ୍ତ, ଆଇଆଇସି କ୍ଷମାସାଗର ପଣ୍ଡା, ଡା.ନଳିନୀ ବେହେରା, ପ୍ରଧାନଶିକ୍ଷକ କିଶୋର ମହାନ୍ତ, ସମାଜସେବୀ ମାନସ ମହାନ୍ତ, ଆଇନଜୀବୀ ସୁରେନ୍ଦ୍ର ପ୍ରସାଦ, ଭକ୍ତ ବେହେରା, ଲକ୍ଷ୍ମୀକାନ୍ତ ମହାନ୍ତ, ବିଜୟାନନ୍ଦ ବେହେରା, ଆମିରୁଲ ହୋସେନ, ଋକ୍ମିଣୀ ମହାନ୍ତ, ଅଜିତ ବେହେରା, ସୁଜିତ୍ ନାୟକ, ଅସିତ୍ ବେହେରା, ସାମ୍ବାଦିକ ବିରଞ୍ଚି ନାରାୟଣ ସାହୁ, ସରୋଜ ବେହେରା ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ବର୍ଗତ ମହାନ୍ତ ୧୯୮୫ ମସିହାରୁ ଆଇନସେବା ବୃତ୍ତିରେ ରହି ୧୯୯୩ ମସିହାରୁ ଏ ପର୍ଯ୍ୟନ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଦୁଇ ଥର କରଞ୍ଜିଆ ଓକିଲ ସଂଘର ସାଧାରଣ ସମ୍ପାଦକ ଥିଲେ। ତାଙ୍କର ଏକମାତ୍ର ପୁଅ ପାର୍ଥପ୍ରତୀକ ମହାନ୍ତ (ଓଜେଏସ୍) ବର୍ତ୍ତମାନ ବାଲେଶ୍ବର ଜିଲ୍ଲା ଜଳେଶ୍ବର କୋର୍ଟରେ ସିଭିଲ୍‌ ଜଜ୍ (ଜୁନିୟର ଡିଭିଜନ୍‌) ଭାବେ କାର୍ଯ୍ୟରତ ଥିବା ବେଳେ ଝିଅ ବାଙ୍ଗାଲୋରରେ ସଫ୍ଟଓେୟାର୍‌ ଇଞ୍ଜିନିୟର ଅଛନ୍ତି। ସ୍ବର୍ଗତ ମହାନ୍ତଙ୍କ ପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ଯଶିପୁର ବ୍ଲକ ମଦରଙ୍ଗାଯୋଡ଼ି ଗାଁ’ର ମୂଳବାସିନ୍ଦା ଶ୍ରୀ ମହାନ୍ତ କରଞ୍ଜିଆ କଲେଜ ନିକଟରେ ଘର କରି ରହୁଥିଲେ। ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟ ଥିଲେ। ତାଙ୍କ ଅକାଳ ବିୟୋଗରେ ଯଶିପୁର ଓ କରଞ୍ଜିଆରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର