ଭୁବନେଶ୍ବର : ଗୋଟିଏ ଗଣତନ୍ତ୍ରର ସାମ୍ବିଧାନିକ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆଇନଜୀବୀ ଓ ବିଚାରପତିଙ୍କ ମଧ୍ୟରେ ସହଯୋଗର ଆବଶ୍ୟକତା ରହିଛି। ଗୁରୁବାର ଦିନ ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ଅନୁଷ୍ଠିତ ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ୫୧ତମ ବାର୍ଷିକ ସମ୍ମିଳନୀରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ମତ ରଖିଛଦନ୍ତି। ଜଷ୍ଟିସ୍ ମିଶ୍ର କହିଥିଲେ ଯେ ଆଇନଜୀବୀମାନେ ସବୁବେଳେ ବ୍ୟକ୍ତିର ସ୍ବାଧୀନତା ଓ ସମ୍ମାନର ସୁରକ୍ଷାକର୍ତ୍ତା। ଏଥିରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ନିଜର ମହକିଲ ପାଇଁ ନିର୍ଭୀକ ଭାବରେ ପ୍ରଶ୍ନ କରିବା, ପ୍ରସଙ୍ଗକୁ ଉଠାଇବା ଏବଂ ତର୍କକୁ ଉପସ୍ଥାପନ କରିବା ସେମାନଙ୍କର ବୃତ୍ତିଗତ ଦାୟିତ୍ବ। ଅନ୍ୟପଟେ ଆଇନଜୀବୀମାନେ ମଧ୍ୟ କୋର୍ଟର ଅଙ୍ଗ। ତେଣୁ କୋର୍ଟ ପ୍ରତି ସେମାନଙ୍କର ଉତ୍ତରଦାୟିତ୍ବ ରହିଛି। ସେମାନେ ଏଭଳି ଆଦର୍ଶ ଆଚରଣ କରିବା ଦରକାର ଯେଭଳି ସେମାନଙ୍କ ବୃତ୍ତିର ସମ୍ମାନ ବଜାୟ ରହିବା ସହ ବିଚାର ବିଭାଗ ଉପରେ ଲୋକଙ୍କର ଆସ୍ଥା ବଜାୟ ରହିବ।
ସେ ଆହୁରି କହିଥିଲେ ଯେ ବର୍ତ୍ତମାନ ବାର୍ ଆସୋସିଏସନ୍ମାନେ ଜ୍ଞାନର କେନ୍ଦ୍ର ଭାବେ ରୂପାନ୍ତରିତ ହୋଇଛନ୍ତି। ତେବେ ଆଇନଜୀବୀ କେବଳ ଆଇନ୍ ଉପରେ ଜ୍ଞାନ ହାସଲ କଲେ ହେବନାହିଁ। ସମୟ ବଦଳିବା ସଙ୍ଗେ ସଙ୍ଗେ ଆଇନ୍ଜୀବୀ ଇତିହାସ, ଅର୍ଥନୀତି, ସମାଜତତ୍ତ୍ବ ସବୁ କ୍ଷେତ୍ରରେ ଜ୍ଞାନ ଆହରଣ ଅପରିହାର୍ଯ୍ୟ ହୋଇପଡ଼ିଛି। ଏମିତିକି କମ୍ପ୍ୟୁଟର ଏବଂ ବୈଷୟିକ ଜ୍ଞାନର ଆବଶ୍ୟକତା ରହିଛି। ତେଣୁ ଆଇନଜୀବୀମାନଙ୍କର ଜ୍ଞାନ ଆହରଣ ଓ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ଲୟର୍ସ ଏକାଡେମି ପ୍ରତିଷ୍ଠା କରନ୍ତୁ। ସେଠାରେ ସେମାନେ ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଆଇନଜୀବୀଙ୍କ କଲ୍ୟାଣ ପାଣ୍ଠି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ଅବଦାନ ଆବଶ୍ୟକ। ଏହି ଦୁଇଟି ପ୍ରସଙ୍ଗ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖିବେ ବୋଲି କହିଥିଲେ।
ଉଚ୍ଚ ଆସନକୁ ଗଲେ ମଧ୍ୟ ନିଜ ମାଟି, ପାଣି ଓ ପବନକୁ ଭୁଲନାହିଁ
ଲୟର୍ସ ଏକାଡେମି ପ୍ରତିଷ୍ଠା କରି ବୃତ୍ତିଗତ ଦକ୍ଷତା ବିକାଶ କରାଯାଉ
ଶ୍ରୀ ମିଶ୍ର କହିଲେ ଯେ ଓଡ଼ିଶାର ପ୍ରତ୍ୟେକ ନିମନ୍ତ୍ରଣକୁ ମୁଁ ସମ୍ମାନ କରେ। କାରଣ ମୁଁ ଏହି ଓଡ଼ିଶା ମାଟି, ପାଣି ଓ ପବନରେ ବଢ଼ିଛି। ଏଠୁ ହିଁ ମୁଁ ଅନେକ ଶିଖିଛି। ମଣିଷ ଯେତେ ଉଚ୍ଚ ପଦାଧିକାରୀ ହେଉ କି ଉଚ୍ଚ ଆସନରେ ବସୁ ନିଜର ମାଟି, ପାଣି ଓ ପବନକୁ ଭୁଲିବା କଥା ନୁହେଁ। ଆଇନ୍ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ବିନା ଗୁରୁରେ ଭଲ ଓକିଲ ହୋଇପାରିବ ନାହିଁ। ଭଲ ଓକିଲ ହେବାକୁ ହେଲେ ଗୁରୁ ବାଛିବାକୁ ସେ ପରାମର୍ଶ ଦେଇଥିଲେ।
ସମ୍ମିଳନୀରେ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଲୋକଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର କହିଥିଲେ ଯେ ଗ୍ରାମାଞ୍ଚଳର ଲୋକଙ୍କ ଭିତରେ ଆଇନ୍ ଉପରେ ସଚେତନତାର ଆବଶ୍ୟକତା ରହିଛି। ପ୍ରତ୍ୟେକ ଆଇନଜୀବୀ ନିଜ ନିଜ ଅଞ୍ଚଳର ଲୋକଙ୍କୁ ଆଇନ ଉପରେ ଜ୍ଞାନଦେବା ଆବଶ୍ୟକ। ଅନ୍ତତଃପକ୍ଷେ ମାସକୁ ଥରେ ହେଉ ପଛେ ନିଜ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରନ୍ତୁ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ମତ ରଖିଥିଲେ। ସେହିପରି ବାର୍ ଆସୋସିଏସନ୍ ସଭାପତି ରବି ସାମନ୍ତରାୟ, ବରିଷ୍ଠ ଆଇନଜୀବୀ ଡ. ସୁଧାଂଶୁ ପ୍ରସାଦ ପତି ଓ ଶିବାନନ୍ଦ ରାୟ ମଧ୍ୟ ନିଜର ମତ ରଖିଥିଲେ। ଅନୁଷ୍ଠାନର ସଭାପତି ଜ୍ଞାନରଂଜନ ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ସଞ୍ଜିତ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଉପଦେଷ୍ଟା ସୁବାସ ମିଶ୍ର ଏବଂ ଅନ୍ୟମାନେ ସହଯୋଗ କରିଥିଲେ। ଏହି ଅବସରରେ ଜଷ୍ଟିସ୍ ଶ୍ରୀ ମିଶ୍ର, ତାଙ୍କ ଧର୍ମପତ୍ନୀ ଏବଂ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।